ବିଶ୍ୱକପରେ ବଡ ବିପର୍ଯ୍ୟୟ: ଦକ୍ଷିଣ ଆଫ୍ରିକାକୁ ୨୧ ରନରେ ହରାଇଲା ବାଂଲାଦେଶ; ଆଜି ଶକ୍ତିଶାଳୀ ଇଂଲଣ୍ଡକୁ ଭେଟିବ ପାକିସ୍ତାନ

120

କନକ ବ୍ୟୁରୋ: ବିଶ୍ୱକପ୍ କ୍ରିକେଟରେ ପ୍ରଥମ ସପ୍ତାହରେ ବଡ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି । ଦକ୍ଷିଣ ଆଫ୍ରିକାକୁ ଲାଗିଛି ବାଂଲାଦେଶ ଝଟକା । ନିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୧ ରନରେ ପରାସ୍ତ କରି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ବାଂଲାଟିମ୍ । ସେପଟେ ଆଜି ବିଶ୍ୱକପରେ ଖେଳାଯିବ ଗୋଟିଏ ମ୍ୟାଚ୍ । ଆୟୋଜକ ଇଂଲଣ୍ଡକୁ ଭେଟିବ ପାକିସ୍ତାନ ।

ସୁପରସଣ୍ଡେରେ ଦେଖିବାକୁ ମିଳିଥିଲା ସୁପରଟକ୍କର । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୫୦ ଓଭରରେ ୬ ୱିକେଟ ହରାଇ ୩୩୦ ରନ କରିଥିଲା । ସାକିବଲ ହାସନ ୭୫ , ମୁସଫିକର ୭୮ ଓ ମେହମୁଦୁଲା ଅପରାଜିତ ୪୬ ରନ୍ ସ୍କୋର କରିଥିଲେ । ବିଶ୍ୱକପରେ ଏହା ହେଉଛି ବାଂଲାଦେଶର ସର୍ବାଧିକ ସ୍କୋର । ବାଂଲା ଟିମର ପେସ୍ ଓ ସ୍ପିନ୍ ଆଟାକ ଆଗରେ ଏହି ବଡ ସ୍କୋରକୁ ଅତିକ୍ରମ କରିବା ଦକ୍ଷିଣ ଆଫ୍ରିକା ପାଇଁ କଷ୍ଟକର ହୋଇପଡିଥିଲା । ଦୁଇ ଓପନର ଡିକକ୍ ଓ ମକ୍ରମ ୨୩ ଓ ୪୫ ରନ୍ କରି ଆଉଟ୍ ହେବା ପରେ କ୍ୟାପଟେନ୍ ଡୁପ୍ଲେସିସ୍ ୬୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଏହା ପରେ ୫୦ ଓଭରରେ ଦଳ ୮ ୱିକେଟ ହରାଇ କେବଳ ୩୦୯ ରନ୍ କରିପାରିଥିଲା । ମୁସ୍ତାଫିଜୁର ୩ଟି , ସାକିବଲ୍ ଗୋଟିଏ ଓ ସୈଫୁଦିନ୍ ୨ଟି ୱିକେଟ ନେଇ ଦଳକୁ ବିଶ୍ୱକପରେ ପ୍ରଥମ ବିଜୟ ଦେଇଥିଲେ ।

ସେପଟେ ଆଜି ବିଶ୍ୱକପରେ ଖେଳାଯିବ ଗୋଟିଏ ମ୍ୟାଚ୍ । ଶକ୍ତିଶାଳୀ ଇଂଲଣ୍ଡକୁ ଭେଟିବ ପାକିସ୍ତାନ । ଉଭୟ ଟିମ୍ ବର୍ତମାନ ସୁଦ୍ଧା ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି । ପ୍ରଥମ ମ୍ୟାଚରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ବେଳେ , ପାକିସ୍ତାନ ନିଜର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ଠାରୁ ପରାସ୍ତ ହୋଇଛି । ତେଣୁ ଆଜିର ମ୍ୟାଚରେ ଇଂଲଣ୍ଡ ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ରହିବ । ସେପଟେ ସରଫରାଜଙ୍କ ଟିମ୍ ର ଉଦ୍ୟମ ରହିବ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିବା । ଘରୋଇ ଗ୍ରାଉଣ୍ଡ, ଭଲ ବୋଲିଂ ସହ ମଜବୁତ୍ ବ୍ୟାଟିଂ ଲାଇନକୁ ନେଇ ଶକ୍ତିଶାଳୀ ଇଂଲଣ୍ଡ ଟିମକୁ ହରାଇବା ପାକିସ୍ତାନ ଟିମ୍ ପାଇଁ କଷ୍ଟକର ହୋଇପାରେ । କାରଣ ଇଣ୍ଡିଜ ବିପକ୍ଷରେ ଦଳର ଦୁର୍ବଳ ବ୍ୟାଟିଂ ପଦାରେ ପଡିଛି । ଯାହା କି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଦଳ ପାଇଁ ଚିନ୍ତା ବଢାଇବ ନିଶ୍ଚୟ ।