ଠକ ଡାକ୍ତର ରମେଶ ସ୍ୱାଇଁଙ୍କ କୁକର୍ମରେ ସାମିଲ ଥିଲା ଭଉଣୀ । ଏକାଧିକ ବିବାହରେ ଥିଲା ସମ୍ପୃକ୍ତି, ଖୋଲୁଛି ଠକେଇ ଚିଠା ।

160

କନକ ବ୍ୟୁରୋ : ଲମ୍ବି ଲମ୍ବି ଚାଲିଛି ରମେଶ ସ୍ୱାଇଁଙ୍କ ଠକେଇ ତାଲିକା । ଏନେଇ ପୋଲିସ ହାତକୁ ଲାଗୁଛି ନୂଆ ନୂଆ ତଥ୍ୟ । କଟକ ଆଠଗଡରୁ ନେଇ ଢେଙ୍କାନାଳ କାମାକ୍ଷାନଗରରେ ଥିବା ରମେଶ ସ୍ୱାଇଁର ବିଭିନ୍ନ ଫାର୍ମ ହାଉସ୍ ଉପରେ ଛାପା ମାରିଛି ପୋଲିସ୍ । ଏହାରି ଭିତରେ ରମେଶକୁ ଆହୁରି ୭ ଦିନ ପାଇଁ ରିମାଣ୍ଡରେ ଆଣି ପଚରା ଉଚରା କରିବାକୁ ଚିନ୍ତା କରୁଛି ପୋଲିସ ।

ଜେଲ ଗଲେ ଠକ ଡାକ୍ତରଙ୍କ ଭଉଣୀ । ନକଲି ଡାକ୍ତର ରମେଶ ସ୍ୱାଇଁକୁ ଠକେଇରେ ସହାୟତା କରିଥିବା ଅଭିଯୋଗରେ କମିଶନରେଟ ପୋଲିସ ତାଙ୍କୁ ବୁଧବାର କୋର୍ଟ ଫରୱାର୍ଡ କରିଛି । ଏସଟିଏଫ ତାଙ୍କୁ ମାରାଥନ ଜେରା କରିବା ପରେ ତାଙ୍କ ବିରୋଧରେ ମିଳିଛି ପ୍ରମାଣ ।

ସେପଟେ ଆଠଗଡ ଖୁଣ୍ଟୁଣୀ ଅଞ୍ଚଳରେ ଠକ ରମେଶର ଏକ ଫାର୍ମ ହାଉସ ରହିଥିବା ଜଣା ପଡିବା ପରେ ପୋଲିସ ସେଠାରେ ପହଞ୍ଚି ଛାନଭିନ କରିଛି । ଫାର୍ମ ହାଉସରେ ଲଗାଇଥିବା ଗଛ ଚାରା କିଣିବା ବେଳେ ମଧ୍ୟ ଯୋଗାଣକାରୀଙ୍କୁ ଠକିଥିବା ସୂଚନା ମିଳିଛି । ଠକେଇର ତାଲିକା ଲମ୍ବି ଚାଲିଥିବା ବେଳେ ତଦନ୍ତକାରୀ ଟିମର ସଦସ୍ୟ ସଂଖ୍ୟା ବୃଦ୍ଧି କରି ତଦନ୍ତର ପରିସର ବଢାଇବାକୁ ଚିନ୍ତା କରୁଛି ପୋଲିସ ।

ଠକ ରମେଶ ସ୍ୱାଇଁଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଢେଙ୍କାନାଳ କାମାକ୍ଷାନଗରରେ ମଧ୍ୟ ରମେଶ ସ୍ୱାଇଁଙ୍କର ଏକ ଘରର ସନ୍ଧାନ ମିଳିଛି । ଏହି ଘର ଭିତରେ ଥିବା ଏକ ଅନ୍ଧାରୀ ଗୁପ୍ତ ଭୂତଳ କୋଠରୀରେ ସେ ସାଇ-ଶ୍ରୀ ନାମରେ ନିଜର କ୍ଲିନିକ୍ ଖୋଲିଥିଲେ । ଏହି ଗୁପ୍ତ କ୍ଲିନିକରେ ହିଁ ନକଲି ଡାକ୍ତର ରମେଶ ସ୍ୱାଇଁ ଚିକିତ୍ସା ଚଳାଇଥିଲେ । ଆଉ ଏହାରି ଭିତରେ ମୁହଁ ଖୋଲିଛନ୍ତି ତାଙ୍କ ସାବତ ମାଆ ଓ ଭାଇ । ନକଲି ଡାକ୍ତର ମାଟ୍ରିକ ପାଠ ପଢିଥିବା କହିଛନ୍ତି ।

ପାଟକୁରାରେ ଥିବା ଏକ ଫାର୍ମ ହାଉସରେ ମଧ୍ୟ ପୋଲିସ ରେଡ୍ କରୁଛି । ଏହି ଫାର୍ମ ହାଉସରେ ସେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ରଖିଛନ୍ତି । ଠକେଇର ଫର୍ଦ୍ଦ ଲମ୍ବି ଚାଲିଥିବା ବେଳେ ଆହୁରି ୭ ଦିନ ପାଇଁ ରିମାଣ୍ଡରେ ଆଣି ରମେଶକୁ ପଚରା ଉଚରା କରିବାକୁ ଚିନ୍ତା କରୁଛି ପୋଲିସ ।