ଦକ୍ଷିଣରେ ଏଥର ମୋଦୀ ଲହର! ତାମିଲନାଡୁ, କେରଳରେ ଖାତା ଖୋଲିବ ବିଜେପି!

400

କନକ ବ୍ୟୁରୋ: ଜୁନ୍ ୧ରେ ସାଧାରଣ ନିର୍ବାଚନ ଶେଷ ହେବା ସହ ସାମ୍ନାକୁ ଆସିଛି ଏଗଜିଟ୍ ପୋଲ । ଅଧିକାଂଶ ଏଗଜିଟ୍ ପୋଲରେ ବିଜେପି ସରକାର ଗଠନ ନେଇ ଦାବି କରୁଛନ୍ତି । ତେବେ ବିଜେପି ପାଇଁ ସବୁଠୁ ବଡ଼ ସରପ୍ରାଇଜ୍ ହେଉଛି ଦକ୍ଷିଣ ଭାରତ । ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ର ଭଳି ରାଜ୍ୟରେ ଏଥର ବିଜେପିର ସିଟ୍ ସଂଖ୍ୟା ବଢ଼ୁଥିବା ନେଇ ଏଗଜିଟ୍ ପୋଲରେ ଆକଳନ କରାଯାଇଛି । ସେହିପରି ପୂର୍ବ ଭାରତ ଯଥା ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଗତଥର ଅପେକ୍ଷା ଏଥର ବିଜେପିର ଆସନ ବଢ଼ୁଛି ।

ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପୂର୍ବରୁ ଏଗଜିଟ୍ ପୋଲରେ ପୁଣିଥରେ ବିଜେପି ସରକାର ଗଠନ କରିବା ସଂକେତ ମିଳିଛି । ତେବେ ଏଗଜିଟ୍ ପୋଲରେ ଦକ୍ଷିଣରେ ବିଜେପିର ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଶେଷକରି ତାମିଲନାଡୁ ଓ କେରଳରେ ଏଥର ବିଜେପି ଖାତା ଖୋଲିବାକୁ ଯାଉଛି ।

କ’ଣ କହୁଛି ଏଗଜିଟ୍ ପୋଲ?
– ତାମିଲନାଡୁରେ ବିଜେପି ଜିତିପାରେ ୧ରୁ ୩ ଆସନ
– ୨୦୧୯ରେ ତାମିଲନାଡୁରେ ବିଜେପିର ୩.୬୬% ଭୋଟ୍ ଥିଲା
– ୨୦୨୪ରେ ବଢ଼ିପାରେ ୧୭%କୁ ବଢ଼ିପାରେ
– କେରଳରେ ଜିତିପାରେ ୧ରୁ ୩ ଆସନ
– ୨୦୧୯ରେ କେରଳରେ ବିଜେପିର ଭୋଟ୍ ହାର ୧୨.୯୩% ଥିଲା
– ୨୦୨୪ରେ ଏହ ୧୬%କୁ ବୃଦ୍ଧି ପାଇବା ନେଇ ଆକଳନ
– ଆନ୍ଧ୍ରପ୍ରଦେଶରେ ବିଜେପି ୪ରୁ ୬ ଆସନ ପାଇପାରେ
– ତେଲେଙ୍ଗାନାରେ ୭ରୁ ୧୦ ଆସନ ଜିତିପାରେ ବିଜେପି
– କର୍ଣ୍ଣାଟକରେ ୧୮ରୁ ୨୪ ଆସନ ହାତେଇପାରେ ବିଜେପି

୨୦୧୯ ନିର୍ବାଚନରେ କେବଳ କର୍ଣ୍ଣାଟକକୁ ଛାଡ଼ିଦେଲେ ବାକି ଦକ୍ଷିଣ ଭାରତ ରାଜ୍ୟ ଗୁଡ଼ିକରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ବିଶେଷକରି କେରଳ ଓ ତାମିଲନାଡୁରେ ଖାତା ଖୋଲିପାରିନଥିଲା ଦଳ । କିନ୍ତୁ ୨୦୨୪ ନିର୍ବାଚନ ପାଇଁ ଦକ୍ଷିଣକୁ ଅଧିକ ଫୋକସ କରିଥିଲା ବିଜେପି । ଆଉ ତାମିଲନାଡୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘନଘନ ପ୍ରଚାର ବିଜେପିକୁ ବଳ ଦେବାରେ ତୁଳାଇଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ।

ଏପଟେ ପୂର୍ବ ଭାରତରେ ମଧ୍ୟ ମୋଦୀ ଲହର ଦେଖିବାକୁ ମିଳିଛି । ଏଗଜିଟ୍ ପୋଲ୍ ଅନୁସାରେ, ଏଥର ବେଙ୍ଗଲରେ ପୂର୍ବଥର ଅପେକ୍ଷା ଅଧିକ ସିଟ୍ ହାତେଇବ ବିଜେପି । କେବଳ ସିଟ୍ ନୁହେଁ, ଭୋଟ୍ ପ୍ରତିଶତ ମଧ୍ୟ ବଢ଼ିବା ସଂକେତ ମିଳିଛି । ଏଗଜିଟ୍ ପୋଲ୍ କହୁଛି, ପଶ୍ଚିମବଙ୍ଗରେ ମୋଟ ୪୨ ଆସନରୁ ବିଜେପି ୨୧ରୁ ୨୪ ଆସନ ଜିତିପାରେ । ଏହାସହ ଭୋଟ୍ ହାର ୪୩ ପ୍ରତିଶତକୁ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି । ସେହିପରି ଓଡ଼ିଶାରେ ମଧ୍ୟ ୨୦୧୯ ତୁଳନାରେ ବିଜେପିକୁ ଅଧିକ ଆସନ ମିଳିବା ନେଇ ଏଗଜିଟ୍ ପୋଲ୍ ଆଳକନ କରିଛି ।
ଓଡ଼ିଶା ଲୋକସଭା
୨୦୧୯ରେ ବିଜେପିକୁ ମିଳିଥିଲା ୮ ଆସନ
୨୦୨୪ରେ ୧୫ରୁ ୧୯ ଆସନ ଜିତିବା ଅନୁମାନ
କେବଳ ପଶ୍ଚିମବଙ୍ଗ, ଓଡ଼ିଶା ନୁହେଁ, ଅନ୍ୟ ପୂର୍ବ ରାଜ୍ୟ ଗୁଡ଼ିକରେ ମଧ୍ୟ ବିଜେପିର ସିଟ୍ ସଂଖ୍ୟା ବୃଦ୍ଧି ନେଇ ଆକଳନ କରିଛି ଏଗଜିଟ୍ ପୋଲ । ତେବେ ବାସ୍ତବରେ ବିଜେପି କେତେ ଆସୁଛି, ତାହା ଜୁନ୍ ୪ରେ ସ୍ପଷ୍ଟ ହୋଇଯିବ ।