କେନ୍ଦ୍ରାପଡା ପାଇଲୋରେ ସ୍ୱାସ୍ଥ୍ୟସେବା ଏମିତି ! ୬ ବର୍ଷ ହେଲାଣି ନିର୍ମାଣ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ରର ଘର, ଜଣେ ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି ରୋଗୀ ସେବା ।

180

କନକ ବ୍ୟୁରୋ : ଅବ୍ୟବସ୍ଥା ଭିତରେ ଚାଲିଛି କେନ୍ଦ୍ରାପଡା ଜିଲ୍ଲାର ପାଇଲୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ୪ ବର୍ଷ ହେଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଏମବିବିଏସ ଡାକ୍ତର ନାହାନ୍ତି । ଆବଶ୍ୟକତା ଅନୁସାରେ ସ୍ୱାସ୍ଥ୍ୟ କେନ୍ଦ୍ରର ଘର ନାହିଁ । ନିର୍ମାଣଧୀନ ଏକ ଘର ଅଧାରେ ଅଟକି ରହିଛି । ଫଳରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକ ହଇରାଣ ହେଉଛନ୍ତି ।

ସ୍ୱାସ୍ଥ୍ୟକେନ୍ଦ୍ର ଅଛି, ହେଲେ ଡାକ୍ତର ନାହାନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଚିକିତ୍ସା ପାଇଁ ଆବଶ୍ୟକ ଗୃହ ମଧ୍ୟ ନାହିଁ । ମାତ୍ର ଜଣେ ଆୟୂଷ ଡାକ୍ତର ଓ ତିନି ଜଣ କର୍ମଚାରୀଙ୍କ ଜରିଆରେ ଚାଲିଛି କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ପାଇଲୋ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ୨୦୧୬ ମସିହାରୁ ଏମବିବିଏସ ଡାକ୍ତର ପଦବୀ ଓ ୨ଟି ଆଟେଣ୍ଡାଂଟ ପଦବୀ ଖାଲି ପଡିଛି । ଫଳରେ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକ ଚିକିତ୍ସା ପାଇଁ ହଇରାଣ ହେଉଛନ୍ତି ।

ପାଇଲୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଆୟୁଷ ଡାକ୍ତର ରୋଗୀ ସେବା କରୁଥିବାରୁ ଗୁରୁତର ରୋଗୀମାନଙ୍କ ଚିକିତ୍ସା ସମ୍ଭବପର ହୋଇପାରୁନାହିଁ । ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନିର୍ମାଣ ହେଉଥିବା ଘର ୬ ବର୍ଷ ହେଲା ଶେଷ ହେଉନାହିଁ । ନିର୍ମାଣଧୀନ ଘର ଭିତରେ ଅନାବନା ଗଛଲତା ଉଠି ପରିତ୍ୟକ୍ତ ହୋଇପଡିଛି । ଡାକ୍ତର ରହିବା ଘର ରକ୍ଷଣା ବେକ୍ଷଣା ଅଭାବରୁ ସ୍ଥାନେ ସ୍ଥାନେ ପ୍ଲାଷ୍ଟର ଖସି ଭୂତ କୋଠି ଭଳି ଦେଖାଯାଉଛି । ଷ୍ଟୋର ରୁମ ନଥିବାରୁ ଚିକିତ୍ସା ଯନ୍ତ୍ର୍ପାତି ସହ ଔଷଧ ସଂରକ୍ଷିତ ରଖାଯାଇପାରୁ ନାହିଁ । ଡାକ୍ତର ନିଯୁକ୍ତି ପାଇଁ ବାରମ୍ବାର ଅଭିଯୋଗ ସତ୍ୱେ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ଗୋଟିଏ ପଟେ ସ୍ୱାସ୍ଥ୍ୟକ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ୫ଟି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ମେଡିକାଲ ବୁଲି ସ୍ଥିତି ପରଖୁଛନ୍ତି ୫ଟି ସଚିବ । ରୋଗୀ ମାନେ ଯେପରି ସରକାରୀ ହସ୍ପିଟାଲରେ ସୁବିଧାରେ ଚିକିତ୍ସିତ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି । କିନ୍ତୁ କେନ୍ଦ୍ରାପଡାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଏବେ ରାଜ୍ୟ ସରକାରଙ୍କ ୫ଟି ଉପରେ ବଡ ପ୍ରଶ୍ନବାଚୀ ଛିଡା କରିଛି । ଆଉ ଏଭଳି ଅବ୍ୟବସ୍ଥା ମଧ୍ୟରେ ଥିବା ପାଇଲୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏମବିବିଏସ୍ ଡାକ୍ତର ନିଯୁକ୍ତି ଦେବା ସହିତ ୨୪ ଘଂଟିଆ ରୋଗୀ ସେବାର ବ୍ୟବସ୍ଥା କରିବାକୁ ଦାବି ହେଉଛି ।