ଦିନ ଗଡୁଛି ଚାଷୀଙ୍କ ସମସ୍ୟା ବଢୁଛି , ମଣ୍ଡିରୁ ଉଠୁନି ଧାନ । କଳାହାଣ୍ଡିରେ ମଜୁରୀ ବୃଦ୍ଧି ଦାବିରେ ଧାନ ମଣ୍ଡିରେ ଶ୍ରମିକଙ୍କ ଆନ୍ଦୋଳନ : ୩ ବ୍ଲକରେ ପଡି ରହିଛି ୫୦ ହଜାର କୁଇଂଟାଲ ଧାନ

208

କନକ ବ୍ୟୁରୋ : ମଜୁରି ବୃଦ୍ଧି ଦାବିରେ ଧାନମଣ୍ଡିରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । କଳାହାଣ୍ଡି ଜିଲ୍ଲାର ଜୟପାଟଣା ଓ କୋକସରା ବ୍ଲକରେ ଦେଖିବାକୁ ମିଳିଛି ଏପରି ଚିତ୍ର । କଲମପୁର ବ୍ଲକରେ ବି ମଜୁରୀ ବୃଦ୍ଧି ଦାବିରେ ଶ୍ରମିକ ମାନେ କରିଛନ୍ତି କାମ ବନ୍ଦ ଆନ୍ଦୋଳନ । ଫଳରେ ମଣ୍ଡରେ ଧାନ ଉଠାଇବା କାମ ଠପ୍ ହୋଇ ପଡି ରହିଛି । ଶ୍ରମିକଙ୍କ ଦାବି ଅନୁସାରେ କୁଇଂଟାଲ ପିଛା ଧାନ ପାଇଁ ଶ୍ରମିକଙ୍କୁ ୧୦ ଟଙ୍କା ମଜୁରୀ ମିଳୁଥିଲା ।

ଏବେ ଏହାକୁ ୮ ଟଂକା ୪୭ ପଇସାକୁ ହ୍ରାସ କରିଦିଆଯିବାକୁ ନେଇ ତେଜିଛି ଅସନ୍ତୋଷ । ଫଳରେ ବୁଧବାର ଠାରୁ ମଣ୍ଡିରୁ ଧାନ ଉଠାଇବା କାମ ଠପ୍ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ୩ଟି ବ୍ଲକରେ ପ୍ରାୟ ୫୦ ହଜାରରୁ ଅଧିକ କୁଇଂଟାଲ ଧାନ ମଣ୍ଡିରେ ଏବେ ତିନିଦିନରୁ ଅଧିକ ସମୟ ଧରି ପଡି ରହିଛି । ଜିଲ୍ଲା ପ୍ରଶାସନ ନିକଟରେ ଏନେଇ ଅଭିଯୋଗ କରା ଯାଇଥିଲେ ମଧ୍ୟ କିଛି ଫଳ ମିଳିନି । ସେପଟେ ତୁରନ୍ତ ଏହାର ସମାଧାନ ନବାହାରିଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।