ସମୟ ବଦଳୁଛି, ହେଲେ ବଦଳୁନି ମାନସିକତା । ମହିଳା ଯାତ୍ରୀଙ୍କୁ ପ୍ରଥମେ ବସରେ ନଚଢାଇବା ପ୍ରସଙ୍ଗ ପରିବହନ କମିଶନରଙ୍କୁ ଚିଠି ଲେଖିଲେ ମହିଳା କମିଶନ

431

କନକ ବ୍ୟୁରୋ : ବସ୍ ଉପରକୁ ମହିଳା ପ୍ରଥମେ ଚଢ଼ିବାର ହୁଏତ ଆପଣ ଦେଖିନଥିବେ । ପ୍ରଥମେ କିଏ ଜଣେ ପୁରୁଷ ଚଢ଼ିବା ପରେ ହିଁ ମହିଳା ଯାତ୍ରୀମାନେ ବସକୁ ଉଠନ୍ତି । ଏମିତି କାହିଁକି ହୁଏ, ଯଦି ଏହାର ଉତର ଖୋଜିବେ, ଅନେକ ଅଦ୍ଭୁତ ଓ ଅନ୍ଧବିଶ୍ୱାସପୂର୍ଣ୍ଣ ଯୁକ୍ତି ସବୁ ପାଇବେ । କିଏ କୁହେ, ଅଶୁଭ ହୁଏ । ଆଉ କିଏ କୁହେ ଭଲ ବ୍ୟବସାୟ ହୁଏନି । ଏମିତି କି କିଏ କିଏ ଅଘଟଣର ବି ଆଶଙ୍କା କରନ୍ତି ।

ବର୍ଷ ବର୍ଷ ଧରି ରହି ଆସିଥିବା ଏହି ଅନ୍ଧବିଶ୍ୱାସକୁ କିନ୍ତୁ ସହଜରେ ଗ୍ରହଣ କରିନାହାଁନ୍ତି ରାଜ୍ୟ ମହିଳା ଆୟୋଗ । ଲିଙ୍ଗଗତ ବୈଷମ୍ୟତା ଓ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଚେତାଇ ଦେଇଛନ୍ତି ମହିଳା ଆୟୋଗ । କହିଛନ୍ତି- ସମସ୍ତ ଘରୋଇ ଓ ସରକାରୀ ବସରେ ମହିଳା ଯାତ୍ରୀଙ୍କୁ ପ୍ରଥମ ଯାତ୍ରୀ ଭାବେ ବସ୍ରେ ଚଢ଼ାଇବାକୁ ସୁଯୋଗ ଦିଆଯାଉ । ଏହା ମହିଳାଙ୍କ ଆତ୍ମସମ୍ମାନ ଓ ସୁରକ୍ଷାର ପ୍ରଶ୍ନ । ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ବସ୍ କିମ୍ବା ଗାଡ଼ି ଗୁଡ଼ିକରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବକୁ ଦେଖି, ମହିଳା କମିଶନଙ୍କ ନିକଟରେ ଫେରାଦ୍ ହୋଇଥିଲେ ସାମାଜିକକର୍ମୀ ଘାସିରାମ ପଣ୍ଡା । ଚିଠି ଲେଖି, ମହିଳାମାନେ ସାମ୍ନା କରୁଥିବା ସମସ୍ୟା ଗୁଡ଼ିକ ଜଣାଇବା ସହ ୩ଟି ପ୍ରମୁଖ ଦାବି ରଖିଥିଲେ । ସେ ଦାବି କରିଥିଲେ-ଲିଙ୍ଗଗତ ଭିନ୍ନତା ଯୋଗୁଁ ମହିଳାଙ୍କୁ ପ୍ରଥମେ ବସରେ ଚଢ଼ିବା ପାଇଁ ବାରଣ କରାନଯାଉ । ବସରେ ଭେଦଭାବ ବନ୍ଦ କରିବା ସହ ପ୍ରତି ବସରେ ଏକ ଟୋଲ-ଫ୍ରି ନମ୍ବର ଦିଆଯାଉ । ଯାହା ଫଳରେ ମହିଳାମାନେ କୌଣସି ଭେଦଭାବ ଲକ୍ଷ୍ୟ କଲେ ମହିଳା କମିଶନଙ୍କୁ ଜଣାଇପାରିବେ । ଯଦି କୌଣସି ବସ୍ ଚାଳକ କିମ୍ବା ବସ୍ କର୍ମଚାରୀ ଏହାର ଅବମାନନା କରନ୍ତି ଗାଡ଼ିର ପରମିଟକୁ ବାତିଲ କରାଯାଉ

ମହିଳାଙ୍କ ପ୍ରଥମେ ବସ୍ ଚଢ଼ିବା ଉପରେ ବସ୍ ମାଲିକ ସଂଘର କର୍ତୃପକ୍ଷଙ୍କ ଏହି ବୟାନ ହିଁ ସ୍ପଷ୍ଟ କରୁଛି ମହିଳାଙ୍କ ପ୍ରତି ସେମାନଙ୍କର ଆଭିମୁଖ୍ୟ କ’ଣ? ବୁଲେଇ ବାଙ୍କେଇ ସେହି କଥା କହୁଛନ୍ତି, ଯାହା ଅନ୍ଧବିଶ୍ୱାସ ଭାବେ ରହି ଆସିଛି । କିନ୍ତୁ ଏଣିକି ଆଉ ଚଳିବ ନାହିଁ । ମହିଳାଙ୍କ ପ୍ରତି ଭେଦଭାବ ଦେଖାଇଲେ, ଗାଡ଼ିର ପରମିଟ୍ ବାତିଲ ହେବାର ମଧ୍ୟ ଆଶଙ୍କା ରହିଛି ।