ଟ୍ରାଫିକ୍ ଦେଲା ଟେନସନ୍: ପୂଜା ବଜାରରେ ରାଜଧାନୀ ରାସ୍ତାଜାମ୍ । କଲବଲ ହେଲେ ଲୋକେ, ଟ୍ରାଫିକ୍ ପରିଚାଳନା ନେଇ ଉଠିଲା ପ୍ରଶ୍ନ

666

କନକ ବ୍ୟୁରୋ: ଦୁର୍ଗା ପୂଜାରେ ଚଳଚଞ୍ଚଳ ଟ୍ୱିନ ସିଟି ହେଲେ ଟ୍ରାଫିକ୍ ପୋଲିସ୍ ନିୟନ୍ତ୍ରଣ ବାହାରେ ପୂଜା ବଜାର ଭିଡ଼ । ଦୁର୍ଗା ପୂଜା ଅବସରରେ ରାଜଧାନୀର ଏମିତି ଟ୍ରାଫିକ୍ ଜାମ୍ ହେଉଛି ଯାହା ମଧ୍ୟରେ ସାଧାରଣ ଲୋକେ ପେଶି ହୋଇପଡୁଥିବା ଦେଖିବାକୁ ମିଳିଛି । ଆଉ ଏଭଳି ଟ୍ରାଫିକ୍ ଜାମ୍ ଦେଖି କମିଶନରେଟ୍ ପୋଲିସର ଟ୍ରାଫିକ୍ ପରିଚାଳନାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ପାର୍ବଣ ପୂର୍ବରୁ ଟ୍ରାଫିକ୍ ପରିଚାଳନା ନେଇ ଖୋଦ୍ ପୋଲିସ୍ କମିଶନର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଥିବା ଜୋର୍ ଦେଇଥିଲେ । ଏପରିକି ଟ୍ୱିନ୍-ସିଟିରେ ଦୁର୍ଗାପୂଜାକୁ ଶୃଙ୍ଖଳିତ କରିବା ପାଇଁ ୬୩ ପ୍ଲାଟୁନ୍ ପୋଲିସ୍ ମୂତୟନ କରିଛି କମିଶନରେଟ୍ ପୋଲିସ । ହେଲେ ପୂଜା ଆରମ୍ଭ ଦିନଠୁ ହିଁ ଟ୍ରାଫିକ୍ ନିୟନ୍ତ୍ରଣ ନେଇ କମିଶନରେଟ୍ ପୋଲିସର ପାରିବା ପଣିଆ ପଦାରେ ପଡ଼ିଛି । କାରଣ ରାଜଧାନୀର ପ୍ରମୁଖ ମଣ୍ଡପ ଗୁଡ଼ିକ ସମ୍ମୁଖରେ ଏମିତି ଟ୍ରାଫିକ୍ ଜାମ୍ ହେଉଛି ଯେ, ସାଧାରଣ ଲୋକମାନେ ଟ୍ରାଫିକ୍ ଜାମରେ ଛଟପଟ ହୋଇପଡୁଥିବା ଦେଖିବାକୁ ମିଳୁଛି । ଏପରିକି ଗୋଟିଏ ଓଭର ବ୍ରିଜ ଉପରେ ଗାଡ଼ି ଅତିକ୍ରମ କରିବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି ।

ଅନ୍ୟପଟେ ରାଜଧାନୀର ଜନଗହଳିପୂର୍ଣ୍ଣ ରାସ୍ତା ରସୁଲଗଡ଼-ହଂସପାଳ ଏବଂ କଟକରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପୂରା ଦୈତ୍ୟନଗରୀ ଜାମ୍ ହୋଇପଡ଼ିଥିବା ଦେଖିବାକୁ ମିଳୁଛି । ସନ୍ଧ୍ୟାରେ ଏମିତି ଅଣଆୟତ ହୋଇପଡୁଛି ଟ୍ରାଫିକ୍ ନିୟନ୍ତ୍ରଣ ତାହା ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି । କିନ୍ତୁ ପୂଜା ମଣ୍ଡପ ଆଗରେ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହାସହ ଟ୍ରାଫିକ୍ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭାବେ ନଜର ରଖାଯାଇଥିବା କଥା ବାରମ୍ବାର ଦୋହରାଉଛି କମିଶନରେଟ୍ ପୋଲିସ୍ । ସାଧାରଣ ଦିନ ଗୁଡ଼ିକରେ ଯେଉଁ ରାସ୍ତାରେ ଆପଣଙ୍କୁ ୪-୫ କିଲୋମିଟର ଅତିକ୍ରମ କରିବା ପାଇଁ ୫ରୁ ଦଶ ମିନିଟ୍ ଲାଗୁଥାଏ ତାହା ଏବେ ୧ ଘଣ୍ଟାରୁ ଦେଢ଼ ଘଣ୍ଟା ଲାଗୁଛି । ତେବେ ଏହି ଟ୍ରାଫିକ୍ ଜାମ୍ ମଧ୍ୟରୁ ଆମ୍ବୁଲାନ୍ସ ମଧ୍ୟ ମୁକୁଳି ପାରୁନଥିବା ଅଭିଯୋଗ ହୋଇଛି ।