ରାଜ୍ୟରେ କିଏ ଗଢ଼ିବ ସରକାର? ଏଗଜିଟ୍ ପୋଲ୍ ଆକଳନ ପରେ ବିଜେପି ଶିବିରରେ ଉତ୍ସାହ, ବିଜେଡିର ଦାବି, ରାଜ୍ୟରେ ବଡ଼ ବିଜୟ ହାସଲ କରିବ ଦଳ

662

କନକ ବ୍ୟୁରୋ: ୨୦୨୪ ସିହାଂସନରେ ବସିବ କିଏ । କାହା ହାତରେ ରହିବ ରାଜ୍ୟ ଶାସନ ଭାର । ଆସନ୍ତା ୪ ତାରିଖରେ ଇଭିଏମ୍ ଖୋଲିବା ପରେ, ତାହା ସ୍ପଷ୍ଟ ହୋଇଯିବ । ତେବେ ଫଳାଫଳ ଆସିବା ଆଗରୁ ଜାତୀୟ ଗଣମାଧ୍ୟମ ଓ ବିଭିନ୍ନ ସର୍ଭେ ସଂସ୍ଥାର ପୂର୍ବାନୁମାନ, ବିଜେପି ଶିବିରରେ ଉତ୍ସାହ ଭରିଛି । ସେପଟେ ବିଜେଡିର ବଡ ଦାବି, ବହୁମତ ସହ ସରକାର ଗଠନ କରିବ ଦଳ, ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ରଚିବେ ନବୀନ ପଟ୍ଟନାୟକ ।

ପ୍ରଚାର ମୈଦାନରେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର, ରାଜ୍ୟ ରାଜନୀତିକୁ ଯେମିତି ସରଗରମ କରିଥିଲା । ନିର୍ବାଚନ ପରେ ବୁଥ ବାହୁଡ଼ା ମତ ସେମିତି ରାଜନୈତିକ ଉଷ୍ମତା ବଢ଼ାଇ ଦେଇଛି ।

ଓଡିଶାର ଲୋକସଭା ଆସନରେ ଆଶ୍ଚର୍ଯ୍ୟଜନକ ଫଳାଫଳ ହେବ ବୋଲି ଦେଶର ଅଧିକାଂଶ ଜାତୀୟ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ପୂର୍ବାନୁମାନ କରିଛନ୍ତି । ଏଗଜିଟ୍ ପୋଲ୍ର ଆକଳନ ଅନୁସାରେ, ଲୋକସଭା ନିର୍ବାଚନରେ ବିଜେଡି ଠାରୁ ଆଗରେ ରହିବ ବିଜେପି । ୨୧ ଆସନ ମଧ୍ୟରୁ ବିଜେପି ୧୨ରୁ ଅଧିକ ଆସନ ଜିତିପାରେ ଏବଂ ବିଜେଡି ଦୁଇ ଅଙ୍କ ଛୁଇଁନପାରେ ବୋଲି ଆକଳନ କରାଯାଇଛି ।

ଏପରି ପୂର୍ବାନୁମାନ ପରେ ଉତ୍ସାହିତ ହୋଇଯାଇଛି ବିଜେପି ଶିବିର । ୪ ତାରିଖରେ ସବୁ ଆଲୋଚନାର ଅନ୍ତ ଘଟିବ ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।
ଗୋଟିଏ ପଟେ ବୁଥ ବାହୁଡ଼ା ମତକୁ ନେଇ ବିଜେପି କ୍ୟାମ୍ପରେ ଖୁସି ଖେଳିଯାଇଥିବା ବେଳେ ଅନ୍ୟପଟେ ଏହାକୁ ଖଣ୍ଡନ କରିଛି ବିଜେଡି । ତେବେ ଫଳାଫଳ ନେଇ ବିଜେଡି ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ କହୁଛି
ବିଜେଡିକୁ ମିଳିପାରେ ୧୧୭ ବିଧାନସଭା ଆସନ
୧୧ ଲୋକସଭାରେ ଜିତିବ ଦଳ

ବିଜେଡି ବିଧାୟକ ପଦ୍ମନାଭ ବେହେରାଙ୍କ ଯୁକ୍ତି ହେଉଛି ଗତ ନିର୍ବାଚନଗୁଡିକରେ ଏଗ୍ଜିଟ୍ ପୋଲ୍ ଫେଲ ମାରିଛି । ଜୁନ ୪ ତାରିଖରେ ସବୁକିଛି ସ୍ପଷ୍ଟ ହୋଇଯିବ । ଏପଟେ ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିବ ବୋଲି ଏଗଜିଟ୍ ପୋଲ ଆକଳନ କରିବା ପରେ ଏହାକୁ ଗ୍ରହଣ କରିନାହିଁ କଂଗ୍ରେସ । ହେଲେ ଦଳର ୯ରୁ ୯୦ ମିସନ୍ ସଫଳ ହେବନାହିଁ ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି । କୋରାପୁଟ ସମେତ ୪ରୁ ୫ ଲୋକସଭା ଆସନ ଦଖଲ କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ତାରା ।

ରାଜ୍ୟରେ କିଏ ସରକାର ଗଢ଼ିବ, ଲୋକସଭାରେ କାହାକୁ ଅଧିକ ଆସନ ମିଳିବ, ଏହାକୁ ନେଇ ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି । ଦିନକ ପରେ ଭୋଟ ଗଣତି, ଏହାପରେ ଜଣା ପଡିଯିବ କାହା ଉପରେ ଭରସା ଦେଖାଇଛନ୍ତି ଓଡ଼ିଶାବାସୀ ।