କନକ ବ୍ୟୁରୋ : ଆରବ ସାଗରରେ ଆଇଏନ୍ଏସ୍ ବିକ୍ରମାଦିତ୍ୟ ମୁତୟନ କଲା ଭାରତ । ଚୀନ ଏବଂ ପାକିସ୍ତାନ ମଧ୍ୟରେ ହେଉଥିବା ୯ ଦିନିଆ ବିଶାଳ ନୌସମରାଭ୍ୟାସ ସମୟରେ ନିଜର ଉପସ୍ଥିତିକୁ ଜାହିର କରିିଛି ଭାରତ । ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ହେଉଥିବା ଏହି ସମରାଭ୍ୟାସ ବେଳେ ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧବିମାନବାହୀ ଜାହାଜ ଆଇଏନ୍ଏସ୍ ବିକ୍ରମାଦିତ୍ୟକୁ ମୁତୟନ କରାଯାଇଛି । ନୌସମରାଭ୍ୟାସ ସମୟରେ ଯୁଦ୍ଧବାହୀ ବିମାନ ଆଇଏନ୍ଏସ୍ ବିକ୍ରମାଦିତ୍ୟର ମୁତୟନ ଏହିି ସୂଚନା ଦେଉଛି ଯେ ଚୀନ ଓ ପାକିସ୍ତାନର ଗତିବିଧି ଉପରେ ଭାରତର କଡ଼ା ନଜର ରହିଛି। କୌଣସି ବି ପରିସ୍ଥିତିରେ ଯେମିତି କେହି ଦେଶର ଜଳସୀମା ଭିତରକୁ ପଶି ନ ଆସନ୍ତୁ ସେ ନେଇ ଭାରତ ନିଜ ଆଡୁ ସତର୍କ ରହିଛି । ଏହି ଗୁରୁତ୍ବପୂର୍ଣ୍ଣ ମିସନରେ ଆଇଏନ୍ଏସ୍ ବିକ୍ରମାଦିତ୍ୟକୁ ପଠା ଯିବା ବେଳେ ନୌସେନା ମୁଖ୍ୟାଳୟର ଶୀର୍ଷସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଭାରତର ଦୁଇ ପଡ଼ୋଶୀ ପାକିସ୍ତାନ ଓ ଚୀନ ନିଜ ନିଜର ନୌସେନା ମଧ୍ୟରେ ଉତ୍ତମ ସଂଚାଳନ କ୍ଷମତା ଓ ରଣନୈତିକ ସହଯୋଗ ବୃଦ୍ଧି କରାଇବା ଉଦ୍ଦେଶ୍ୟରେ ସୋମବାର ଉତ୍ତର ଆରବ ସାଗରରେ ସମରାଭାସ୍ୟ ଆରମ୍ଭ କରିଛନ୍ତି। କଶ୍ମୀରକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ସଂପର୍କ ସ୍ବାଭାବିକ ନ ଥିବା ବେଳେ ‘ସି ଗାର୍ଡିୟାନ୍ସ’ ନାମିତ ଏହି ସମରାଭ୍ୟାସ ଭାରତ ଲାଗି ଗୁରୁତ୍ବ ବହନ କରୁଛି । ପାକିସ୍ତାନ ଓ ଚୀନର ସବ୍ମେରିନ୍, ଡେଷ୍ଟ୍ରୟର ଓ ଫ୍ରିଗେଟ୍ସ ଶ୍ରେଣୀୟ ଯୁଦ୍ଧ ଜାହାଜ ‘ସି ଗାର୍ଡିୟାନ୍ସ’ରେ ସାମିଲ ହୋଇଛନ୍ତି।