ଶବ୍ଦାଲୋକ ମାଧ୍ୟମରେ ଆତ୍ମକାହାଣୀ କହିବ ସୂର୍ଯ୍ୟମନ୍ଦିର ! ଲୋକାର୍ପିତ ହେଲା ଲାଇଟ୍ ଆଣ୍ଡ୍‌ ସାଉଣ୍ଡ୍‌ ବ୍ୟବସ୍ଥା

49

vlcsnap-2017-09-09-21h09m56s726କନକ ବ୍ୟୁରୋ : ବିଶ୍ୱ ଐତିହ୍ୟ କୋଣାର୍କର ଆତ୍ମକାହାଣୀକୁ ଶବ୍ଦାଲୋକ (ଲାଇଟ ଆଣ୍ଡ୍‌ ସାଉଣ୍ଡ୍‌) ପ୍ରକଳ୍ପ ମାଧ୍ୟମରେ ପର୍ଯ୍ୟଟକ ଓ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଲାଗି ଶନିବାର ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ସୂର୍ଯ୍ୟମନ୍ଦିରର ଏହି ଶବ୍ଦାଲୋକ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସ୍ଥାନୀୟ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ସମେତ ପୁରୀ ଜିଲ୍ଲାର ସମସ୍ତ ମନ୍ତ୍ରୀ, ବିଧାୟକ, ଏକାଧିକ ସାଂସଦ, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ, କୋଣାର୍କ ଏନ୍‌ଏସି ଅଧ୍ୟକ୍ଷା ଭାନୁମତି ରାଉତରାୟଙ୍କ ସମେତ ନେତୃବୃନ୍ଦ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଅତିଥି ଭାବେ ଯୋଗଦେଇଥିଲେ।

Capture3ସୂଚନାଯୋଗ୍ୟ, ଦୀର୍ଘ ବର୍ଷଧରି ଏହି ପ୍ରସ୍ତାବିତ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପରେଖ ଦେବା ଲାଗି ଉଦ୍ୟମ ଅବ୍ୟାହତ ରହିଥିଲେ ମଧ୍ୟ ବିଭିନ୍ନ ସମସ୍ୟା ପାଇଁ ଏହା ପୂର୍ଣ୍ଣାଙ୍ଗ ହୋଇପାରୁନଥିଲା। ନବକଳେବର-୨୦୧୫ ପୂର୍ବରୁ ଏହି ପ୍ରକଳ୍ପକୁ ସମାପ୍ତ କରିବା ଲାଗି ସ୍ଥାନୀୟ ବିଧାୟକ ସୁରେନ୍ଦ୍ର ସେଠୀ ବିଭାଗୀୟ ମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ମଧ୍ୟ ଦୀର୍ଘ ବର୍ଷ ଧରି ଦାବି ପ୍ରକାଶ ପାଇ ଆସୁଥିଲା। ବିଭିନ୍ନ ମହଲରୁ ଦାବି ଉଠିବା ପରେ ୨୦୧୪ ଅକ୍ଟୋବର ୨୬ରେ ଏହି ପ୍ରକଳ୍ପ ଲାଗି ୬କୋଟି ୫୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା। ଭାରତ ପର୍ଯ୍ୟଟନ ନିଗମ (ଆଇଟିଡିସି) ଓ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରକଳ୍ପ ଲାଗି ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଇଟିଡିସିକୁ ୨ କୋଟି ୫୬ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ମାତ୍ର ଏହି ଶବ୍ଦାଲୋକ ପ୍ରକଳ୍ପ ଲାଗି ସ୍ଥାନ ନିରୂପଣରେ ଅହେତୁକ ବିଳମ୍ବ ଲାଗି ନବକଳେବର ସମୟରେ ଏହା ପୂର୍ଣ୍ଣାଙ୍ଗ ହୋଇପାରିନଥିଲା।

