ୟୁକ୍ରେନ୍ ସଙ୍କଟ: ଭାରତ କହିଲା ସମସ୍ୟାର ସମାଧାନ ଯୁଦ୍ଧ ନୁହେଁ । ସେପଟେ ଋଷ କହିଲା ସଙ୍କଟ ପାଇଁ ଭାରତ ସହ ଖରାପ ହେବନି ସର୍ମ୍ପକ

604

କନକ ବ୍ୟୁରୋ: ଋଷ-ୟୁକ୍ରେନ ସଙ୍କଟକୁ ନେଇ ଚାଲଥିବା ବିବାଦ କ୍ରମଶ ଯୁଦ୍ଧ ମୁହାଁ ହେଉଛି । ଋଷର ଗତିବିଧି ଏକଥାକୁ ଇସାରା କରୁଛି କି କୌଣସି ମୁହୁର୍ତ୍ତରେ ବିଶ୍ୱ ଦେଖିପାରେ ୩ୟ ବିଶ୍ୱଯୁଦ୍ଧ । ୟୁକ୍ରେନ ସଙ୍କଟକୁ ନେଇ ପୂର୍ବରୁ ଭାରତ ନିଜର ପକ୍ଷ ରଖି ସାରିଛି । ଆଲୋଚନା କରି ସମାଧାନ ପାଇଁ ଦୁଇ ୟୁକ୍ରେନ ଓ ଋଷକୁ ପରାର୍ମଶ ଦେଉଛି ଭାରତ । ଏହା ଭିତରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି ପରିସ୍ଥିତିର ଆଜିର ନୁହେଁ ଗତ ୩୦ ବର୍ଷର ପରିଣାମ । ଏଥିସହ ୟୁକ୍ରେନ ସୀମାରେ ଋଷ ସୈନ୍ୟ ଠୁଳକୁ ନେଇ ସମାଲୋଚନା କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ । ବିଶ୍ୱ ଅନେକ ସମସ୍ୟା ଦେଇ ଗତି କରୁଛି । ଏଭଳି ସ୍ଥିତିରେ ଯୁଦ୍ଧ ପରି ସ୍ଥିତି ଅର୍ନ୍ତଜାତୀୟ ଆହ୍ୱାନକୁ ବୃଦ୍ଧି କରିବ । ୟୁୁକ୍ରେନ ସଙ୍କଟକୁ ନେଇ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଅନ୍ୟ ସଦସ୍ୟଙ୍କ ସହ ଋଷ ସହିତ ଆଲୋଚନା କରିପାରେ ଭାରତ ।

ସେପଟେ ୟୁକ୍ରେନ୍-ଋଷ ସଂକଟ ମଧ୍ୟରେ ୟୁକ୍ରେନରୁ ଭାରତ ଫେରିଲେ ଛାତ୍ରଛାତ୍ରୀ । ୨୪୨ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ଭାରତ ଫେରିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ । ଗତକାଲି ବିଳମ୍ବିତ ରାତିରେ ବୋଇଙ୍ଗ-୭୮୭ ବିମାନ ଦିଲ୍ଲୀକୁ ଆସିଛି । ଗତକାଲି ସକାଳ ୭ଟା ୩୦ରେ ଏହି ବିମାନ ଦିଲ୍ଲୀରୁ ୟୁକ୍ରେନ୍ ଅଭିମୁଖେ ଯାଇଥିଲା । ଅପରାହଣରେ ୟୁକ୍ରେନରେ ପହଞ୍ଚିବା ପରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱଦେଶ ଫେରିଛି । ସେହିପରି ୨୪ ଓ ୨୬ ତାରିଖରେ ଏୟାର ଇଣ୍ଡିଆର ଆଉ ଦୁଇଟି ବିମାନ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ଆଣି ଭାରତ ଆସିବ । ସେହିପରି ଭାରତ ସରକାରଙ୍କ ପକ୍ଷରୁ ୟୁକ୍ରେନରୁ ୪ଟି ବିମାନ ଦ୍ୱାରା ଭାରତୀୟଙ୍କୁ ଅଣାଯିବ । ୨୫, ୨୭ ଓ ମାର୍ଚ୍ଚ ୬ ତାରିଖରେ ଏହି ବିମାନ ଦ୍ୱାରା ଭାରତୀୟଙ୍କୁ ଦିଲ୍ଲୀ ଅଣାଯିବ ।