ପଞ୍ଚାୟତ ନିର୍ବାଚନ ପାଇଁ କଟକଣା ଆଣିଲା ଅବକାରୀ ବିଭାଗ । ମତଦାନ ଦିନ ବନ୍ଦ ରହିବ ମଦ ବିକ୍ରି । 

180

କନକ ବ୍ୟୁରୋ: ରାଜ୍ୟରେ ଏବେ ଚାଲିଛି ପଞ୍ଚାୟତ ନିର୍ବାଚନ ଋତୁ । ପ୍ରାର୍ଥୀମାନେ ଏବେ ଜୋରସୋରରେ ନିଜ ପାଇଁ ପ୍ରଚାର ଅଭିଯାନ ଚଳାଇଛନ୍ତି । ଆସନ୍ତା ୧୬ ତାରିଖରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡିବାକୁ ଥିବାବେଳେ ଏହାପରେ ୧୮ ତାରିଖ, ୨୦ ତାରିଖ, ୨୨ ତାରିଖ ଓ ୨୪ ତାରିଖରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ପଡିବ । ତେବେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ପଡିବା ଦିନ ରାଜ୍ୟରେ ମଦ ବିକ୍ରି ଉପରେ କଟକଣା ଲଗାଇଛନ୍ତି ରାଜ୍ୟର ଅବକାରୀ ବିଭାଗ ।

ଅବକାରୀ ବିଭାଗ ପକ୍ଷରୁ ଏ ସମ୍ପର୍କିତ ଏକ ନିର୍ଦ୍ଦେଶନାମା ରାଜ୍ୟର ପ୍ରତି ଜିଲ୍ଲାପାଳଙ୍କୁ ପଠାଇ ଦିଆଯାଇଛି । ଏହିଚିଠିରେ ଉଲ୍ଲେଖ କରାଯାଇଛି ଯେ, ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ପଡିବା ଦିନକୁ ଡ୍ରାଏ ଡେ ଘୋଷଣା କରାଯାଉଛି । ଅର୍ଥାତ ଏହି ୫ ଦିନ ଭୋଟ୍ ପଡିବାକୁ ଥିବା ସ୍ଥାନରେ ମଦ ବିକ୍ରି ହୋଇପାରିବ ନାହିଁ । ଖାଲି ସେତିକି ନୁହେଁ, ଭୋଟ ପଡିବାର ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ଉପରେ କଟକଣା ଲଗାଯାଇଛି ।

ମିଳିଥିବା ସୂଚନା ମୁତାବକ, ଏହି ସମୟରେ କୌଣସି ମଦ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା କୌଣସି ସ୍ଥାନରେ ମଦ ବିକ୍ରି ହୋଇପାରିବ ନାହିଁ । ଷ୍ଟାର ହୋଟେଲମାନଙ୍କରେ ମଦ ବିକ୍ରି ପାଇଁ ଲାଇସେନ୍ସ ଥିଲେ  ମଧ୍ୟ ଏହି ଦିନମାନଙ୍କରେ ସେମାନେ କୌଣସି ପ୍ରକାର ମଦ ବିକ୍ରି କରିପାରିବେ ନାହିଁ ବୋଲି କୁହାଯାଇଛି ।