ରାଜଧାନୀରେ ନାରୀ ସୁରକ୍ଷା ଏମିତି : ରାସ୍ତାରେ ଦେଖିବାକୁ ମିଳୁନି ପିଙ୍କ୍ ଅଟୋ
କନକ ବ୍ୟୁରୋ : ନାରୀ ସୁରକ୍ଷାକୁ ନେଇ କମିସନରେଟ୍ ପୁଲିସ ପକ୍ଷରୁ ୫ ବର୍ଷ ତଳେ ଆରମ୍ଭ ହୋଇଥିବା ଗୋଟିଏ ପରେ ଗୋଟିଏ ଯୋଜନା ଏବେ ବନ୍ଦ ହୋଇଗଲାଣି। ରାସ୍ତାରେ ଆଉ ଦେଖିବାକୁ ମିଳୁନାହିଁ ପିଙ୍କ ଅଟୋ, ସେଲଫ୍ ଡିଫେନ୍ସ ଟ୍ରେନିଂ ମଧ୍ୟ ଠପ୍, ପ୍ରିପେଡ୍ ଅଟୋ ସେବା କେଉଁଠି ମିଳୁଛି, କେହି ଜାଣି ନାହାନ୍ତି, ‘ମୋ ସାଥୀ ଆପ’ ଯେ ‘ସହାୟତା’ ଆପ୍ ସହ ମିଶିଗଲାଣି, ଅନେକେ ଜାଣିନାହାନ୍ତି, ଆଇ କ୍ଲିକ୍ କ’ଣ ବୋଲି ଅନେକ ଏବେ ପଚାରୁଛନ୍ତି। ନାରୀ ସୁରକ୍ଷାକୁ ଏଭଳି ଗୁରୁତ୍ବର ସହ ନେଇଛି କମିସନରେଟ ପୁଲିସ !
Kanak News is now on WhatsApp
Join and get latest news updates delivered to you via WhatsApp
ଦେଶରେ ପ୍ରତି ୨୦ ମିନିଟ୍ରେ ଜଣେ ମହିଳା କିମ୍ବା ଯୁବତୀ ଅସଦାଚରଣର ଶିକାର ହେଉଛନ୍ତି। ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି ହତ୍ୟା, ପୁରୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା; ଏବେ ସାରା ଦେଶ ଓ ରାଜ୍ୟରେ ଚର୍ଚା। ଏଭଳି ସମୟରେ କମିସନରେଟ୍ ପୁଲିସ ପକ୍ଷରୁ ନାରୀ ସୁରକ୍ଷା ନେଇ ଆରମ୍ଭ ହୋଇଥିବା ଯୋଜନା ବନ୍ଦ ହୋଇଯିବା ଘଟଣାକୁ ଅନେକ ନାପସନ୍ଦ କରିଛନ୍ତି।
ମହିଳାମାନଙ୍କ ପାଇଁ ପିଙ୍କ୍ ଅଟୋ ସେବା ମୁଖ୍ୟମନ୍ତ୍ରୀ ନିଜେ କମିସନରେଟ୍ ପୁଲିସ ବିଲଡିଂରେ ଉଦ୍ଘାଟନ କରିଥିଲେ। ପାଖାପାଖି ୩ଶହ ପିଙ୍କ-ଅଟୋ ଚାଳକ ପିଙ୍କ ଅଟୋ ସେବାରେ ପଞ୍ଜୀକୃତ ହୋଇଥିଲେ। ଏହି ଅଟୋରେ ମହିଳା ଓ ଯୁବତୀମାନଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ଛାଡ଼ିବା ମୂଳ ଲକ୍ଷ୍ୟ ଥିଲା। ଏଥିପାଇଁ ଅଟୋ ଚାଳକମାନଙ୍କୁ ତାଲିମ ପ୍ରଦାନ କରାଯିବା ସହିତ ସେମାନଙ୍କ ଚରିତ୍ର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଥିଲା। ସେମାନଙ୍କ ଠିକଣା, ମୋବାଇଲ ନମ୍ବର, କେଉଁ ଷ୍ଟାଣ୍ଡର ଅଟୋ ଚାଳକ ଆଦି ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ପୁଲିସ ନିକଟରେ ରହୁଥିଲା। ବଡ଼ କଥା ହେଉଛି, ଏହି ଅଟୋରେ ପୁଲିସ କଣ୍ଟ୍ରୋଲ ରୁମର ଡାଏଲ-୧୦୦ ନମ୍ବର ଓ କ୍ୟୁଏଟିର ମୋବାଇଲ ନମ୍ବର ଥିଲା। କୌଣସି ଯୁବତୀ ବା ମହିଳା ସମସ୍ୟାରେ ପଡ଼ିଲେ, ଏହି ନମ୍ବର ଯୋଗାଯୋଗ କରିପାରୁଥିଲେ। କିନ୍ତୁ ଏବେ ଆଉ ରାଜଧାନୀରେ ପିଙ୍କ୍ ଅଟୋ ଆଉ ଦେଖିବାକୁ ମିଳୁନାହିଁ। ସେହିପରି ପ୍ରି-ପେଡ୍ ଅଟୋ ବ୍ୟବସ୍ଥା କଥା ନ କହିଲେ ଭଲ। ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର, ଜୟଦେବ ବିହାର, ବରମୁଣ୍ଡା ଓ କିଟ୍ ଛକରେ ଆରମ୍ଭ ହୋଇଥିବା ଏକ ପ୍ରି-ପେଡ୍ ଅଟୋସେବା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଯାତ୍ରୀମାନେ ବିଶେଷକରି ମହିଳା ଯାତ୍ରୀମାନେ ଷ୍ଟେସନ୍ ଓ ବସଷ୍ଟାଣ୍ଡରୁ ଏହି ପ୍ରି-ପେଡ୍ ଅଟୋ ବୁକ୍ କରି ଗନ୍ତବ୍ୟସ୍ଥଳକୁ ଯାଇ ପାରୁଥିଲେ। ଅଟୋ ଚାଳକମାନଙ୍କୁ ବି କମିସନରେଟ ପୁଲିସରେ ପଞ୍ଜୀକୃତ କରାଯାଉଥିଲା। ପିଙ୍କ ଅଟୋ ଚାଳକମାନଙ୍କ ଭଳି ଏମାନଙ୍କ ସମସ୍ତ ତଥ୍ୟ ମଧ୍ୟ ପୁଲିସ ନିକଟରେ ରହୁଥିଲା। ସେହିପରି ସ୍କୁଲ, କଲେଜ ଛାତ୍ରୀମାନଙ୍କୁ ସେଲଫ୍ ଡିଫେନ୍ସ ତାଲିମ୍ ଦିଆଯାଉଥିଲା। ସେମାନେ ଅସଦାଚରଣ ବା ଇଭ୍-ଟିଜିଂ ସମୟରେ ନିଜକୁ ଆତ୍ମରକ୍ଷା କରି ଖସି ଆସି ପାରୁଥିଲେ। ଏଭଳି ଘଟଣା ମଧ୍ୟ ସେତେବେଳେ ଲକ୍ଷ୍ୟ କରାଯାଇଥିଲା।
ହାଇଦ୍ରାବାଦ ଘଟଣା ପରେ ମହିଳାମାନଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୁଲିସ୍ ପକ୍ଷରୁ ଏଭଳି ହିତକାରୀ ଯୋଜନା ସବୁକୁ ବନ୍ଦ କରିବା ଘଟଣାକୁ ନେଇ ବଦ୍ରିନାଥ ବିଶ୍ବାଳ ନାମକ ବ୍ୟକ୍ତି ଗତକାଲି ଟୁଇଟରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପ୍ରଶ୍ନ କରିଥିଲେ। ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ ତାଙ୍କ ଉତ୍ତରରେ କହିଥିଲେ, କୌଣସି ମହିଳା କିମ୍ବା ଯୁବତୀ ସମସ୍ୟାରେ ପଡ଼ିଲେ ପୁଲିସ କେଣ୍ଟ୍ରୋଲ ରୁମର ଡାଏଲ-୧୦୦କୁ ଫୋନ୍ କଲ କରି ପାରିବେ। ସେହିପରି ଯିଏ ପାରିବ ନିଜ ସ୍ମାର୍ଟଫୋନରେ ‘ସହାୟତା’ ମୋବାଇଲ୍ ଆପ୍ ଡାଉନଲୋଡ୍ କରିପାରିବେ।