ମାୟାବତୀଙ୍କ ସରକାରରେ ଥିଲେ ଶିକ୍ଷାମନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୩ ବର୍ଷ ଜେଲଦଣ୍ଡ

139

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ପୂର୍ବତନ ଶିକ୍ଷାମନ୍ତ୍ରୀ ରାକେଶ ଧର ତ୍ରିପାଠୀଙ୍କୁ କୋର୍ଟ ଦଣ୍ଡବିଧାନ କରିଛନ୍ତି । ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରି କୋର୍ଟ ତାଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୧୦ ଲକ୍ଷ ଟଙ୍କାର ଜରିମାନା ରାଶି ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ଦିନ ସ୍ୱତନ୍ତ୍ର ଏମପି-ଏମଏଲଏ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହାସହ କୋର୍ଟ ରାକେଶ ଧରଙ୍କୁ ତୁରନ୍ତ ହେପାଜତକୁ ନେଇ ଜେଲକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦଣ୍ଡିତ ହୋଇଥିବା ରାକେଶ ଧର ତ୍ରିପାଠୀ ୨୦୦୭ ମେ ୧ ତାରିଖରୁ ୨୦୧୧ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ମାୟାବତୀଙ୍କ ସରକାରରେ ଶିକ୍ଷାମନ୍ତ୍ରୀ ଥିଲେ । ତାଙ୍କ ଉପରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ କୋର୍ଟ ତ୍ରିପାଠୀଙ୍କୁ ସ୍ପଷ୍ଟିକରଣ ମାଗିଥିଲେ । ହେଲେ ତ୍ରିପାଠୀ ସନ୍ତୋଷଜନକ ସ୍ପଷ୍ଟିକରଣ ଦେଇପାରି ନଥିଲେ । ଶୁକ୍ରବାର ଦିନ ସ୍ପେଶାଲ ଜଜ୍ ଡା. ଦିନେଶ ଚନ୍ଦ୍ର ଶୁକ୍ଳା ରାକେଶ ଧରଙ୍କ ବିରୋଧରେ ଦଣ୍ଡବିଧାନ କରିଛନ୍ତି ।

ପୂର୍ବତନ ଶିକ୍ଷାମନ୍ତ୍ରୀ ରାକେଶ ଧର ତ୍ରିପାଠୀଙ୍କ ବିରୋଧରେ ଦୁର୍ନୀତି ବିରୋଧୀ ଅଧିନିମ କ୍ରମରେ ଦଣ୍ଡବିଧାନ ହୋଇଛି । ଇନସ୍ପେକ୍ଟର ରାମସୁଖ୍ ରାମ ତ୍ରିପାଠୀଙ୍କ ବିରୋଧରେ ୨୦୧୨ ନଭେମ୍ବର ୨୩ ତାରିଖରେ ପ୍ରୟାଗରାଜର ମୁଠିଗଞ୍ଜ ଥାନାରେ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗ ଦାଖଲ ହେବା ପରେ ପୋଲିସ ତୁରନ୍ତ ଏହି ମାମଲାକୁ ଭିଜିଲାନ୍ସ ହାତକୁ ଦେଇଥିଲେ । ଭିଜିଲାନ୍ସ ଏହି ମାମଲାର ତଦନ୍ତ କରି ବାରଣାସୀ ଜିଲ୍ଲା କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ । ପରେ ଏହି ମାମଲା ଏମପି-ଏମଏଲଏର ସ୍ୱତନ୍ତ୍ର କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ।