ବାତିଲ ହେବନି ମାଟ୍ରିକ୍ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା । ଅନଲାଇନ ପରୀକ୍ଷା ଦାବିରେ ରାଜରାସ୍ତାରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ।

255

କନକ ବ୍ୟୁରୋ : ବାତିଲ ହେବନି ମାଟ୍ରିକ୍ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା । ସିବିଏସସି, ଆଇସିଏସସି ଓ ରାଜ୍ୟ ବୋର୍ଡର ମାଟ୍ରିକ୍ ଏବଂ ଦ୍ୱାଦଶ ପରୀକ୍ଷା ମାମଲାରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନାୟାଳୟ । ଅଫଲାଇନ୍ ପରୀକ୍ଷା ବିରୋଧରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ନିୟମ ଓ ତାରିଖ ଆସି ନଥିବାବେଳେ କାହିଁକି ଏଭଳି ଆବେଦନ ହୋଇଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

ମାଟ୍ରିକ ଓ ଦ୍ୱାଦଶ ବୋର୍ଡରେ ଅଫଲାଇନ ପରୀକ୍ଷାକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ବିଚାର କରୁଥିବା ଖଣ୍ଡପୀଠ ଆବେଦନ ଉପରେ ଅତନ୍ତ ବିରକ୍ତି ପ୍ରକାଶ କରି କହିଛନ୍ତି ଯେ, ପରୀକ୍ଷାର ନିୟମ ଓ ତାରିଖ ସ୍ଥିର ହୋଇ ନଥିବା ବେଳେ ଏପରି ଆବେଦନ ଆଦୌ ଠିକ ନୁହେଁ । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଛ ଆଶା ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି କୋର୍ଟ । ଅନ୍ୟପଟେ ବିହାର ଏବଂ ମଧ୍ୟ ପ୍ରଦେଶରେ ବୋର୍ଡ ପରୀକ୍ଷା ଆରମ୍ଭ ହୋଇସାରିଥିବା ବେଳେ ମାର୍ଚ୍ଚ ୪ରେ ମହାରାଷ୍ଟ୍ରରେ ପରୀକ୍ଷା ହେବ ।

ଭୁବନେଶ୍ୱର ରାଜରାସ୍ତାରେ ଛାତ୍ରଛାତ୍ରୀ । ଦାବି କଲେ ଅନଲାଇନ ପରୀକ୍ଷା । ଅନଲାଇନ ପରୀକ୍ଷା ଦାବି କରି ରାଜଧାନୀ ରାଜରାସ୍ତାରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ସେମାନଙ୍କ ଦାବି ହେଲା, ଅଧିକାଂଶ ପାଠପଢା ଅନଲାଇନରେ ହୋଇଥିଲା, ତେଣୁ ଅଫଲାଇନରେ କାହିଁକି ପରୀକ୍ଷା କରାଯାଉଛି । ଏପ୍ରସଙ୍ଗରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଛାତ୍ରଛାତ୍ରୀ ।

ଦୀର୍ଘଦିନ ଧରି ସ୍କୁଲ କଲେଜ ବନ୍ଦ ରହିବା ଯୋଗୁଁ ପିଲାଙ୍କ ପାଠପଢ଼ା ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ଅଫଲାଇନ ପରୀକ୍ଷାକୁ ଛାତ୍ରଛାତ୍ରୀମାନେ ଭୟ କରି ଅନଲାଇନ ପରୀକ୍ଷା ପାଇଁ ଦାବି କରୁଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି ।