ଇଣ୍ଟର ଲକିଂ ସିଷ୍ଟମ କଣ? ଯାହାପାଇଁ ବାହାନଗାରେ ଦୁର୍ଘଟଣାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ 

2,675

କନକ ବ୍ୟୁରୋ: ଇଂଟରଲକିଂ ତ୍ରୁଟି ଯୋଗୁଁ ବାହାନଗା ଟ୍ରେନ ଦୁର୍ଘଟଣା ହୋଇଥିବା ରେଳମନ୍ତ୍ରୀ କହିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି । ଇଂଟର ଲକିଂ ସିଷ୍ଟମ କ’ଣ, ଯାହା ଏତେ ବଡ଼ ଦୁର୍ଘଟଣା ଘଟାଇଲା । ସେନେଇ ସବୁଠି ଆଲୋଚନା ହେଉଛି । କାରଣ ଇଂଟରଲକିଂ ସିଷ୍ଟମ ଏମିତି ଏକ ଟେକ୍ନୋଲୋଜି, ଯାହା ସାଧାରଣ ଲୋକ ବୁଝିବା କଷ୍ଟକର । କିନ୍ତୁ ଏହି ଇଂଟରଲକିଂ ସିଷ୍ଟମ ଉପରେ ରେଳ ସୁରକ୍ଷା ନିର୍ଭର କରିଥାଏ । ନଜର ପକାଇବା ଇଂଟର ଲକିଂ ସିଷ୍ଟମ କ’ଣ?

ଇଂଟର-ଲକିଙ୍ଗ ସିଷ୍ଟମ କ’ଣ?

-ରେଳ ଚଳାଚଳ ପାଇଁ ବ୍ୟବହୃତ ସୁରକ୍ଷା ବ୍ୟବସ୍ଥା

-ଏହା ରେଳ ଜଙ୍କସନ୍, ଷ୍ଟେସନ ଓ ସିଗ୍ନାଲ ପଏଂଟ ନିକଟରେ ଥାଏ

-ସ୍ୱିଚ୍, ଟ୍ରାକ ସର୍କିଟ ଓ ସିଗ୍ନାଲର ସମନ୍ୱୟରେ ଏହା କାର୍ଯ୍ୟ କରିଥାଏ

-ଟ୍ରେନକୁ ଗୋଟିଏ ଧାରଣାରୁ ଅନ୍ୟ ଧାରଣାକୁ ଯିବା ପାଇଁ ଏହା ସାହାଯ୍ୟ କରିଥାଏ

-ଅର୍ଥାତ୍ ରେଳ ସ୍ଥାନ ପରିବର୍ତ୍ତନ କରୁଥିବା ରେଳ ଧାରଣାର ଅଂଶକୁ ଏହି ବ୍ୟବସ୍ଥା ନିୟନ୍ତ୍ରଣ କରିଥାଏ

-ଟ୍ରେନ ଗତି କରୁଥିବା ପୂର୍ବରୁ ଗନ୍ତବ୍ୟ ପଥ ଅନୁସାରେ ଏହାକୁ ପରିବର୍ତ୍ତନ କରି ଲକ୍ କରାଯାଇଥାଏ 

-ଟ୍ରାକ୍ ସର୍କିଟ ଏକ ଇଲେକ୍ଟ୍ରୋନିକ ବ୍ୟବସ୍ଥା ଯାହା ସେହି ଧାରଣାରେ କୌଣସି ଟ୍ରେନ ଅଛି କି ନାହିଁ ତାହା ସୁନିଶ୍ଚିତ କରିଥାଏ

-ଏହି ସୂଚନା ଅନୁସାରେ ଇଂଟର-ଲକିଙ୍ଗ ବ୍ୟବସ୍ଥା ଟ୍ରେନ କେଉଁ ଧାରଣାରେ ଯିବ ତାହା ସ୍ଥିର କରିଥାଏ

-ଇଲେକ୍ଟ୍ରୋନିକ୍ସ  ଇଂଟର-ଲକିଙ୍ଗ ସିଷ୍ଟମ ଏକ ଅତ୍ୟାଧୁନିକ ବ୍ୟବସ୍ଥା

-ଯାହା କଂପ୍ୟୁଟର ଓ ଅନ୍ୟ କିଛି ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ଦ୍ୱାରା ପରିଚାଳିତ ହୁଏ

ଜଣାପଡ଼ିଲା ବାହାନଗା ଟ୍ରେନ୍ ଦୁର୍ଘଟଣାର ପ୍ରକୃତ କାରଣ । ବଡ଼ ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି, ଇଂଟରଲକିଂ ସିଷ୍ଟମରେ ପରିବର୍ତନ ଯୋଗୁ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ରେଲୱେ ସଫ୍ଟି କମିଶନର ଖୁବ୍ ଶୀଘ୍ର ତଦନ୍ତ ରିପୋର୍ଟ ଦେବେ । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କବଚ ନେଇ ଏହି ଦୁର୍ଘଟଣାର କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।