ନିର୍ବାଚନ ବର୍ଷରେ ମାଲେମାଲ ରାଜନୈତିକ ଦଳ । ୨୦୧୮-୧୯ ଆର୍ଥିକ ବର୍ଷରେ ବଢିଲା ରାଜନୈତିକ ଦଳର ଆୟ, ଜାତୀୟ ଦଳ ଭାବେ ବିଜେପି, ଆଞ୍ଚଳିକ ଦଳ ଭାବେ ବିଜେଡି ଶୀର୍ଷରେ ।

494

କନକ ବ୍ୟୁରୋ : ଚଳିତବର୍ଷ ପୁଣି ବଢ଼ିଛି ରାଜନୈତିକ ଦଳ ଗୁଡ଼ିକର ଆୟ । ୨୦୧୮-୧୯, ନିର୍ବାଚନ ବର୍ଷ ଥିବାରୁ ପ୍ରମୁଖ ରାଜନୈତିକ ଦଳର ଆୟ ବଢ଼ିଛି । ଜାତୀୟ ଦଳରେ ବିଜେପି ସର୍ବାଧିକ ଟଙ୍କା ଦାନ ଆକାରରେ ପାଉଥିବା ବେଳେ ଆଞ୍ଚଳିକ ଦଳ ଭାବରେ ବିଜେଡି ଏହି ତାଲିକାର ଶୀର୍ଷରେ ରହିଛି । ବଡ଼ କଥା ହେଉଛି, ଏଥର ରାଜନୈତିକ ଦଳ ଗୁଡ଼ିକ ମିଳିଥିବା ଅର୍ଥର ସିଂହଭାଗ ଇଲେକଟୋରାଲ ବଣ୍ଡ ଆକାରରେ ମିଳିଛି ।

ନିର୍ବାଚନ କମିଶନଙ୍କ ନିକଟରେ ରାଜନୈତିକ ଦଳ ଦାଖଲ କରିଥିବା ବାର୍ଷିକ ରିପୋର୍ଟର ତଥ୍ୟ କହୁଛି, ୨୦୧୮-୨୦୧୯ ନିର୍ବାଚନ ବର୍ଷରେ ବଢ଼ିଛି ରାଜନୈତିକ ଦଳର ବାର୍ଷିକ ଆୟ । ଗତବର୍ଷ ତୁଳନାରେ ବିଜେପି, କଂଗ୍ରେସ ଏବଂ ବିଜେଡି ସମସ୍ତଙ୍କ ଆୟରେ ଅବିବୃଦ୍ଧି ଘଟିଛି ।

ସବୁଠୁ ଆଗରେ ରହିଛି ଭାରତୀୟ ଜନତା ପାର୍ଟି । ବିଜେପି ସର୍ବାଧିକ ୨୪୧୦.୦୮ କୋଟି ଟଙ୍କା ଦାନ ଆକାରରେ ପାଇଛି । ଏଥିରୁ ୧୪୫୦.୮୪ କୋଟି ଆର୍ଥତ୍ ୬୦% ଇଲେକ୍ଟୋରାଲ ବଣ୍ଡ ଜରିଆରେ ପାଇଛି । କଂଗ୍ରେସ ଦଳ ୨୦୧୮-୧୯ ଆର୍ଥିକ ବର୍ଷରେ ୯୧୮.୦୩ କୋଟି ଟଙ୍କା ଆୟ କରିଛି । ଏଥିରୁ ୩୮୩.୨୬ କୋଟି ଟଙ୍କା ଅର୍ଥାତ୍ ୪୧ ପ୍ରତିଶତ ଟଙ୍କା ଇଲେକଟୋରାଲ ବଣ୍ଡ ଜରିଆରେ ପାଇଛି ।

ଆଞ୍ଚଳିକ ଦଳ ଭାବେ ବିଜେଡି, ୨୦୧୮-୧୯ ଆର୍ଥିକ ବର୍ଷରେ ସର୍ବାଧିକ ଦାନ, ୨୪୯.୩୧ କୋଟି ଟଙ୍କା ପାଇଛି । ଆଞ୍ଚଳିକ ଦଳ ଭାବରେ ବିଜେଡି ସବୁଠୁ ଅଧିକ ୮୫% ଅର୍ଥ, ଇଲେକଟୋରାଲ୍ ବଣ୍ଡ ଜରିଆରେ ପାଇଛି । ଇଲେକଟୋରାଲ ବଣ୍ଡରେ ମିଳୁଥିବା ଅର୍ଥ କିଏ ଦେଉଛି, ତାହା ସାଧାରଣରେ ଜାଣିବା ସମ୍ଭବ ହେଉନଥିବା ବେଳେ ଚଳିତ ମାସ ସୁପ୍ରିମକୋର୍ଟ ଏ ସଂପର୍କରେ ବିଚାର କରିବାର ଅଛି ।