ସିଗନାଲ୍ ନ ମାନିବାରୁ ପଶ୍ଚିମବଙ୍ଗ ନ୍ୟୁ-ଜଲପାଇଗୁଡ଼ିରେ ଟ୍ରେନ୍ ଦୁର୍ଘଟଣା । କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛ ପଟୁ ଧକ୍କା ଦେଲା ମାଲବାହୀ ଗାଡ଼ି

280

କନକ ବ୍ୟୁରୋ: ରଙ୍ଗପାଣି ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ଷ୍ଟେସନରେ ଛିଡା ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେଲା ଏକ ମାଲବାହୀ ଟ୍ରେନ୍ । ତେବେ ଟ୍ରେନଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଯାତ୍ରୀବାହୀ ଟ୍ରେନର ପଛ ୩ଟି ବଗି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ପଛପଟେ ଥିବା ଗାର୍ଡ ବଗି ସଂପୂର୍ଣ୍ଣ ଚୁରମାର ହୋଇଯାଇଥିବାବେଳେ ଦୁଇଟି ପାର୍ସଲ ବଗି ଉପରକୁ ଉଠି ଯାଇଥିଲା ।

  • ମାନବୀୟ ତ୍ରୁଟିରୁ ପୁଣି ବଡ଼ ଦୁର୍ଘଟଣା
  • ସିଗନାଲକୁ ଅଣଦେଖା କରି ପିଟିଲା ମାଲଗାଡି

ତ୍ରିପୁରାର ଅଗରତାଲାରୁ ପଶ୍ଚିମବଙ୍ଗର ସିଆଲଦା ଯାଉଥିଲା କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନ୍ । ନ୍ୟୁ ଜଲପାଇଗୁଡି଼ ଷ୍ଟେସନଠାରୁ ପ୍ରାୟ ୭ କିଲୋମିଟର ଦୂର ରଙ୍ଗପାଣି ଷ୍ଟେସନରେ ଯାତ୍ରୀବାହୀ ଟ୍ରେନଟି ଛିଡ଼ା ହୋଇଥିଲା । ସକାଳ ପ୍ରାୟ ୮ଟା ୫୫ରେ ସମାନ ଟ୍ରାକରେ ଆସି ପଛପଟୁ ଧକ୍କା ଦେଇଥିଲା ଏକ ମାଲବାହୀ ଟ୍ରେନ୍ । ଫଳରେ ମାଲଗାଡିର ଡ୍ରାଇଭର ଓ ସହଯୋଗୀଙ୍କ ସମେତ ଯାତ୍ରୀବାହୀ ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଛି । ମାଲବାହୀ ଟ୍ରେନର ଡ୍ରାଇଭର ଷ୍ଟେସନରେ ଦିଆଯାଇଥିବା ସିଗନାଲକୁ ସଂପୂର୍ଣ୍ଣ ଅଣଦେଖା କରିବାରୁ ଏହି ଦୁର୍ଘଟଣା ଘଟିଥିବା କହିଛନ୍ତି ରେଲବାଇ ବୋର୍ଡର ଅଧ୍ୟକ୍ଷା ଜୟା ବର୍ମା ସିହ୍ନା ।

ତେବେ ପ୍ରାୟ ବର୍ଷକ ତଳେ ସିଗନାଲ ତ୍ରୁଟି ଯୋଗୁଁ ବାଲେଶ୍ୱର ଜିଲ୍ଲା ବାହାନଗାରେ ହୋଇଥିଲା ଭୟାବହ ଟ୍ରେନ ଦୁର୍ଘଟଣା । ଶତାଧିକ ଲୋକଙ୍କ ମୃତ୍ୟୁର ଅନୁଭୂତି ମନରୁ ନ ଲିଭୁଣୁ, ପୁଣି ସେହି ସିଗନାଲ ଜନିତ ସମସ୍ୟାରୁ ଆଉ ଏକ ଭୟାବହ ରେଳ ଦୁର୍ଘଟଣା, ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଷ୍ଟେସନରେ ଦିଆଯାଇଥିବା ସିଗନାଲକୁ ଅଣଦେଖା କରିଥିଲେ ମାଲବାହୀ ଟ୍ରେନର ଡ୍ରାଇଭର । ପ୍ରାଥମିକ ଭାବେ ମାନବୀୟ ତ୍ରୁଟିରୁ ଏତେବଡ଼ ଟ୍ରେନ ଦୁର୍ଘଟଣା ଘଟିଥିବା ଜଣାପଡି଼ଛି । ତଦନ୍ତ ଶେଷ ହେବା ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି଼ବ ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିଲା । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କାରଯାଇଥିଲା । ରେଳବାଇ ସହ ଏନଡିଆରଏଫ୍ ଓ ଏସଡିଆରଏଫ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଅକ୍ଷତ ଥିବା ବଗି ଗୁଡି଼କୁ ଧରି ଟ୍ରେନଟି ସିଆଲଦା ଅଭିମୁଖେ ଯାଇଛି । ତେବେ ପ୍ରଶ୍ନ ଉଠୁଛି…

  • ନ୍ୟୁ ଜଲପାଇଗୁଡି ଟ୍ରେନ ଦୁର୍ଘଟଣାକୁ ଅଟକାଯାଇ ପାରିଥାନ୍ତା କି?
  • ରେଡ୍ ସିଗନାଲ ପରେ ବି କାହିଁକି ଅଟକି ନଥିଲା ମାଲବାହୀ ଟ୍ରେନ୍?
  • ଯାତ୍ରୀବାହୀ ଟ୍ରେନ୍ ଥିବା ଟ୍ରାକ୍ ଉପରକୁ ମାଲଗାଡି ଗଲା କିପରି?
  • ଆଣ୍ଟି କୋଲାଇଜନ୍ ଡିଭାଇସ ବା ‘କବଚ’ ଗଲା କୁଆଡ଼େ?

ମୋଦୀ ସରକାରଙ୍କ ତୃତୀୟ ପାଳିରେ ଅଶ୍ୱିନୀ ବୈଷ୍ଣବ ରେଳ ବିଭାଗର ଦାୟିତ୍ୱ ନେବା ପରେ ପୁଣି ଏକ ବଡ ରେଳ ଦୁର୍ଘଟଣା ଘଟିଛି । ମୃତକଙ୍କ ପରିବାରକୁ ରେଳ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରାଯାଇଛି । ଗୁରୁତର ଆହତଙ୍କୁ ୨.୫ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମଧ୍ୟ ମୃତକଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ । ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି ।