ଟିଟୋ ଚଢୁଥିଲା ୫୦ଲକ୍ଷ ଟଙ୍କାର ଅଡି କାର ! ପୁଲିସ ହାତରେ ଲାଗିଲା ଗ୍ୟାଙ୍ଗଷ୍ଟରର ବିଳାସପୂର୍ଣ୍ଣ ଜୀବନର ଦସ୍ତାବିଜ୍ ।

44

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋ ସମ୍ପର୍କରେ ଆସିଲା ନୂଆ ତଥ୍ୟ । ଗ୍ୟାଙ୍ଗଷ୍ଟର ଚଢ଼ୁଥିଲା ଅଡ଼ି କାର  । ଟିଟୋ ପାଖରୁ ୫୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ବିଳାସପୂର୍ଣ୍ଣ ଅଡ଼ି କାର ଜବତ କରିଛି ଏସଟିଏଫ୍  । ସେହିପରି ଟିଟୋ ଜାଗୁଆର ଚଢ଼ୁଥିବା ନେଇ ଏସଟିଏଫ୍ ଖୋଳତାଡ଼ ଜାରି ରଖିଛି  । ସୂଚନା ମୁତାବକ ଟିଟୋ ନାଁରେ କୋଲକାତାରେ ରହିଛି ଜମି । ଟିଟୋର ରିମାଣ୍ଡ ଅବଧି ଆଜି ସରୁଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଏସଟିଏଫ ।

ଓଡିଶାର ଅପରାଧ ଇତିହାସରେ ଗୋଟିଏ ପରେ ଗୋଟିଏ କ୍ରାଇମ କରି ପୁଲିସ ଆଖିରେ ଧୁଳି ଦେଇ ଖସି ଯାଉଥିବା ଏହି ଗ୍ୟାଙ୍ଗଷ୍ଟର ଠାରୁ ପୁଲିସ ବହୁତ କିଛି ତଥ୍ୟ ପାଇବ ବୋଲି ଆଶା ରଖିଛି । କିନ୍ତୁ କଥା ଆଦାୟ ପାଇଁ ପୁଲିସର ଉଦ୍ୟମ ଫସର ଫାଟି ଯାଉଛି ବୋଲି ଶୁଣିବାକୁ ମିଳିଛି । କାରଣ କୌଣସି ପ୍ରଶ୍ନର ସିଧା ଉତର ରଖୁ ନାହିଁ ଟିଟୋ । ପୁଲିସ ଟିଟୋକୁ ପଚାରିଥିଲା –

ପ୍ରଶ୍ନ ୧-  କେଉଁ ମାନଙ୍କ ସହାୟତାରେ କିମ୍ବା ତୁମର କେଉଁ ସହଯୋଗୀ ମାନେ ତୁମ ବ୍ୟବସାୟ କିମ୍ବା ବିଭିନ୍ନ କାର୍ଯ୍ୟକଳାପରେ ସହାୟତା କରି ଆସୁଛନ୍ତି ?

ପ୍ରଶ୍ନ ୨- ଓଡିଶା କିମ୍ବା ବାହାରେ ତୁମର କଣ ସମ୍ପତି ରହିଛି ? ନଗଦ କାରବାର କେମିତି କରୁଛ ? ସେ ବିଷୟରେ ସବୁ କଥା କୁହ ।

ପ୍ରଶ୍ନ ୩- ତୁମ ବିରୋଧରେ ଯେଉଁ ଅପରାଧ ଅଭିଯୋଗ ରହିଛି- ସେ ବିଷୟରେ କଣ କହିବ ?

ପ୍ରଶ୍ନ ୪ – ଏତେ ଶିଘ୍ର କୋଟି କୋଟି ଟଙ୍କାର ସମ୍ପତି କେମିତି ଅର୍ଜନ କଲ ?

ପୁଲିସ ସୁତ୍ରରୁ ମିଳିଥିବା ଖବର ଅନୁସାରେ ଟିଟୋର କାର୍ଯ୍ୟାବଳି ଜାଣିବା ପାଇଁ ଗୁଡାଇ ତୁଡାଇ ପ୍ରଶ୍ନ କରୁଥାଏ ଏସଟିଏଫ୍ । କିନ୍ତୁ ଅପରାଧ ଜଗତର ସବୁଠାରୁ ଚାଲାକ ବ୍ୟକ୍ତି କୁହାଯାଉଥିବା ଟିଟୋ ଅତି ନିରିହ ଭାବେ ସବୁ ପ୍ରଶ୍ନକୁ ଏଡାଇ ଚାଲିଥାଏ । ଏବଂ କହୁଥାଏ ସେ କିଛି ଜାଣିନି ।

ଏସବୁ ଭିତରେ ଟିଟୋର ବିଳାଶପୂର୍ଣ୍ଣ ଲାଇଫ ଷ୍ଟାଇଲ କଥା ମଧ୍ୟ ସାମ୍ନାକୁ ଆସିଛି । ଏସଟିଏଫ୍ ଟିଟୋର ୫୦ ଲକ୍ଷ ଟଙ୍କାର ଏକ ଅଡି କାର୍ ଜବତ କରିଛି । ଏଥିସହ ଟିଟୋର ଆହୁରି ବିଲାଶପୁର୍ଣ୍ଣ ସାମଗ୍ରୀ ଉପରେ ଏସଟିଏଫର ନଜର ପଡିଛି । କେନ୍ଦ୍ରାପଡାରେ ଟିଟୋ ଏକ ମଠ କରି ସରଳ ଜୀବନ ବିତାଉଛି ବୋଲି ଯଦି କିଏ ଭାବୁଥାଏ ତେବେ ସେ ଭୁଲ ଭାବୁଛି । ଇତି ମଧ୍ୟରେ ସ୍ପେଶାଲ ଟାସ୍କ ଫୋର୍ସ ଟିଟୋର ବିଳାଶପୁର୍ଣ୍ଣ ଅଡି କାର ଜବତ କରିଛି । କେବଳ ଏହି ଅଡି କାର ନୁହେଁ ଏହି ଗ୍ୟାଙ୍ଗଷ୍ଟରର ଆଉ ଏକ ଅତି ବିଳାଶପୂର୍ଣ୍ଣ ଜାଗୁଆର କାର୍ ରହିଛି ବୋଲି ଜଣା ପଡିଛି । ସେପଟେ କୋଲକାତାରେ ଟିଟୋର ଦେଢ କୋଟି ଟଙ୍କାର ଜମିର ସନ୍ଧାନ ପାଇଛି ଏସଟିଏଫ୍ । ଏଥିରୁ ତାର ରାଜ୍ୟ ବାହାରେ ଅପରେସନ ନେଇ ମଧ୍ୟ ପୁଲିସ ଅନୁମାନ କରୁଛି ।