ଭୁଲ ଥିଲା ବିମୁଦ୍ରୀକରଣ! ସେ ଥିଲେ ଏକୁଟିଆ ଜଜ ଯିଏ ସରକାରଙ୍କ ନିଷ୍ପତ୍ତି ଉପରେ ଉଠାଇଥିଲେ ପ୍ରଶ୍ନ ।

1,716

କନକ ବ୍ୟୁରୋ : ଦୁର୍ନୀତି ଓ କଳାଧନ ଉପରେ ରୋକ ଲଗାଇବା ପାଇଁ ୨୦୧୬ରେ ସାରା ଦେଶରେ ନୋଟବନ୍ଦୀ ବା ବିମୁଦ୍ରୀକରଣ କରାଯାଇଥିଲା । ସୁପ୍ରିମକୋର୍ଟ ଏହାକୁ ଠିକ୍ ଦର୍ଶାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ନିଷ୍ପତ୍ତି ଶୁଣାଇବା ସହ ମାମଲା ସହ ଜଡିତ ଅଲଗା ଅଲଗା ୫୮ଟି ଆବେଦନ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି ନୋଟବନ୍ଦୀ ନିଷ୍ପତ୍ତିରେ କୌଣସି ପ୍ରକାର ଭୁଲ ହୋଇନାହିଁ । ୫ ଜଜଙ୍କ ମିଳିତ ଖଣ୍ଡପୀଠ ବହୁମତରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ୪ ଜଣ ଜଜ ନୋଟବନ୍ଦୀ ସପକ୍ଷରେ ମତ ରଖିଥିବା ବେଳେ ଜଷ୍ଟିସ ବିଭି. ନାଗରତ୍ନା ନୋଟବନ୍ଦୀକୁ ଭୁଲ ଦର୍ଶାଇଥିଲେ । ସେ ଅନ୍ୟ ୪ ଜଣ ଜଜଙ୍କ ସହ ଅସହମତ ରହିଥିଲେ ।

ଏମିତି କହିଲେ ଜଷ୍ଟିସ ବିଭି. ନାଗରତ୍ନା
ସୁପ୍ରିମକୋର୍ଟର ୫ଜଣିଆ ଖଣ୍ଡପୀଠ ନୋଟବନ୍ଦୀକୁ ନେଇ ରାୟ ଶୁଣାଇଛନ୍ତି । ଏହି ବେଞ୍ଚର ଅଧ୍ୟକ୍ଷତା କରୁଥିଲେ ଜଷ୍ଟିସ ଏସଏ ନଜିର । ବେଞ୍ଚରେ ଏ ଏସ ବୋପନ୍ନା, ବି ରାମା ସୁବ୍ରମଣ୍ୟମ, ବିଆର ଗଭଇ ନୋଟବନ୍ଦୀଙ୍କୁ ସମର୍ଥନ କରିଛିଲେ । ତେବେ ଏମାନଙ୍କ ମଧ୍ୟରୁ ବିଭି ନାଗରତ୍ନାଙ୍କ ରାୟ ନୋଟବନ୍ଦୀ ବିରୋଧରେ ଯାଇଥିଲା । ତାଙ୍କର ମତ ଥିଲା ଯେ ନୋଟବନ୍ଦୀ ବା ବିମୁଦ୍ରାକରଣର ପ୍ରସ୍ତାବ ସରକାରଙ୍କ ତରଫରୁ ଆସିଥିଲା । ଆରବିଆଇଙ୍କୁ ଏନେଇ ରାୟ ମଗାଯାଇଥିଲା । ଆରବିଆଇର ଅଧିନିୟମର ଧାରା ୨୬(୨)କୁ ଦର୍ଶାଇ ସେ କହିଛନ୍ତି ରିଜର୍ଭ ବ୍ୟାଙ୍କର ରାୟକୁ କୌଣସି ପ୍ରକାରରେ ସୁପାରିଶ ଭାବେ ଗ୍ରହଣ କରାଯିବ ନାହିଁ । ନାଗରତ୍ନାଙ୍କ କହିବା କଥା ନୋଟବନ୍ଦୀ ଯଦି କରିବାର ଥିଲା ତେବେ ଏହାର ନିଷ୍ପତ୍ତି ଆରବିଆଇକୁ ନେବାର ଥିଲା । କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେବାର ନଥିଲା । ୨୦୧୬ରେ ଏଭଳି କରିବାର ନଥିଲା । ଯାହା ଆଇନତଃ ଭାବେ ଠିକ୍ କୁହାଯାଇନପାରେ ।

କିଏ ଏହି ଜଷ୍ଟିସ ବିଭି. ନାଗରତ୍ନା?
ଜଷ୍ଟିସ ବିଭି. ନାଗରତ୍ନା ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଇଏସ ଭେଙ୍କଟରାମାୟାଙ୍କ ଝିଅ । ତାଙ୍କ ଜନ୍ମ ୧୯୬୨ ଅକ୍ଟୋବର ୩୦ରେ ହୋଇଥିଲା । ୧୯୮୭ରେ ସେ ଓକିଲାତିରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପାଖାପାଖି ୨୦ବର୍ଷ ଓକିଲାତି କରିବା ପରେ ୨୦୦୮ରେ ସେ କର୍ଣ୍ଣାଟକ ହାଇକୋର୍ଟରେ ଅତିରିକ୍ତ ଜଜ୍ ଭାବେ କାମ ଆରମ୍ଭ କରିଥିଲେ । ଏହାର ଦୁଇ ବର୍ଷ ପରେ ସେ ସ୍ଥାୟୀ ଜଜ ଭାବେ ନିଯୁକ୍ତ ହୋଇଥିଲେ । ୨୦୨୧ରେ ତତକାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସୁପ୍ରିମକୋର୍ଟର ଜଜ ଭାବେ ନିଯୁକ୍ତ କରିଥିଲେ ।

୨୦୨୭ରେ ହୋଇପାରନ୍ତି ପ୍ରଥମ ମହିଳା ମୁଖ୍ୟ ବିଚାରପତି
ସୁପ୍ରିମକୋର୍ଟର ଜଷ୍ଟିସ ବିଭି. ନାଗରତ୍ନା ଆଗାମୀ ସମୟରେ ଦେଶର ପ୍ରଧାନ ବିଚାରପତି ହୋଇପାରନ୍ତି । ବରିଷ୍ଠତା ଆଧାରରେ ଯଦି ଦେଖାଯାଏ ତେବେ ୨୦୨୭ରେ ତାଙ୍କୁ ଏହି ସଯୋଗ ମଳିପାରେ । ତାଙ୍କ ପୂର୍ବରୁ ତାଙ୍କ ବାପା ଇଏସ ଭେଙ୍କଟରାମାୟା ମଧ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିଥିଲେ । ତେଣୁ ଏସବୁ ଭିତରେ ଆଶା ରହିଛି ଯେ ସେ ୨୦୨୭ରେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି ।