ନିଜ ସ୍ୱାର୍ଥ ପାଇଁ ବାପା ମାଆ ଭୁଲ କଲେ ହେଲେ ଭୋଗୁଛନ୍ତି ଦୁଇ ନିଷ୍ପାପ ଭାଇ, ମହାମାରୀ ବେଳେ ମୁଢ଼ି ମୁଠାଏ ବିକିଲେ ୫ ପ୍ରାଣୀଙ୍କ ମୁହଁରେ ପଡୁଛି ମୁଠାଏ ଦାନା ।

154

କନକ ବ୍ୟୁରୋ: କୁହାଯାଏ ବିଧାତାର ଛାଟ ଛୋଟବଡ଼ କାହାକୁ ଦେଖେନି । ଭାଗ୍ୟର ଭଉଁରୀ ଭିତରେ କିଏ ଭାଗ୍ୟବାନ ହୋଇଯାଏ ତ କିଏ ପୁଣି ବନିଯାଏ ଭାଗ୍ୟହୀନ । ଏଇ ଯେପରି ଦୁଇ ଭାଇ କୁନି କୁନି ହାତରେ ଝାଳ ବୁହାଇ ବିକୁଛନ୍ତି ଝାଲ ମୁଢ଼ି ବିକୁଛି । କଲମ ବଦଳରେ ବୋଝ ବୋହୁଥିବା କୁନି ଠେଲାଗାଡ଼ିରେ ପେଟ ପାଇଁ ସଂଘର୍ଷ ଚାଲିଛି । ପାଠ ନୁହେଁ ପରିବାର ପାଟିରେ ଦାନା ଗଣ୍ଡାଏ ଦେବାକୁ ଦୁଇ ଭାଇ ବାହାରି ପଡ଼ିଛନ୍ତି., ଆଉ ଏହି କାହାଣୀର କରୁଣତାକୁ ଯଦି ଆପଣ ଶେଷ ଯାଏଁ ପଢିବେ ଏହା ଆପଣଙ୍କ ହୃଦୟକୁ ଯେତିକି ତରଳାଇବ ସେତିକି ବ୍ୟଥିତ ବି କରିବ ।

ଜଣକ ହାତରେ ବ୍ୟାଗ୍, ଆଉ ଜଣେ ଧରିଛି ବାଦାମ୍ ଭର୍ତ୍ତି ଡବା । ସଂଘର୍ଷର ବୋଝ ବୋହିବାକୁ ସାଇକେଲରେ ତୟାରି ଚାଲିଛି । ରାତି ପାହିଲେ ମୁଢ଼ି, ମିକ୍ସଚର, ଆଚାର, ଧନିଆପତ୍ରକୁ ଧରି  ସାଇକେଲରେ ବାହାରି ପଡୁଛନ୍ତି ଦୁଇ ଭାଇ । କାରଣ ଏମାନେ ଝାଲ୍ ମୁଢ଼ି ବିକିଲେ ପରିବାର ମୁହଁରେ ମୁଠାଏ ଦାନା ପଡ଼ିବ । ସମ୍ବଲପୁର କୁଚିଣ୍ଡା ଅଞ୍ଚଳର ବିଶାଲ ଓ ଆକାଶ, ବାପା ମାଆ ବାଛି ବାଛି ନାଁ ଦେଇଛନ୍ତି ସତ ହେଲେ ଏଠି ଆକାଶ ଆଖିରେ ଅଭାବୀର ଅନ୍ଧକାର ଆଉ ବିଶାଲ ବାଟରେ ଦାରିଦ୍ର୍ୟତାର ବିଶାଳ ପାହାଡ଼ ।
ଦୁଇ ଜଣ ଗୋଟେ ମା ଗର୍ଭରୁ ଗୋଡ଼ କାଢ଼ି ନଥିଲେ ବି, ଗରିବୀ ଏମାନଙ୍କ ଗୋଡ଼ରେ ବେଡ଼ି ବାନ୍ଧି କରିଦେଇଛି ଦୁଇ ଭାଇ । ୧୩ ବର୍ଷୀୟ ବିଶାଲର ବାପା ପାରିବାରିକ କଳହରୁ ଜେଲରେ ଅଛନ୍ତି, ହେଲେ ବାପାର କଳାକୋଠରୀ ସଜାଠୁ ପୁଅ କାନ୍ଧର ବୋଝ ବଳିଯାଇଛି । ଏଠି ନିଜେ ଜିଇଁବାର ଅଛି, ଆଉ ପରିବାରର ୫ ପ୍ରାଣୀଙ୍କ ଜୀବନ ବି ବଞ୍ଚାଇବାର ଅଛି । ସେଥିପାଇଁ ତ ପାଠ ପଢିବା ବୟସରେ ଏ କାନ୍ଧରେ ଏବେ ପଡ଼ିଛି ପାରିବାରିକ ବୋଝ ।

ଅନ୍ୟପଟେ ଆକାଶଙ୍କ କାହାଣୀ କିନ୍ତୁ ଟିକେ ଅଲଗା । ବିଶାଲଙ୍କ ମାଉସୀ ପୁଅ ଭାଇ ହେଉଛନ୍ତି ୧୬ ବର୍ଷୀୟ ଆକାଶ । ଆକାଶ ଚାଲି ଶିଖିବା ପରେ ପରେ ବାପା-ମାଆ ତାକୁ ମାଉସୀ ଘରେ ଛାଡ଼ି କୁଆଡ଼େ ଚାଲିଗଲେ । ବେସାହାରା ଆକାଶକୁ ବିଶାଲ ବୋଉ ମାଆ ଭରି ସାହାର ଦେଇଛନ୍ତି । ହେଲେ ଖାଲି କଥାରେ ତ ପେଟ ପୂରି ଯବିନ, ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ପଡ଼ିବ । ସେଥିପାଇଁ ବିଶାଲ ସହ ଆକାଶ ବି ଝାଳ ବୁହାଇ ପରିବାର ବୋଝ ବୋହିବାକୁ ବାହାରି ପଡୁଛି । ଏଥର ମାଟ୍ରିକ୍ ପାସ୍ କରିଥିବା ଆକାଶ ଆଖିରେ ପାଠ ପଢ଼ିବାକୁ ଆଶା ଅଛି କିନ୍ତୁ ଅଭାବ ଅନଟନ ଏବେ ବାଧକ ସାଜିଛି ।

ଦୁଃଖ ଦାରିଦ୍ର୍ୟରେ ସୀମିତ ରହିନି ଏହି ଦୁଇ ଭାଇଙ୍କ କାହାଣୀ । ଘରେ ରୋଗିଣା ମା ସାଙ୍ଗକୁ , ଅଜା ଓ ସାନଭାଇ । ଏମିତି ସବୁଦିନେ ଅନାଇ ରହିଥାଆନ୍ତି ଦୁଇଭାଇଙ୍କ ଫେରିବା ବାଟକୁ, କାରଣ ଦୁଇ ଜଣ ଯାହା ବିକ୍ରିବଟା କରିଆସିଲେ ଘରେ ଚୁଲି ଜଳିବ । ପେଟକୁ ଦୁଇ ମୁଠା ଦାନା ଯିବ କିନ୍ତୁ କରୋନା କଟକଣାରେ ବେଳେ ବେଳେ ଏମାନଙ୍କ ପାରିଶ୍ରମିକ ସେମିତି କିଛି ଖାସ୍ ହୁଏନି । ଯେଉଁଥି ପାଇଁ ଦିନେ ଦିନେ ପେଟରେ ଓଦା କନା ଦେବାଛଡ଼ା ପରିବାର ନିରୁପାୟ ହୋଇରହିଯାଏ । ବିକୁଥିବା ଲୋକର ଦୁଖଃ ଖାଇବା ଲୋକକୁ ଜଣା ନଥାଏ । ଘରର ମୁରବୀଙ୍କ ଭୁଲ ଯୋଗୁଁ ଆଜି ଏମାନଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ । ପଢା ପ୍ରତି ଆଗ୍ରହ ଥାଇବି ପରିସ୍ଥିତିରେ ପଡି ମୁଢି ବିକିବାକୁ ବାଧ୍ୟ କରିଛି ବିଧାତା । ହେଲେ ଏହି ନାବାଳକ ଦୁଇଭାଇଙ୍କ ପାଠ ପଢିବା ପାଇଁ ସରକାର ଯଦି ସାହାଯ୍ୟ କରନ୍ତି ଏମାନଙ୍କ ଭବିଷ୍ୟତ ଉଜ୍ଜଳ ହେବ ।