ମାର୍ଚ୍ଚ ୨୨ : ଜନତା କର୍ଫ୍ୟୁ । ସକାଳ ୭ରୁ ରାତି ୯ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦି ।

2,231

କନକ ବ୍ୟୁରୋ : କରୋନାର କିଭଳି ମୁକାବିଲା କରାଯିବ ସେନେଇ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସତର୍କ ରହିବା ସହ କରୋନାର ମୁକାବିଲା କରିବାକୁ ସଂକଳ୍ପ ନେବାକୁ ପରାମର୍ଶ ଦେଇଛନ୍ତି ମୋଦି । ଖାସକରି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମୋଦି ବାର୍ତ୍ତା ଦେଇଥିବା ବେଳେ ଆସନ୍ତା ୨୨ ମାର୍ଚ୍ଚ ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଏହି ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ମୋଦି । ଜନତା କର୍ଫ୍ୟୁ ସମୟରେ କେହି ଘରୁ ନ ବାହାରକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଏଭଳି ପ୍ରୟାସ ଦେଶହିତ ପାଇଁ ପ୍ରତୀକ ହୋଇ ରହିବ । ଜନତା କର୍ଫ୍ୟୁର ସଫଳତା ଓ ଏହାର ଅନୁଭବ ଆଗକୁ ଆସୁଥିବା ଚ୍ୟାଲେଞ୍ଜ ପାଇଁ ମଧ୍ୟ ପ୍ରସ୍ତୁତ କରିବ ବୋଲି କହିଛନ୍ତି ମୋଦି ।

ଏହାସହ ସମସ୍ତ ରାଜ୍ୟ ସରକାର ମଧ୍ୟ ଜନତା କର୍ଫ୍ୟୁ ପାଳନ କରିବାର ନେତୃତ୍ୱ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ମୋଦି । ଜନତା କର୍ଫ୍ୟୁ ବାବଦରେ ସାଧାରଣ ଲୋକଙ୍କୁ ସୂଚନା ଦେବା ପାଇଁ ଦେଶର ସାମାଜିକ, ଧାର୍ମିକ, ଯୁବ ସଙ୍ଗଠନ, କ୍ରୀଡା ସଙ୍ଗଠନକୁ ଅନୁରୋଧ କରିଛନ୍ତି ମୋଦି । ସାଧାରଣ ଲୋକ ମଧ୍ୟ ପ୍ରତିଦିନ ଚାହିଁଲେ ୧୦ ଲୋକଙ୍କୁ ଫୋନ୍ କରି ଜନତା କର୍ଫ୍ୟୁ ବାବଦରେ ସୂଚିତ କରିପାରିବେ । ଜନତା କର୍ଫ୍ୟୁ ମାଧ୍ୟମରେ କରୋନା ଭଳି ବିଶ୍ୱ ମହାମାରୀ ଲଢେଇ ପାଇଁ ଭାରତ କେତେ ପ୍ରସ୍ତୁତ ତାହା ଦେଖିବା ଓ ପରଖିବାର ସମୟ ଆସିଛି ବୋଲି କହିଛନ୍ତି ମୋଦି ।

କରୋନା ପୂରା ମାନବଜାତି ପାଇଁ ସଙ୍କଟ ନେଇ ଆସିଛି । ତେଣୁ ଆଗାମୀ କିଛି ଦିନ ସତର୍କ ରହି କରୋନାର ଉଚିତ ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ ଏପରିକି ଯେତେଦୂର ସମ୍ଭବ ଘରୁ ବସି କାମ କରିବାକୁ ପରାମର୍ଶ ଦେଇଛନ୍ତି ମୋଦି ।