ମଙ୍ଗଳବାରର ସେହି କାଳ ଅପରାହ୍ନ… କୁଆଖାଇରେ ବଢୁଛି ସଳିଳ ସମାଧି

330

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀର ଧବଳହାର ଘାଟ ଏବେ ପାଲଟିଛି ଡେଥ ଜୋନ । ମଙ୍ଗଳବାର ସତେ ଯେମିତି ଏଠାରେ କାଳ ଜଗି ବସିଥିଲା । ଆଉ ଏହି କାଳ ଆଁରେ ପଡିଛନ୍ତି ବାଲିଅନ୍ତା ଅଟଳାରେ ଥିବା ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଂଟର ୪ ଜଣ ଛାତ୍ର । ଭୋଜି କରିବାକୁ ଯାଇ ପ୍ରାଣ ହରାଇଛନ୍ତି ଜାମସେଦପୁରର ଆରିୟନ ମିଶ୍ର, ନରସିଂହପୁରର କୁମାର ଅବିନାଶ,ବାଲେଶ୍ୱର ଖନ୍ତପଡାର ରୋହିତ ପରିଡା ଓ କଟକ କଲେଜ ଛକର ପ୍ରତୀକ ଦଳ ସାମନ୍ତ । ମଙ୍ଗଳବାରଦିନ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ବୁଧବାର ଆଉ ଦୁଇଜଣଙ୍କ ମୃତଦେହ ମିଳିଥିଲ।। ମୃତଦେହ କ୍ୟାପିଟାଲ ହସପିଟାଲ ଆସିବା ପରେ କାନ୍ଦବୋବାଳିରେ ଫାଟିପଡିଥିଲା ପରିବେଶ । ଭେଣ୍ଡିଆ ପୁଅକୁ ହରାଇ ଅଭିଭାବକ ହତବାକ ହୋଇପଡିଥିଲେ ।

ପ୍ରାଣ ହରାଇଥିବା ୪ଜଣ ଛାତ୍ରଙ୍କ ପୋଷ୍ଟମର୍ଟମ ବେଳେ କ୍ୟାପିଟାଲ ହସପିଟାଲରେ ଅଭିଭାବକ ଓ କଲେଜ ପ୍ରିନ୍ସପାଲଙ୍କ ମଧ୍ୟରେ କଥା କଟାକଟି ସହ ପାଟିତୁଣ୍ଡ ହୋଇଥିଲା । ପରିବାର ଲୋକେ କ୍ଷତିପୂରଣ ବାବଦରେ ୬୦ ଲକ୍ଷ ଲେଖାଁଏ ଦାବି କରିଛନ୍ତି । କିନ୍ତୁ କ୍ଷତିପୂରଣ ପାଇଁ କଲେଜ କର୍ତ୍ତୃପକ୍ଷ ସହମତି ଜଣାଇନାହାନ୍ତି । ଅଭିଭାବକ ଅଭିଯୋଗ କରିଛନ୍ତି. ପିଲା କୁଆଡେ ଯାଉଥିଲେ, କଣ କରୁଥିଲେ ସେ ନେଇ ରେଜିଷ୍ଟ୍ରାର ମେଂଟେନ ହେଉନଥିଲା । ପିଲାଙ୍କ ମୃତ୍ୟୁ ନେଇ ମଧ୍ୟ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି ।

ବାଲିଅନ୍ତାର କୁଆଖାଇ ନଦୀକୂଳ ଏବେ ଧିରେ ଧିରେ ଡେଥଜୋନ ପାଲଟିଲାଣି । ଗତ ୭ ମାସରେ ୧୦ରୁ ଅଧିକ ସଲିଳ ସମାଧି ହେଲାଣି । ନଦୀପଠାରେ ଜଙ୍ଗଲ ଥିବାରୁ ବାହାର ଲୋକ ଏଠାରେ ସବୁଦିନେ ବଣଭୋଜି କରୁଛନ୍ତି । ଆଉ ଗଭୀର ଗଣ୍ଡ ବିଷୟରେ ନ ଜାଣି ବିପଦରେ ପଡୁଛନ୍ତିା ଏଠାରେ ପ୍ରଶ୍ନ ଉଠୁଛି,
-କେବେ ହେବ ବ୍ଲାକସ୍ପଟ ଘୋଷଣା?
-ପ୍ରଶାସନ ପକ୍ଷରୁ କେବେ ଲଗାଯିବ ସତର୍କ ସୂଚନା?