ଲକ୍ଷପତି ଭିକାରୀ । ଟ୍ରେନ ଧକ୍କାରେ ମରିଗଲା ପରେ ପୋଲିସ ପାଇଲା ପୁଳାପୁଳା ଟଙ୍କା, ଗଣିବାକୁ ଲାଗିଲା ୮ଘଂଟାରୁ ଅଧିକ ସମୟ । ୨ଲକ୍ଷ ଟଙ୍କାର କଏନ ଓ ନୋଟ୍, ବ୍ୟାଙ୍କ ଖାତାରେ ରହିଛି ସାଢେ ୮ଲକ୍ଷ ଟଙ୍କା ।

571

କନକ ବ୍ୟୁରୋ : ଲକ୍ଷପତି ଭିକାରୀ । ମୁମ୍ବାଇର ଜଣେ ଭିକାରୀଙ୍କ ପାଖରୁ ମିଳିଛି ୧୦ ଲକ୍ଷରୁ ଅଧିକ ଟଙ୍କା । ଏକ ଦୁର୍ଘଟଣାରେ ଭିକାରୀଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କ ଠିକଣା ଖୋଜି ଖୋଜି ଘରେ ପହଁଚିଥିଲା । ଆଉ, ଭଂଗା ଘରେ ଥିବା ଅଖା ଖୋଲିବା ବେଳକୁ ସ୍ତବ୍ଧ ପାଲଟିଯାଇଥିଲା ପୋଲିସ । ଅଖାରେ ଥିଲା ୨ ଲକ୍ଷରୁ ଅଧିକ ଟଙ୍କାର କଏନ୍ ଏବଂ ୮ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ।

ମୁମ୍ବାଇର ଲକ୍ଷପତି ଭିକାରୀ । ଅଖାରୁ ମିଳିଲା ୨ ଲକ୍ଷ ଟଙ୍କାର କଏନ୍ । ବ୍ୟାଙ୍କ ବାଲାନ୍ସ ୮ ଲକ୍ଷ ଟଙ୍କା । ସବୁଠାରୁ ବଡ କଥା ହେଉଛି, ୮ ଘଂଟାରୁ ଅଧିକ ସମୟ ଧରି ଅଖା ଗଣିବା ପରେ ପୋଲିସ ୨ ଲକ୍ଷରୁ ଅଧିକ ଟଙ୍କା ପାଇଛି । ଯେଉଁଥିରେ ରହିଛି କେବଳ ୨ ଲକ୍ଷ ଟଙ୍କାର କଏନ୍ । ଆଉ ଏସବୁ ମିଳିଛି ମୁମ୍ବାଇର ଜଣେ ଭିକାରୀଙ୍କ ପାଖରୁ । ଆସନ୍ତୁ ଜାଣିବା କିଏ ଏହି ଭିକାରି, ଯାହାଙ୍କ ପାଖରୁ ମିଳିଛି ପୁଳା ପୁଳା ଟଙ୍କା ।

ବିରଦି ଚନ୍ଦ ଆଜାଦ । ଘର-ରାଜସ୍ଥାନ, ପେଶା- ଭିକ ମାଗିବା । ମୁମ୍ବାଇର ଲୋକାଲ ଟ୍ରେନରେ ଭିକ ମାଗୁଥିବା ଆଜାଦ, ଗତ ଶୁକ୍ରବାର ଟ୍ରେନ୍ ଧକ୍କାରେ ପ୍ରାଣ ହରାଇଥିଲେ । ଗୋୱଣ୍ଡି ରେଳ ଷ୍ଟେସନରେ ଆଜାଦଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କ ସମ୍ପର୍କୀୟଙ୍କୁ ଖୋଜି ଖୋଜି ତାଙ୍କ ଘରେ ପହଁଚିଥିଲା । ରେଳ ଷ୍ଟେସନ ନିକଟରେ ଥିବା ଏକ ଝୁମ୍ପୁଡି ଘରେ କଏନ ଓ ନଗଦ ଟଙ୍କାରେ ଭର୍ତି ଅଖା ମିଳିଥିଲା । ଯେଉଁଥିରେ ରହିଥିଲା ପ୍ରାୟ ୨ଲକ୍ଷ ଟଙ୍କା । ଏହାକୁ ଗଣିବା ପାଇଁ ପୋଲିସକୁ ପ୍ରାୟ ୮ଘଂଟାରୁ ଅଧିକ ସମୟ ଲାଗିଥିଲା । କେବଳ ଏତିକି ନୁହେଁ ଏଠାରୁ ପୋଲିସକୁ ଭିକାରୀର ବ୍ୟାଙ୍କ ଖାତା ମଧ୍ୟ ମିଳିଥିଲା । ଯେଉଁଥିରେ ରହିଛି ପ୍ରାୟ ୮ଲକ୍ଷ ୭୭ହଜାର ଟଙ୍କା ।

ଆଜାଦଙ୍କ ଘରୁ ପୋଲିସକୁ ପାନ୍ କାର୍ଡ, ଆଧାର କାର୍ଡ ଓ ବରିଷ୍ଠ ନାଗରିକ କାର୍ଡ ମିଳିଛି । ଏଥିରେ ରାଜସ୍ଥାନର ଠିକଣା ରହିଛି । ପୂର୍ବରୁ ଆଜାଦ ନିଜ ପରିବାର ସହ ରହୁଥିବା ବେଳେ ପରେ ସମସ୍ତେ ଚାଲିଯାଇଥିଲେ । ଏବଂ ସେ ଏକୁଟିଆ ରହୁଥିଲେ । ଅନେକ ଦିନ ହେଲା ଭିକ ମାଗି ଚଳୁଥିଲେ ଆଜାଦ । ଜଣେ ଭିକାରୀଙ୍କ ପାଖରେ ୧୦ ଲକ୍ଷ ଟଙ୍କାର ସମ୍ପତି ପାଇ ତାଜୁବ ହୋଇଯାଇଛି ପୋଲିସ ।