ଚୀନର ଅନେକ କମ୍ପାନି ଉପରେ ଆମେରିକାର କଟକଣା ! ଉତ୍ତରକୋରିଆ ସହ ଚୀନର ଭିତିରିଆ ସଂପର୍କ ହେଲା କାଳ

35

କନକ ବ୍ୟୁରୋ : ଉତ୍ତର କୋରିଆ ସହିତ ଭିତିରିଆ ଅର୍ଥନୈତିକ ସଂପର୍କ ଥିବା ଅଭିଯୋଗରେ ଯୁକ୍ତରାଷ୍ଟ୍ର ଆମେରିକା ଚୀନ୍‌ର ଅନେକ କମ୍ପାନି ଉପରେ କଟକଣା ଲଗାଇଛି । କେତେକ ବଡ଼ କମ୍ପାନିଙ୍କ ବିରୋଧରେ ପ୍ରତିବନ୍ଧକ ଅତ୍ୟନ୍ତ କଡ଼ାକଡ଼ି ରହିଥିବା ଜଣାପଡ଼ିଛି । ଏଥିରେ ଉତ୍ତର କୋରିଆ ସହ ସଂପର୍କ ଥିବା ୫୦ରୁ ଅଧିକ ଚୀନ୍‌ କମ୍ପାନି ରହିଛନ୍ତି । ଗତ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି କଟକଣା ସମ୍ପର୍କରେ ଘୋଷଣା କରିଛନ୍ତି ।  ଆମେରିକାର ଏହି ବଡ଼ ଧରଣର ଆର୍ଥିକ କଟକଣା ଦ୍ୱାରା ଆଣବିକ ଶକ୍ତିରେ ବଳିୟାନ ଉତ୍ତର କୋରିଆ ବହୁମାତ୍ରାରେ ପ୍ରଭାବିତ ହେବ । ତେବେ ଆମେରିକାର ଏହି କଟକଣାକୁ ଚୀନ୍‌ ଘୋର ବିରୋଧ କରିଛି । ଚୀନ୍‌ ସମେତ ଉତ୍ତର କୋରିଆ, ସିଙ୍ଗାପୁର, ତାଇଓ୍ଵାନ୍‌, ହଂକଂ, ମାର୍ସାଲ ଦ୍ୱୀପ, ତାଞ୍ଜାନିଆ, ପାନାମା ଓ କମୋରସ୍‌ ଆଦି ସ୍ଥାନରେ ଥିବା କିମ୍ବା ପଞ୍ଜୀକୃତ ହୋଇଥିବା କମ୍ପାନି ଗୁଡ଼ିକ ପାଇଁ ଆମେରିକାର ଏହି କଟକଣା ଲାଗୁ ହେବ । ଆଣବିକ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରୁ ଉତ୍ତର କୋରିଆ ହଟିବା ପାଇଁ ଆମେରିକା ଏହି ପଦକ୍ଷେପ ଗ୍ରହଣ କରିଛି। ବିଶେଷକରି ଉତ୍ତର କୋରିଆର ଆର୍ଥିକ ସ୍ଥିତି ଏବଂ ତୈଳ ଯୋଗାଣକୁ କ୍ଷତି ପହଞ୍ଚାଇବା ପାଇଁ ଆମେରିକା ଏହି କଟକଣା ଲଗାଇଛି ।

ତେବେ ଚୀନ୍‌ କଂପାନି ଓ ଲୋକଙ୍କ ଉପରେ ଆମେରିକାର ଏଭଳି ଦାଦାଗିରି ଓ ଏକପାଖିଆ କଟକଣାକୁ ଚୀନ୍‌ ସରକାର ଦୃଢ଼ ବିରୋଧ କରିଛନ୍ତି । ଚୀନ୍‌ ବୈଦୈଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ଗେଙ୍ଗ୍‌ ସୁଆଙ୍ଗ୍‌ ଶନିବାର ଏନେଇ ପ୍ରତିବାଦ ଜଣାଇଛନ୍ତି । ଦୁଇ ଦେଶ ମଧ୍ୟରେ ସଂପର୍କକୁ ଖରାପ କରିବାକୁ ନଦେବା ଲାଗି ଏଭଳି ଖରାପ ପ୍ରଥାକୁ ତୁରନ୍ତ ବନ୍ଦ କରିବା ଲାଗି ଆମେ ଆମେରିକାକୁ ଜଣାଇଛୁ ବୋଲି ସେ କହିଛନ୍ତି । ଉତ୍ତର କୋରିଆକୁ ତେଲ ଯୋଗାଣ ବନ୍ଦ କରିବା ଲାଗି ଆମେରିକା ଦେଉଥିବା ପ୍ରସ୍ତାବ ସହ ଚୀନ୍‌ ରାଜି ହେଉନାହିଁ । ଏହାଦ୍ୱାରା ଉତ୍ତର କୋରିଆର ଅର୍ଥନୀତି ଭୁଶୁଡ଼ି ପଡ଼ିବ ବୋଲି ଚୀନ୍‌ ମତ ଦେଉଛି । କିନ୍ତୁ ଜାତିସଂଘ ପକ୍ଷରୁ ଲଗାଯାଇଥିବା କଟକଣାକୁ କାର୍ଯ୍ୟକାରୀ କରିବାକୁ ଚୀନ୍‌ ରାଜି ଅଛି ।

ଜାତିସଂଘ ନିରାପତ୍ତା ପରିଷଦର ସଂକଳ୍ପ ଉଲ୍ଲଂଘନ କରୁଥିବା କାର୍ଯ୍ୟରେ ନିୟୋଜିତ ହେବାକୁ ଆମେ ଆମର ନାଗରିକ ଓ କମ୍ପାନି ଗୁଡ଼ିକୁ ଦେବୁନାହିଁ ବୋଲି ପ୍ରବକ୍ତା ଶ୍ରୀ ଗେଙ୍ଗ୍‌ କହିଛନ୍ତି । ତେବେ ଜାତିସଂଘର କଟକଣାକୁ ଏଡାଇ ଯେଉଁମାନେ ପୋଙ୍ଗୟାଙ୍ଗ୍‌କୁ ସହଯୋଗ କରୁଛନ୍ତି ସେମାନଙ୍କ ବିରୋଧରେ ଆମେ ନୂଆ ପଦକ୍ଷେପ ନେଇଛୁ ବୋଲି ଆମେରିକା କହିଛି । ଉତ୍ତର କୋରିଆର ସାମରିକ ବାହିନୀ ଓ ଅର୍ଥନୀତି ରୁଷିଆ ଓ ଚୀନ୍‌ର ତୈଳ ଓ କୋଇଲା ଆମଦାନୀ ଉପରେ ମାତ୍ରାଧିକଭାବେ ନିର୍ଭରଶୀଳ ରହିଆସିଛି । ତେଣୁ ଆମେରିକାର ଏହି ନୂଆ କଟକଣା ଉତ୍ତର କୋରିଆର ଅର୍ଥନୀତିକୁ ଆହୁରି ଦୁର୍ବଳ କରିଦେବ ବୋଲି ଆକଳନ କରାଯାଉଛି ।