୩ ମହଲା ବିଶିଷ୍ଟ ହାଇଜେନିକ୍ ମାଛ ମାର୍କେଟକୁ ମୁହଁ ମୋଡୁଛନ୍ତି ବ୍ୟବସାୟୀ: ବ୍ରହ୍ମପୁରରେ ରାସ୍ତାକଡରେ ଜମୁଛି ମାଛ କିଣାବିକା

1,193

କନକ ବ୍ୟୁରୋ: ଖାଲି ପଡିଛି ପିଣ୍ଡି । ରାସ୍ତାକଡରେ ପସରା ମେଲାଇଛନ୍ତି ବେପାରୀ । ବଜାରରେ ଗ୍ରାହକଙ୍କ ଭିଡ ଜମିଲେ ଟ୍ରାଫିକ ସମସ୍ୟା ବଢିବା ସହ ପରିବେଶ ପ୍ରଦୁଶିତ ହେଉଛି । ବ୍ରହ୍ମପୁରରେ ବେପାରୀଙ୍କ କାମରେ ଆସୁନି ହାଇଜେନିକ ମାଛ ବଜାର ।

ବ୍ରହ୍ମପୁର ସହର ବଡ ମେଡିକାଲ ସାମ୍ନାରେ ରହିଛି ମର୍ଦ୍ଦରାଜ ଭେଣ୍ଡିଙ୍ଗ୍ ଜୋନ । ମହାନଗର ନିଗମ ପକ୍ଷରୁ ୩କୋଟି ଟଙ୍କା ଖର୍ଚରେ ନିର୍ମାଣ କରାଯାଇଛି ତିନି ମହଲା ବିଶିଷ୍ଟ କୋଠା । ୨୦୨୧ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ୍ ହୋଇଥିବା କୋଠାକୁ ହାଇଜେନିକ ମାଛ ବଜାର ବୋଲି କୁହାଯାଉଛି । ମାଛ ଓ ଶୁଖୁଆ ବିକ୍ରି କରିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ ହୋଇଛି । ମାଛ ବିକ୍ରି ଲାଗି ଦୁଇଟି ମହଲାରେ ୬୦ରୁ ଅଧିକ ପିଣ୍ଡି ରହିଛି । ସବୁ ପିଣ୍ଡି ପାଖରେ ବେସିନ, ପାଣି, ଫ୍ୟାନ, ଲାଇଟ ଓ ଏକଜିଟ୍ ଫ୍ୟାନ ସବୁଧା ରହିଛି । କିନ୍ତୁ ସେଗୁଡିକ କାମରେ ଆସୁନି । ହାଇଜେନିକ ମାଛ ବଜାର ଛାଡି ବ୍ୟବସାୟୀମାନେ ରାସ୍ତାକଡରେ ପସରା ମେଲାଇ ବସୁଛନ୍ତି । ଫଳରେ ଅଳିଆ ଆବର୍ଜନା ସହ ଅସ୍ୱାସ୍ଥ୍ୟକର ପରିବେଶରେ ମାଛ ବ୍ୟବସାୟ ଚାଲିଛି ।

ପୂର୍ବରୁ କମାପଲ୍ଲୀ ଛକ ନିକଟ କୋର୍ଟ ରାସ୍ତା କଡ଼ରେ ମାଛ ବଜାର ଚାଲିଥିଲା । ଟ୍ରାଫିକ୍ ସମସ୍ୟା ସହ ଅପରିଷ୍କାର ପରିବେଶକୁ ତକ୍ରାଳୀନ ଗଞ୍ଜାମ ଓକିଲ ସଂଘ ବିରୋଧ କରିବାରୁ ମାଛ ମାର୍କେଟ୍କୁ ମର୍ଦ୍ଦରାଜ ଭେଣ୍ଡିଂ ଜୋନକୁ ସ୍ଥାନାନ୍ତର କରାଯାଇଛି । ହେଲେ ଏଠାରେ ମଧ୍ୟ ପୂର୍ବଭଳି ସ୍ଥିତି ଉପୁଜିଲାଣି । ବେପାରୀ ରାସ୍ତା କଡରେ ମାଛ ବିକୁଥିବାରୁ ଗ୍ରାହକମାନେ ଟ୍ରାଫିକ ଜାମ କରି ମାଛ କିଣୁଛନ୍ତି । ତେବେ ପିଣ୍ଡି ବ୍ୟବହାର ନକରି ରାସ୍ତାରେ ମାଛ ବିକ୍ରି କରୁଥିବା ବ୍ୟବସାୟୀଙ୍କ ପିଣ୍ଡି ଅନୁମତିକୁ ବାତିଲ କରାଯିବ ବୋଲି ବିଏମସି ମେୟର କହିଛନ୍ତି ।

ସ୍ୱାସ୍ଥ୍ୟପଦ ମାଛ ବଜାର ଥାଇ ବି ଅସ୍ୱାସ୍ଥ୍ୟକର ପରିବେଶରେ ବସି ମାଛ ବିକୁଛନ୍ତି ବ୍ୟବସାୟ । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।