‘ଅବକି ବାର୍ ମୋଦି ସରକାର’ । ୨୦୧୪ ଲୋକସଭା ନିର୍ବାଚନରେ ବେଶ୍ କାମ ଦେଇଥିଲା ଏହି ନାରା । କଂଗେଅସର ବିଫଳତାକୁ ଜନତା ଆଗରେ ରଖି ସତ୍ତାକୁ ଆସିଥିଲା ବିଜେପି । ଅନେକ ପ୍ରତିଶ୍ରୁତି ଦେଇ ସରକାର ଗଢ଼ିଲେ ମୋଦି । ବିଦେଶରୁ କଳାଧନ ଆଣିବା, ରାମମନ୍ଦିର ପାଇଁ ବିଲ୍ ଆଣିବା ଆଦି ସେଥିମଧ୍ୟରୁ ପ୍ରମୁଖ । ତେବେ ମୋଦି ସରକାରଙ୍କ ଶାସନ କାଳ ଭିତରେ ଅନେକ ଯୋଜନା ଘୋଷଣା ହୋଇଥିଲେ ହେଁ ପ୍ରମୁଖ ମୁଦ୍ଦା ଉପରେ କାମ କରିବା ପାଇଁ ଭୁଲିଗଲେ ମୋଦି । ମୋଦି ସରକାରର ସାଢ଼େ ୪ ବର୍ଷ ଭିତରେ ଆସିପାରିଲାନି କଳାଧନ କି ରାମ ମନ୍ଦିର ପାଇଁ ଅଧ୍ୟାଦେଶ ଆସିପାରିଲା ନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ସାଢ଼େ ୪ ବର୍ଷ ଭିତରେ ମୋଦି ଜନଧନ ଯୋଜନା, ଉଜ୍ଜଳା ଯୋଜନା,ପହଲ ଯୋଜନା, ଉଡ଼ାନ୍ ଯୋଜନା, ସ୍ୱଚ୍ଛ ଭାରତ ଯୋଜନା, ମୁଦ୍ରା ଯୋଜନା ଆଦି ବିଭିନ୍ନ ଜନହିତକର ଯୋଜନା ଆଣିଲେ । ଯାହା ଅଳ୍ପବହୁତେ ଫଳପ୍ରଦ ମଧ୍ୟ ହୋଇଛି । ଏସବୁ ସତ୍ୱେ ସେମିଫାଇନାଲ କୁହାଯାଉଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ଚିତ୍ ହୋଇ ପଡ଼ିଛି । ସେମିଫାଇନାଲରୁ ହିଁ ଫାଇନାଲର ଫଳାଫଳ ନେଇ ଆକଳନ ହେଉଛି । ବିଧିବଦ୍ଧ ଭାବେ ଏଯାଏଁ ଫଳ ଆସିନଥିଲେ ମଧ୍ୟ ବିଜେପି ଲୋକଙ୍କ ଆସ୍ଥା ହରାଇଛି ବୋଲି ସ୍ପଷ୍ଟ ହେଉଛି । ଲୋକେ ମୋଦି ସରକାରଙ୍କ ଉପରେ ଖୁସନଥିବା ଜଣାପଡ଼ୁଛି । ଆଉ ଏହାର ପ୍ରମୁଖ ଦୁଇ କାରଣ ହେଲା ଜିଏସଟି ଓ ବିମୁଦ୍ରାକରଣ । କେଉଁଠି ନା କେଉଁଠି ଲୋକେ ମୋଦି ସରକାରଙ୍କ ଏ ଦୁଇ ନିଷ୍ପତି ଉପରେ ଅସନ୍ତୁଷ୍ଟ ବୋଲି ସ୍ପଷ୍ଟ ଜଣାପଡ଼ୁଛି ।
ସେପଟେ ଆଜିର ଦିନରେ କଂଗ୍ରେସ ଅଧ୍ୟକ୍ଷ ଗତବର୍ଷ କଂଗସେ ଅଧ୍ୟକ୍ଷ ମନୋନୀତ ହୋଇଥିଲେ । ଅଧ୍ୟକ୍ଷ ରୂପରେ ଆଜି ତାଙ୍କର ଏକ ବର୍ଷ ପୂରଣ ହେଉଛି । ୧୧ ଡିସେମ୍ବରରେ ସେ କଂଗ୍ରେସ ଅଧ୍ୟକ୍ଷ ଭାବେ ଚୟନ ହୋଇଥିଲେ । ଆଉ ୧୬ ଡିସେମ୍ବର ୨୦୧୭ରେ ବିଧିବଦ୍ଧ ଘୋଷଣା ହୋଇଥିଲା । ଏପଟେ ଆଜି ଘୋଷଣା ହେବ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ତେବେ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବାପରେ କଂଗ୍ରେସର ସ୍ଥିତିରେ ଅନେକ ସୁଧାର ଆସିଥିଛି କହିଲେ ଅତ୍ୟୁକ୍ତ ହେବନାହିଁ । ଆଉ ଆଜିର ନିର୍ବାଚନ ଫଳାଫଳ ସ୍ଥିତି ଦେଖିଲେ ଏକଥା ସ୍ପଷ୍ଟ ଜଣାପଡ଼ିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଦଳ ପାଇଁ ବିରାଟ ପରିବର୍ତ୍ତନ ତଥା ଆଗାମୀ ସଫଳତାର ସଙ୍କେତ ଦେଉଛି ।
ତେବେ ଏହା କେବଳ ଟ୍ରେଲର, ପୁରା ସିନେମା ୨୦୧୯ରେ ଦେଖିବାକୁ ମିଳିବ ବୋଲି କହୁଛନ୍ତି କଂଗ୍ରେସ ନେତା । ଆଉ ଏବେଠାରୁ ତା’ର ଝଲକ୍ ଦେଖିବା ପାଇଁ ମିଳିଛି । ରାହୁଲ ଗାନ୍ଧୀଙ୍କ ପାଇଁ ଲୋକଙ୍କ ସମର୍ଥନ ରହିଛି ବୋଲି ସ୍ପଷ୍ଟ ଜଣାପଡ଼ୁଛି ।