କିନ୍ନରଙ୍କ ମଧ୍ୟରେ ରହିଛି ଅନେକ ପ୍ରତିଭା ! ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଅନ୍ୱେଷା କଳାକେନ୍ଦ୍ର ଆୟୋଜନ କଲା ଟ୍ରାନ୍ସଜେଣ୍ଡର କଲଚରାଲ ଫେଷ୍ଟିଭାଲ-୨୦୧୮ ।

42

କନକ ବ୍ୟୁରୋ : ଧିରେ ଧିରେ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି କିନ୍ନର । ଅନ୍ୟମାନଙ୍କ ପରି ସେମାନଙ୍କ ଭିତରେ ବି ଲୁଚି ରହିଛି ଅନେକ କଳା ପ୍ରତିଭା । ତେବେ ନିଜ ଭିତରେ ଥିବା ପ୍ରତିଭା ପ୍ରଦର୍ଶନ ସହ ମତ, ମନ୍ତବ୍ୟ ବାଂଟିବା ପାଇଁ ସେମାନଙ୍କୁ ଆବଶ୍ୟକ ସଠିକ୍ ସୁଯୋଗ ଏବଂ ଉପଯୁକ୍ତ ମଂଚ । ଆଉ ଏମିତି ଏକ ମଂଚ ଥିଲା ଟ୍ରାନ୍ସଜେଣ୍ଡର କଲଚରାଲ ଫେଷ୍ଟିଭାଲ-୨୦୧୮ । ବ୍ରହ୍ମପୁର ସହରରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲା ଅନ୍ୱେଷା କଳାକେନ୍ଦ୍ର ।

ମୁଁ ଯେ ଲାଜରେ ଚାହିଁପାରୁନି କଳାମୁହଁକୁ । ଏହି ସୁମଧୁର ଗୀତର ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରିଥିଲେ କିନ୍ନର ପ୍ରତିଯୋଗୀ । ଅବସର ଥିଲା ଟ୍ରାନ୍ସଜେଣ୍ଡର କଲଚରାଲ ଫେଷ୍ଟିଭାଲ-୨୦୧୮ । ଅନ୍ୱେଷା କଳାକେନ୍ଦ୍ର ପକ୍ଷରୁ ବ୍ରହ୍ମପୁର ସହରରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଡାଇମଣ୍ଡ ଜୁବଲି ଟାଉନ୍ ହଲରେ ଆୟୋଜିତ ଟ୍ରାନ୍ସଜେଣ୍ଡର କଲଚରାଲ ଫେଷ୍ଟିଭାଲରେ କିନ୍ନର ମାନଙ୍କ ନୃତ୍ୟ ମନ ମୋହିଥିଲା ଉପସ୍ଥିତ ଦର୍ଶକଙ୍କର । ଗୋଟିଏ ପରେ ଗୋଟିଏ ଗୀତରେ ନିଜ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ କିନ୍ନର ମାନେ । ଏକକ ନୃତ୍ୟ ସହ ସାମୁହିକ ନୃତ୍ୟ ମନ୍ତ୍ରମୁଗ୍ଧ କରି ତୋଳିଥିଲା ବ୍ରହ୍ମପୁରବାସୀଙ୍କୁ ।

ଖାଲି ନୃତ୍ୟ ଗୀତ ନୁହେଁ, ଅନ୍ୱେଷା କଳାକେନ୍ଦ୍ର ପକ୍ଷରୁ ଆୟୋଜିତ ହୋଇଥିଲା କିନ୍ନର ମାନଙ୍କ ର୍ୟାମ୍ପ ଶୋ । ଯେଉଁଥିରେ କ୍ୟାଟୱାକ୍ କରିଥିଲେ ଅନେକ କିନ୍ନର ପ୍ରତିଯୋଗୀ । ଆଉ ଦେଖାଇଥିଲେ ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭା । ମଡେଲଙ୍କ ଷ୍ଟାଇଲରେ କିନ୍ନର ମାନେ ର୍ୟାମ୍ପରେ ଚାଲିବା ସତେ ଯେମିତି ସୃଷ୍ଟି କରିଥିଲା ଏକ ଫ୍ୟାସନ୍ ଶୋ’ର ପରିବେଶ । ପ୍ରତିଭା ପ୍ରଦର୍ଶନ ପାଇଁ ଏପରି ଏକ ମଂଚ ମିଳିଥିବାରୁ କିନ୍ନରମାନେ ବି ଜାହିର କରିଥିଲେ ଖୁସି ।

ଏହି କାର୍ଯ୍ୟକ୍ରମରେ କିନ୍ନରମାନଙ୍କ ପାଇଁ ଆଲୋଚନା ଚକ୍ର ମଧ୍ୟ ଆୟୋଜିତ ହୋଇଥିଲା । ଯେଉଁଥିରେ ଭାଗ ନେଇ କିନ୍ନରମାନେ ସାମ୍ନା କରୁଥିବା ସାମାଜିକ ସମସ୍ୟା ସହ ବିଭିନ୍ନ ପ୍ରସଙ୍ଗରେ ମନ ଖୋଲି ଆଲୋଚନା କରିଥିଲେ । କିନ୍ନରମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଲଗାତାର ଭାବେ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି ଅନ୍ୱେଷା କଳାକେନ୍ଦ୍ର । ଆଉ ଏପରି ପ୍ରୟାସକୁ ବେଶ୍ ପ୍ରଶଂସା କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଟ୍ରାନ୍ସଜେଣ୍ଡର କଲଚରାଲ ଫେଷ୍ଟିଭାଲରେ ଅତିଥି ଭାବେ ଯୋଗ ଦେଇଥିଲେ ବ୍ରହ୍ମପୁର ବିଧାୟକ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା । କାର୍ଯ୍ୟକ୍ରମ ଶେଷରେ କିନ୍ନର କଳାକାରମାନଙ୍କୁ ଦିଆଯାଇଥିଲା ସମ୍ବର୍ଦ୍ଧନା ।