ଆଜି ସାବିତ୍ରୀ ଅମାବସ୍ୟା। ସ୍ୱାମୀଙ୍କ ମଙ୍ଗଳ କାମନା କରି ବ୍ରତ ରଖିବେ ସଧବା ନାରୀ

1,047

କନକ ବ୍ୟୁରୋ: ଆଜି ସାବିତ୍ରୀ ଅମାବସ୍ୟା । ଓଡିଆ ଘରର ଏହି ପର୍ବ ଟିକୁ ସାଧାରଣରେ ସଧବା ମାନେ ହିଁ ପାଳନ କରିଥାନ୍ତି । ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଏହି ବ୍ରତରେ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି । ସ୍ୱାମୀ ହିଁ ସ୍ତ୍ରୀର ସର୍ବସ୍ୱ ।

କିମ୍ବଦନ୍ତୀ ଅନୁସାରେ, ସତ୍ୟବାନ ଅଳ୍ପାୟୁ ଥିଲେ ବି ମୃତ୍ୟୁକୁ ଜୟ କରିଥିଲେ । ଏହା ସମ୍ଭବ ହୋଇଥିଲା ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ପାଇଁ । ଜଣେ ଶ୍ରେଷ୍ଠ କନ୍ୟା ହେଲେ ସାବିତ୍ରୀ । ସେ ଥିଲେ ରାଜକନ୍ୟା । ସାବିତ୍ରୀ ଦେବୀଙ୍କୁ ପ୍ରାର୍ଥନା କରି ମାଦ୍ରଦେଶର ରାଜା ଅଶ୍ୱପତି ତାଙ୍କୁ କନ୍ୟା ରୂପେ ପାଇଥିଲେ । ସତ୍ୟବାନଙ୍କ ରୂପ ଓ ଗୁଣରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିବେ ବୋଲି ଇଚ୍ଛା କରିଥିଲେ । ବିବାହ ପରେ ସତ୍ୟବାନ ଗୋଟିଏ ବର୍ଷ ବଂଚିବେ ଜାଣି ମଧ୍ୟ ତାଙ୍କୁ ବିବାହ କରି ଜଙ୍ଗଲରେ ରହୁଥିଲେ । ଠିକ୍ ବର୍ଷକ ପରେ ସତ୍ୟବାନଙ୍କ ମୃତ୍ୟୁ ହୋଇଥିଲା ।

ମହାସତୀ ସାବିତ୍ରୀଙ୍କ ତପ ବଳରେ ସେ ପୁର୍ନଜନ୍ମ ପାଇଥିଲେ । ଯମରାଜଙ୍କୁ ନିଜର ଯୁକ୍ତି ବଳରେ ସନ୍ତୁଷ୍ଟ କରି ସାବିତ୍ରୀ ନିଜ ସ୍ୱାମୀଙ୍କୁ ଫେରିପାଇଥିଲେ । ଏନେଇ ରାଜ୍ୟର ବିଭିନ୍ନ ଦେବାଳୟ ଓ ଘରେ ଘରେ ସାବିତ୍ରୀ ବ୍ରତ ପାଇଁ ସଧବା ନାରୀମାନେ ସଜବାଜ ହେଉଛନ୍ତି । ଅନ୍ନ ଜଳ ସ୍ପର୍ଶ ନକରି ସେମାନେ ଏହି ବ୍ରତ ପାଳନ କରି ସ୍ୱାମୀଙ୍କୁ ପୂଜା କରିବାର ପରଂପରା ରହିଛି । ଏଥି ପାଇଁ ହିନ୍ଦୁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଛି ।

ତେବେ ସାବିତ୍ରୀର ଫଳ ବଜାରରେ ତାତି ଦେଖିବାକୁ ମିଳିଛି । ସାଧାରଣ ଦିନରେ ଫଳର ଦାମ ଯାହା ଥାଏ , ସାବିତ୍ରୀ ପାଇଁ ତାହା ତିନିଗୁଣ ହୋଇଯାଇଛି । ଆମ୍ୱ କେଜିର ଦାମ ୮୦ ରୁ ୧୦୦ ଟଙ୍କା, କଦଳୀ ଡର୍ଜନ ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଲିଚୁ କେଜିର ଦାମ୍ ଦେଢ ଶହ ଟଙ୍କାକୁ ଛୁଇଁଛି । ସେଓ କେଜି ଦାମ ୨୦୦ ଟପିଲାଣି । ଏପରି ସ୍ଥିତିରେ ପୂଜାରେ ବିଭିନ୍ନ ପ୍ରକାରର ଫଳ ପୂଜା କରିବାର ବିଧି ରହିଥିବାରୁ ଦର ଦେଖି ସତ୍ୟବାନମାନେ ଚିନ୍ତାରେ ପଡିଛନ୍ତି । ସେପଟେ ବେପାରୀଙ୍କ କହିବା କଥା ବର୍ଷକୁ ଥରେ ଏହି ପର୍ବ ଆସୁଥିବାରୁ ବେପାରରୁ ଯାହା ଦିପଇସା ହେବ । ତେଣୁ ସାବିତ୍ରୀରେ ଦର ଉଚ୍ଚା ରହିବ । ତେବେ ଫଳ ବଜାରର ଏହି ଉଚ୍ଚା ଦର ଅନେକ ମଧ୍ୟବିତ ଓ ଗରିବ ଲୋକଙ୍କ ପକେଟକୁ କିନ୍ତୁ ଖୁବ୍ ବାଧୁଛି ।