କରୋନା ମୁକାବିଲା : ସାମାଜିକ ଦୂରତ୍ୱ ପାଇଁ ସରକାର ଜାରି କଲେ ମାଗଦର୍ଶିକା, ଜେଲରେ ହେଲା ଇ-ମୁଲାକାତ ବ୍ୟବସ୍ଥା । ସେଲୁନ, ସ୍ପା ଓ ବିଉଟିପାର୍ଲର ବନ୍ଦ କରିବାକୁ ନିର୍ଦ୍ଦେଶ ।

251

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ସାମାଜିକ ଦୂରତ୍ୱ ନେଇ ମାର୍ଗଦର୍ଶିକା । ଏଥିରେ ମଦ ଗ୍ରାହକଙ୍କୁ ସାନିଟାଇଜ କରିବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଅଯାଇଥିବାବେଳେ ଜେଲରେ ଇ- ମୁଲାକାତ ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦୂରତା ରକ୍ଷା କରିବା ସମ୍ଭବ ହେଉନଥିବା ପାର୍ଲର, ସ୍ପା ସେଂଟର ଓ ସେଲୁନକୁ ବନ୍ଦ ରଖିବାକୁ କୁହାଯାଇଛି ।

ସାମାଜିକ ଦୂରତା କମାଇବ ସଂକ୍ରମଣ । ତେଣୁ ସଂକ୍ରମଣରୁ ବଞ୍ଚିବା ପାଇଁ ସରକାର ଜାରି କରିଛନ୍ତି ସତର୍କତା । ସେଲୁନ, ବିଉଟିପାର୍ଲର ଓ ସ୍ପା ସେଣ୍ଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏସବୁ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ନୁହେଁ ତେଣୁ ପରବର୍ତି ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଇଛି । ସେହିଭଳି ଜେଲରେ ଲାଗୁ ହୋଇଛି ଇ-ମୁଲାକାତ ବ୍ୟବସ୍ଥା । ଜିଲ୍ଲା ମୁଖ୍ୟ କାରାଗାରରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଜେଲରେ ଭିଜିଟର ରୁମରେ ଲ୍ୟାପଟପ୍ ଓ ସ୍କାଏପି ମାଧ୍ୟମରେ କଏଦୀଙ୍କୁ ଭେଟିଛନ୍ତି ସମ୍ପର୍କୀୟ । ସେହିପରି ନୂଆ କଏଦୀ ଓ ପାରୋଲରେ ଥିବା କଏଦୀଙ୍କୁ ସାନିଟାଇଜ ପରେ ଜେଲରେ ପ୍ରବେଶ କରିବାକୁ ଅନୁମତି ମିଳିଛି ।

ଅନ୍ୟପଟେ ମଦ ଦୋକାନରେ ଗ୍ରାହକଙ୍କୁ ସାନିଟାଇଜ କରିବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଦୋକାନ ବାହାରେ ହାତଧୁଆ ବ୍ୟବସ୍ଥା କରିବାକୁ ଦୋକାନୀ ବାଧ୍ୟ । ଏଥିସହ ମଦ କିଣିବାବେଳେ ଦୋକାନରେ ଭିଡ ନ ଜମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାହକମାନେ ଧାଡିରେ ଯିବା ସହ ସେମାନଙ୍କ ମଧ୍ୟରେ ଅତି କମରେ ଗୋଟିଏ ମିଟର ଦୂରତା ରଖିବାକୁ କୁହାଯାଇଛି । ଦୋକାନର ଯେଉଁ କର୍ମଚାରୀ ଗ୍ରାହକଙ୍କୁ ମଦ ଦେଉଛନ୍ତି ସେମାନେ ମଦ ଦେବା ପୂର୍ବରୁ ଓ ପରେ ହାତ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମଦ ବୋତଲକୁ ମଧ୍ୟ ସାନିଟାଇଜ୍ କରିବାକୁ ମାର୍ଗଦର୍ଶୀକାରେ କୁହାଯାଇଛି ।

କରୋନାକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା ସ୍ଥଗିତ ରଖିବାକୁ ବିଶ୍ୱବିଦ୍ୟାଳୟ ଗୁଡିକୁ ୟୁଜିସି ନିର୍ଦ୍ଦେଶ ଦେଇଛି । ମାର୍ଚ୍ଚ ୩୧ ଯାଏ ପରୀକ୍ଷା ସହ ଖାତା ମୂଲ୍ୟାୟାନ ବି ବନ୍ଦ ରହିବ । ସେହିପରି ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ବନ୍ଦ କରିବାକୁ ଘୋଷଣା କରିଛି । ରାଜ୍ୟରେ ସରକାର କର୍ମଚାରୀଙ୍କ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କଟକଣା ଲଗାଯାଇଛି । ଥଣ୍ଡା, କାଶ ଓ ଜ୍ୱର ହେଲେ କର୍ମଚାରୀଙ୍କୁ ୧୪ ଦିନର ଛୁଟି ମିଳିବ । ସେପଟେ କରୋନା ପାଇଁ ଲୋକସେବା ଭବନକୁ ସାଧାରଣ ଲୋକଙ୍କୁ ମନା । କେବେଳ କର୍ମଚାରୀ ମାନେ ଯାଇପାରିବେ । ଭିଜିଟର ପାସ ବି ବାତିଲ କରାଯାଇଛି । କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ନେଇ ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।