ଆଇଏଏସ୍ ପରୀକ୍ଷାରେ ପଛରେ ପଡିଲେ ପୁଅ । ସର୍ବଭାରତୀୟ ରାଙ୍କରେ ପ୍ରଥମ ୩ ଜଣ ଝିଅ ।

192

କନକ ବ୍ୟୁରୋ: ଶ୍ରୁତି ଶର୍ମା, ଅଙ୍କିତା ଅଗ୍ରୱାଲ, ଗାମିନି ସିଙ୍ଗ୍ଲା । ଶ୍ରୁତି ଶର୍ମା ଆଇଏଏସ୍ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ଟପ୍ପର ହୋଇଛନ୍ତି ଅଙ୍କିତା ଅଗ୍ରୱାଲ । ୟୁପିଏସସି ପରୀକ୍ଷାରେ ତୃତୀୟ ରାଙ୍କ ହାସଲ କରିଛନ୍ତି ଗାମିନି ସିଙ୍ଗ୍ଲା । ଅର୍ଥାତ ଆଇଏଏସ ପରୀକ୍ଷାରେ ପ୍ରଥମ ତିନିଟି ରାଙ୍କ ଅଧିକାର କରିଛନ୍ତି ଝିଅ । ଜେଏନୟୁରେ ଶିକ୍ଷା ଲାଭ ପରେ ଜାମିଆ ମିଲିଆ ଇସଲାମିୟା ରେସିଡେନ୍ସିଆଲ୍ କୋଚିଂ ଏକାଡେମିରେ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଆଇଏଏସ ଟପ୍ପର ଶ୍ରୁତି ଶର୍ମା ।

ଓଡିଶାରୁ ଅଙ୍କୁର ଦାସ ୫୨ ନମ୍ବର ରାଙ୍କ, କାର୍ତ୍ତିକ ପାଣିଗ୍ରାହୀ ୬୩ ରାଙ୍କ, ଏବଂ ସୁନ୍ଦରଗଡର ଗୌରବ ଅଗ୍ରୱାଲ ୮୬ ରାଙ୍କ ରଖିଥିବା ସୂଚନା ରହିଛି । ସେହିପରି ଦୁର୍ଗା ପ୍ରସାଦ ଅଧିକାରୀ ୨୦୫ ରାଙ୍କ, ବିଶ୍ୱ ତ୍ରିପାଠୀ ୨୩୨ ରାଙ୍କ ରଖିଥିବା ବେଳେ ସୌମ୍ୟରଞ୍ଜନ ପ୍ରଧାନ ୩୦୬ ରାଙ୍କ ରଖିଛନ୍ତି । ୨୩୨ ରାଙ୍କ ରଖିଥିବା ବିଶ୍ୱ ତ୍ରିପାଠୀ ଏବେ ଓଏଏସ୍ ଅଫିସର ରହିଛନ୍ତି । ବିନା କୋଚିଂରେ ନିଜ ଉଦ୍ୟମରେ ପଢ଼ି ୟୁପିଏସସି ପରୀକ୍ଷାରେ ସେ ସଫଳତା ହାସଲ କରିଛନ୍ତି ।

ଆଇଏଏସ ପରୀକ୍ଷାରେ ୬୩ ନମ୍ବର ରାଙ୍କ ରହିଛନ୍ତି ସୋନପୁରର କାର୍ତିକ ପାଣିଗ୍ରାହୀ । କରୋନା ସମୟରେ କିଭଳି ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ କହିଛନ୍ତି କାର୍ତିକ । ୟୁପିଏସସି-୨୦୨୧ ପରୀକ୍ଷାରେ ମୋଟ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍, ୨୦୦ ଜଣ ଆଇପିଏସ୍ ଓ ୩୭ ଜଣ ଆଇଏଫ୍ଏସ୍ ପାଇଁ ମନୋନୀତ ହୋଇଛନ୍ତି ।