ନବୀନ ନିବାସ ଘେରାଉ ଉଦ୍ୟମ ପଣ୍ଡ । ଅଧା ବାଟରୁ ଉଠାଇ ନେଲା ପୋଲିସ

129

କନକ ବ୍ୟୁରୋ : ବିଭିନ୍ନ ଦାବି ନେଇ ଯୁବ କଂଗ୍ରେସ କର୍ମୀଙ୍କ ନବୀନ ନିବାସ ଘେରାଉ ଉଦ୍ୟମ ଫସର ଫାଟିଛି । ବାଇକ ରାଲି କରି ଯୁବ କଂଗ୍ରେସ କର୍ମୀ ଫରେଷ୍ଟ ପାର୍କ ନିକଟରେ ପହଂଚିଥିଲେ । ଭ୍ୟାନରେ ଆସିଥିଲେ ଆଉ କେତେକ ଯୁବ କଂଗ୍ରେସ କର୍ମୀ । ଅଣ ଓଡ଼ିଆ ଠିକାଦାରଙ୍କୁ କାମ ଦିଆଯାଉଥିବା ଅଭିଯୋଗ, ଛାତ୍ରଛାତ୍ରୀଙ୍କ ମେଧା ବୃତ୍ତି ହରିଲୁଟ, ଓଡିଆ ଯୁବକଙ୍କୁ ନିଯୁକ୍ତି ଦାବିରେ ରାଲି କରିବାକୁ ବାହାରିଥିଲା ଯୁବ କଂଗ୍ରେସ । ବ୍ୟାନର ଖୋଲି ନାରାବାଜି କରିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ଥିବା ପୋଲିସ କର୍ମଚାରୀ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲେ । ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା କମିସନରେଟ ପୋଲିସର ଏଭଳି ତ୍ୱରିତ୍ ପଦକ୍ଷେପ ।

ଯୁବ କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ଭଣ୍ଡରୁ ହେବା ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା ଆହୁରି ଆଶ୍ଚର୍ଯ୍ୟ କରିଛି । କହିଛନ୍ତି ନବୀନ ନିବାସ ଘେରାଉ ସଂପର୍କରେ ସେ ଜାଣିନାହାନ୍ତି । ଦଳରେ ଏବେ ଯୁବ ସଭାପତିଙ୍କୁ ନିଯୁକ୍ତି ଦିଆଯାଇ ନାହିଁ । ଆନ୍ଦୋଳନକାରୀମାନେ କିଏ? ପ୍ରଥମେ ଯାଂଚ କରିବାକୁ ଦିଅ । ସେପଟେ ଆନ୍ଦୋଳନକୁ ନେଇ ଭିନ୍ନ କଥା କହୁଛନ୍ତି ଯୁବ କଂଗ୍ରେସର ସାଧାରଣ ସଂପାଦକ ।

କଂଗ୍ରେସ ଅନ୍ଦର ମହଲରୁ ମିଳିଥିବା ସୂଚନା ଅନୁସାରେ ଯୁବ କଂଗ୍ରେସର ଆନ୍ଦୋଳନ ପାଇଁ ପିସିସି ସଭାପତିଙ୍କ ସମ୍ମତି ନଥିଲା । ତଥାପି ଯୁବ କଂଗ୍ରେସର ଗୋଟିଏ ଗୋଷ୍ଠୀ ଶୀର୍ଷ ନେତାଙ୍କ ଅନୁମତି ବିନା ଏଭଳି ଆନ୍ଦୋଳନକୁ ଓହ୍ଳାଇଥିଲେ ।