ଶ୍ରୀମନ୍ଦିର ପରିକ୍ରମା ପାଇଁ ରାଜ୍ୟରେ ବୁଲୁଛି ଅର୍ପଣ ରଥ । ପରିକ୍ରମାରେ ମହାନଗର ନିଗମର ୱାର୍ଡ ପିଛା ଖର୍ଚ୍ଚ ହେଉଛି ୫ ଲକ୍ଷ ଟଙ୍କା ।

323

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ବୁଲୁଛି ଅର୍ପଣ ରଥ । ସାରା ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ଠାରୁ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଗୁଆ ଚାଉଳ ସଂଗ୍ରହ କରାଯାଉଛି । ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଅର୍ପଣ ରଥ ବୁଲିବା ଖର୍ଚ୍ଚ କେତେ, ତାହା ଗୃହ ଓ ନଗର ଉନ୍ନୟନ ବିଭାଗର ଚିଠିରୁ ସ୍ପଷ୍ଟ ହୋଇଛି । ଅର୍ପଣ ରଥ ବୁଲିବା ପାଇଁ ୱାର୍ଡ ପିଛା ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ।

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମୁନସିପାଲଟି କମିସନର, ମୁନସିପାଲଟି ଓ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦେଇଥିବା ଚିଠିରେ ଖର୍ଚ୍ଚ ବାବଦରେ ଉଲ୍ଲେଖ ରହିଛି । ଚିଠିରେ ଆମ ଓଡିଶା ନବୀନ ଓଡିଶାର ସହରୀ ଯୋଜନାରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉନ୍ନତି ଯୋଜନା ଅଧିନରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ବୁଲୁଥିବା ଅର୍ପଣ ରଥ ପାଇଁ କଣ କରିବେ ଓ କେତେ ଖର୍ଚ୍ଚ ହେବ ଉଲ୍ଲେଖ ରହିଛି । ଏନଏସିର ପ୍ରତ୍ୟେକ ୱାର୍ଡ ପାଇଁ ଏକ ଲକ୍ଷ ଟଙ୍କା, ପୌରପାଳିକାରେ ୱାର୍ଡ ପିଛା ୨ଲକ୍ଷ ଟଙ୍କା ଓ ମହାନଗର ନିଗମରେ ୱାର୍ଡ ପିଛା ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ମୁନସିପାଲଟି, ଏନଏସି ଓ ମୁନସିପାଲ କର୍ପୋରେସନକୁ ମୋଟ ୪୦ କୋଟି ୧୮ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଇ ଦେଇଛି ଗୃହ ଓ ନଗର ଉନ୍ନୟନ ବିଭାଗ ।

ଅନ୍ୟପଟେ ବିରୋଧୀ ଦଳ ନେତା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି, କହିଛନ୍ତି ରାଜ୍ୟ ସରକାର ସରକାରୀ ପଇସାରେ ନିଜର ପ୍ରଚାର କରୁଛନ୍ତି । ଏବଂ ଧର୍ମକୁ ନେଇ ରାଜନୀତି କରୁଛନ୍ତି । ଏହାର ଜବାବ ଦେଇ ବିଜେଡି ବିଧାୟକ କହିଛନ୍ତି, ଲୋକେ ସ୍ୱତଃଫୁର୍ତ ଭାବେ ଅର୍ପଣ ରଥ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ।