ଭୁବନେଶ୍ୱର ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣକୁ ଜୋରଦାର ବିରୋଧ: ଗେଟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀ, ୮ ଅସୁସ୍ଥ 

1,595

କନକ ବ୍ୟୁରୋ: ୫୦ ବର୍ଷରୁ ଅଧିକ ସମୟ ଧରି ନାରୀ ଶିକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଛି ଭୁବନେଶ୍ୱର ୟୁନିଟ୍ –୯ ଗାର୍ଲସ ହାଇସ୍କୁଲ । ହେଲେ ଏବେ ଏହାକୁ ୟୁନିଟ୍-୯ ବଏଜ୍ ହାଇସ୍କୁଲରେ ମିଶାଇ ଦେବାକୁ ସରକାର ନିଷ୍ପତି ନେଇଛନ୍ତି । ଆଉ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି ଧାରଣା ଦେଇଛନ୍ତି ୟୁନିଟ୍ –୯ ଗାର୍ଲସ ହାଇସ୍କୁଲର ଛାତ୍ରୀ ଓ ଅଭିଭାବକ । ତେବେ ଧାରଣା ଦେବାବେଳେ କିଛି ଛାତ୍ରୀ ଅଚେତ ହୋଇ ପଡିବାର ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି ।

ଚିନ୍ତାଜନକ ଖବର । ମର୍ମାହତ କଲା ଭଳି ମୁହୁର୍ତ । ଛୋଟ ଛୋଟ ସ୍କୁଲ ଛାତ୍ରୀମାନେ, କିଏ ଚେତାଶୂନ୍ୟ ହୋଇଯାଉଛନ୍ତି, ତ’ ଆଉ କାହାକୁ ଷ୍ଟ୍ରେଚରରେ ନେବାକୁ ପଡୁଛି । ରାଜଧାନୀର ଛାତି ଉପରେ ଥିବା ଏକ ସ୍କୁଲରୁ ଯେତେବେଳେ ଏଭଳି କିଛି ଖବର ସାମ୍ନାକୁ ଆସିଗଲା, ସମସ୍ତଙ୍କୁ ବିଚଳିତ କରିଦେଇଥିଲା । ସ୍କୁଲକୁ ପାଠ ପଢ଼ିବାକୁ ଆସୁଥିବା ଛାତ୍ରୀମାନେ ଯଦି ଅସୁସ୍ଥ ହେବେ, ତେବେ ସ୍ୱାଭାବିକ ଭାବେ ସାଧାରଣରେ ପ୍ରଶ୍ନ ଉଠିବ ।

ଭୁବନେଶ୍ୱର ୟୁନିଟ୍ –୯ ଗାର୍ଲସ ହାଇସ୍କୁଲର । ଗାର୍ଲସ ହାଇସ୍କୁଲକୁ ୟୁନିଟ-୯ ବଏଜ୍ ହାଇସ୍କୁଲରେ ମିଶ୍ରଣ କରିବା ନିଷ୍ପତିକୁ ପ୍ରତିବାଦ କରୁଥିଲେ ସ୍କୁଲର ଛାତ୍ରୀ ଓ ଅଭିଭାବକ । ସ୍କୁଲ ମିଶ୍ରଣକୁ ବିରୋଧ କରି ନାରାବାଜି ଦେଉଥିଲେ । ଠିକ୍ ଏହି ସମୟରେ ଗୁଳୁଗୁଳି ଓ ଗରମ ଯୋଗୁଁ ଅଚାନକ୍ ଅସୁସ୍ଥ ହୋଇଯାଇଥିଲେ ୫ରୁ ଅଧିକ ଛାତ୍ରୀ । ଗୁରୁତର ଅବସ୍ଥାରେ ଏହି ଛାତ୍ରୀମାନଙ୍କୁ ହସ୍ପିଟାଲ ନିଆଯାଇଥିଲା ।

ଛାତ୍ରଛାତ୍ରୀଙ୍କ ଧାରଣା ଓ ଅଘଟଣ ସମ୍ପର୍କରେ ସୂଚନା ପାଇ ସ୍କୁଲକୁ ଆସିଥିଲେ ସ୍ଥାନୀୟ ବିଇଓ । ଛାତ୍ରଛାତ୍ରୀ ଓ ଅଭିବାକଙ୍କ ସହ ଆଲୋଚନା କରିବା ପରେ ସ୍କୁଲ ମିଶ୍ରଣ ସମ୍ପର୍କରେ ଚୁଡାନ୍ତ ନିଷ୍ପତି ହୋଇନାହିଁ । ଏବଂ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ସୂଚନା ଅନୁସାରେ ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଜୁନିୟର କଲେଜକୁ ୟୁନିଟ୍-୯ ଗାଲର୍୍ସ ହାଇସ୍କୁଲକୁ ଉଠିଯିବ ବୋଲି ଗଣଶିକ୍ଷା ବିଭାଗ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କୁ ଚିଠି କରିଥିଲେ । ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ସଂପୃକ୍ତ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା ନେବାକୁ ଆମେ ଉଦ୍ୟମ କରିଥିଲୁ । ହେଲେ ତାହା ସମ୍ଭବ ହୋଇନଥିଲା ।

ଏସବୁ ଭିତରେ କନକ ନ୍ୟୁଜର ଭିଡିଓ ଜର୍ଣ୍ଣାଲିଷ୍ଟ ବାଣୀନନନ୍ଦନଙ୍କ ମାନବିକତାର ଚିତ୍ର ସାମ୍ନାକୁ ଆସିଥିଲା । ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡ଼ିଥିବା ଛାତ୍ରୀମାନଙ୍କୁ ନିଜ ଉଠାଇ, ଆମ୍ବୁଲାନ୍ସ ଯାଏଁ ଉଠାଇନେଇଥିଲେ । ଏଭଳି ସ୍ଥାନୀୟ ବାସିନ୍ଦା ଓ ଅଭିଭାବକଙ୍କ ସହାୟତାରେ ହସ୍ପିଟାଲ ନେଇଯିବା ପାଇଁ ବ୍ୟବସ୍ଥା କରିଥିଲେ ।