Capture4ପରବର୍ତ୍ତୀ ସମୟରେ ଉଭୟ ରାଜନୈତିକ ଓ ସାମାଜିକ ସଂଗଠନ ପକ୍ଷରୁ ଦାବି ଜୋର୍‌ ଧରିବା ପରେ ୨୦୧୬ ଫେବ୍ରୁଆରୀରେ ସ୍ଥାନ ନିରୂପଣ ଚୂଡ଼ାନ୍ତ ହୋଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଶକ୍ତିଶାଳୀ ଲେଜର୍‌ ଲାଇଟ୍‌ ଦ୍ଵାରା ମନ୍ଦିର ଉପରକୁ ଲାଇଟ୍‌ ଫୋକସ୍‌ କରାଯାଇ ମନ୍ଦିରର ନିର୍ମାଣ ଗାଥାର ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଥିଲା । ଗତ ଏପ୍ରିଲ ୨୭ ଓ ପରେ ମେ ୨୫ରେ ଏହି ପରୀକ୍ଷାମୂଳକ ପରିବେଷଣକୁ କେନ୍ଦ୍ରୀୟ ଟିମ୍‌ ବୁଲି ଦେଖିଥିଲେ। ଜୁଲାଇ ୧୪ରେ ଏହି ଶବ୍ଦାଲୋକ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପରିବେଷଣ କରାଯିବା ପରେ ସେହି ମାସ ୧୯ ତାରିଖରେ ଏହି ପ୍ରକଳ୍ପର ସ୍ଥିତିକୁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ସ୍ଥାନୀୟ ବିଧାୟକ, ଏକାଧିକ ମନ୍ତ୍ରୀ ଓ ବିଧାୟକ ପରଖିଥିଲେ। ରଙ୍ଗବେରଙ୍ଗର ଆଲୋକମାଳା ସହିତ ତିନିଟି ଭାଷା, ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ କୋଣାର୍କର ଆତ୍ମକାହାଣୀ ପର୍ଯ୍ୟଟକ ଓ ଜନସାଧାରଣଙ୍କ ଲାଗି ଉପଲବ୍ଧ ହେବ।

Capture6ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟାରୁ ଦୁଇଟି ସୋ ଜରିଆରେ ଏହି ଶବ୍ଦାଲୋକ ପ୍ରକଳ୍ପକୁ ସମସ୍ତେ ଉପଭୋଗ କରିପାରିବେ ବୋଲି ଜଣାଯାଇଛି । ଏକକାଳୀନ ଭାବେ ସର୍ବାଧିକ ଅଢ଼େଇଶହ ଲୋକ ଗୋଟିଏ ସୋ’ରେ ବସି ଦେଖିପାରିବାର ବ୍ୟବସ୍ଥା କରାଯାଇଥିବା ବେଳେ ଏହି ସୋ ଦେଖିବା ଓ ଶୁଣିବା ଲାଗି ଟିକେଟ୍‌ର ମୂଲ୍ୟ ୩୦ ଟଙ୍କା ଧାର୍ଯ୍ୟ କରାଯାଇଛି । ପରବର୍ତ୍ତୀ ସମୟରେ ଉଭୟ ସିଟ୍‌ ସଂଖ୍ୟା ଓ ଟିକେଟ୍‌ର ମୂଲ୍ୟ ବୃଦ୍ଧି କରାଯିବାର ଯୋଜନା ରହିଛି । ସୂର୍ଯ୍ୟମନ୍ଦିରର ଆତ୍ମକାହାଣୀର ସଂଳାପ ଓଡ଼ିଆରେ ପ୍ରତିଷ୍ଠିତ ସିନେ ତାରକା ବିଜୟ ମହାନ୍ତି, ହିନ୍ଦୀରେ ଶେଖର ସୁମନ ଓ ଇଂରାଜୀରେ କବୀର ବେଦୀଙ୍କ କଣ୍ଠରେ ଜନସାଧାରଣ ଓ ପର୍ଯ୍ୟଟକ ଶୁଣିବାର ବ୍ୟବସ୍ଥା କରାଯାଇଛି।