ବିଭିନ୍ନ ମୌଳିକ ସମସ୍ୟା ଭିତରେ ଗାଁ: ଗମନାଗମନରେ ବାଧକ ସାଜିଛି ନାଳ

71

କନକ ବ୍ୟୁରୋ: ସ୍ବାଧିନତାର ଦିର୍ଘବର୍ଷ ପରେ ମଧ୍ୟ ହୋଇପାରିଲାନି ପୋଲ ଟିଏ । ଦୁଇ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କଲାପରେ ମଧ୍ୟ ବର୍ଷା ଦିନେ ଦଳବନ୍ଦିର ଜୀବନ କାଟୁଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ନାଗୁପଡା ଗ୍ରାମବାସୀ ।

ଲାଂଜିଗଡ ନିର୍ବାଚନ ମଣ୍ଡଳିର ନାଗୁପଡା ଗାଁରେ ପ୍ରାୟ ହଜାରରେ ଅଧିକ ଲୋକ ବସବାସ କରନ୍ତି । ବର୍ଷା ଦିନେ ଗାଁଟି ଜଳବନ୍ଦୀ ହୋଇଯାଏ । ଗାଁର ଦୁଇ ପଟରେ ଥିବା ନଦୀ ଓ ନାଳରେ ଜଳସ୍ତର ବଢିଗଲେ ଗାଁଟି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଏ । ଘରୁ ବାହାରି ହାଟ ବଜାର ଓ ମେଡିକାଲକୁ ଯିବା ଏକ ପ୍ରକାର ଅସମ୍ଭବ ହୋଇପଡେ ।

ଗାଁରେ ଥିବା ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରରେ ପାଠପଢା ବି ବନ୍ଦ ହୋଇଯାଏ । କାରଣ ନାଳ ପାଣିରେ ପଶି ଗାଁକୁ ଆସନ୍ତି ନାହିଁ ଶିକ୍ଷକ, ଶିକ୍ଷୟିତ୍ରୀ । ଛାତ୍ରଛାତ୍ରୀ ମଧ୍ୟ ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ । କାରଣ ନାଳ ଉପରେ ନିର୍ମାଣ ହେଉଥିବା ୬ କୋଟି ଟଙ୍କାର ବିଜୁ ସେତୁ ଆଜି ଯାଏଁ ଅଧପନ୍ତରିଆ ହୋଇପଡିଛି । ଗ୍ରାମବାସୀ, ଦୁଇଟି ସାଧାରଣ ନିର୍ବାଚନ ବର୍ଜନ କରିବା ପରେ ସେତୁ ନିର୍ମାଣ କାମ ଆରମ୍ଭ ହୋଇଛି । ହେଲେ ଠିକାଦାର ବର୍ଷା ଦିନ ପୂର୍ବରୁ କାମ ସାରିନଥିବାରୁ ଲୋକଙ୍କ ସମସ୍ୟା ଦୂର ହୋଇପାରୁନାହିଁ । ପାଣିରେ ବିପଦ ସଂକୁଳ ଅବସ୍ଥାରେ ଯିବା ଆସିବାକୁ କରୁଛନ୍ତି । ଗାଡି ମଟର ମଧ୍ୟ ପାଣିରେ ଚଳାଚଳ କରୁଛି ।