ଗଲା ଲଘୁଚାପ, କମିବ ବର୍ଷା ପରିମାଣ

72

କନକ ବ୍ୟୁରୋ: ଓଡ଼ିଶାରୁ ଲଘୁଚାପ ବିଦାୟ ନେଇ ଗତକାଲି ମଧ୍ୟ ପ୍ରଦେଶ ଏବଂ ଏହାର ଆଖପାଖରେ ପହଞ୍ଚିଛି । ସେଠାରେ ୱେଲ୍ ମାର୍କଡ୍ ଲଘୁଚାପରେ ପରିଣତ ହୋଇଛି । ଏହା ଗୁଜରାଟକୁ ଗତି କରି ଅବପାତର ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପ ଗଲା ପରେ ରାଜ୍ୟରେ ବର୍ଷା ପରିମାଣ କମିବାର ସମ୍ଭାବନା ଥିଲେ ବି ମୌସୁମୀ ପ୍ରଭାବରେ ଲାଗି ରହିବ ବର୍ଷା ।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଲଘୁଚାପ ବିଦାୟ ନେବା ପରେ ବି ଦକ୍ଷିଣ ପୂର୍ବ ଦିଗରୁ ପବନ ବହୁଛି । ଏହାର ବେଗ ଘଣ୍ଟା ପିଛା ୩୫ରୁ ୫୫ କି.ମି.। ଏଣୁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ଯିବା ନିମନ୍ତେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ବାୟୁରେ ଜଳୀୟବାଷ୍ପ ରହୁଥିବାରୁ ପବନ ସଂସ୍ପର୍ଶରେ ଆସି ମଝିରେ ମଝିରେ ବର୍ଷା କରାଉଛି । ସେହିପରି ଏକ ମୌସୁମୀ ଟ୍ରଫ୍ ଲାଇନ କୋରାପୁଟ ଦେଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରକୁ ଯାଇଛି । ଲଘୁଚାପ ଯିବା ପରେ ବର୍ଷାର ପରିମାଣ କମିବ ସତ, କିନ୍ତୁ ବର୍ଷା ପୂରା ଠପ୍ ହେବନାହିଁ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଗତ ୪୮ ଘଣ୍ଟା ମଧ୍ୟରେ ଗୋପାଳପୁର, ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ଏବଂ ସେମିଳିଗୁଡ଼ାରେ ପ୍ରାୟ ୭୦ ମିଲିମିଟର ବର୍ଷା ହୋଇଥିଲା । ସେହିପରି ମାଲକାନଗିରି, ନବରଙ୍ଗପୁର, ନିମାପଡ଼ାରେ ୬୦ ମି.ମି., ନବରଙ୍ଗପୁର ଜିଲ୍ଲାର କୋସାଗୁମଡ଼ା, ନୂଆପଡ଼ା ଜିଲ୍ଲାର କୋମନା, ଖପ୍ରାଖୋଲରେ ୫୦ ମି.ମି., ସୁକିନ୍ଦା, ଛତ୍ରପୁର, କୃଷ୍ଣପ୍ରସାଦ, ଖୋର୍ଦ୍ଧାର ଟାଙ୍ଗୀ, ବାଙ୍ଗିରିପୋଷୀ, ଖରିଆର, ବାଙ୍କୀ, ପୁରୀ, ସତ୍ୟବାଦୀ, ମାର୍ଶାଘାଇ, କଳିଙ୍ଗା, ହିନ୍ଦୋଳ, କେନ୍ଦ୍ରାପଡ଼ା, ଡେରାବିଶରେ ୪୦ ମି.ମି., ଦୈତାରି, କାକଟପୁର, ବିଞ୍ଝାରପୁର, ନିଶ୍ଚିନ୍ତକୋଇଲି, ରଣପୁର, ରଘୁନାଥପୁର, ମାହାଙ୍ଗା, କାଶୀନଗର, ରେଢ଼ାଖୋଲ, ଜଗତସିଂହପୁର ଆଦି ସ୍ଥାନରେ ୩୦ ମି.ମି. ବର୍ଷା ହୋଇଥିଲା । ବାଲେଶ୍ୱରରେ ୨୫.୩ ମି.ମି. ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୨୪.୪ ମି.ମି., କଟକରେ ୨୩.୬ ମି.ମି., ଝାରସୁଗୁଡ଼ାରେ ୨୩ ମି.ମି., କେନ୍ଦୁଝରରେ ୨୨.୪ ମି.ମି. ବର୍ଷା ହୋଇଥିଲା । ଗତକାଲି ସନ୍ଧ୍ୟା ସୁଦ୍ଧା ଚାନ୍ଦବାଲିରେ ୧୫ ମି.ମି. ବର୍ଷା ହୋଇଥିବା ବେଳେ ଅନୁଗୁଳ, ଭୁବନେଶ୍ୱର, ବାଲେଶ୍ୱରରେ ସାମାନ୍ୟ ବର୍ଷା ହୋଇଛି ।