ଆଜି ଶେଷ ରଜକୁ ବେଶ ଧୂମଧାମର ସହ ପାଳନ କରୁଛନ୍ତି ରାଜ୍ୟବାସୀ । ଚାରିଆଡେ ଉତ୍ସବର ମାହୋଲ ସାଙ୍ଗକୁ ପିଠା, ପଣାର ମହକ ।

60

କନକ ବ୍ୟୁରୋ: ଆଜି ଶେଷ ରଜକୁ ବେଶ ଧୂମଧାମର ସହ ପାଳନ କରୁଛନ୍ତି ରାଜ୍ୟବାସୀ । ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳୁଥିବା ବେଳେ ପିଠା, ପଣାର ମହକରେ ବାସି ଉଠୁଛି ପ୍ରତିଟି ଓଡ଼ିଆ ଘର । ଆଜି ରବିବାର ହୋଇଥିବାରୁ ସକାଳୁ ସକାଳୁ ଆମିଷ ମାର୍କେଟରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଲାଣି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରକୁ ପର୍ଯ୍ୟାପ୍ତ ପରିମାଣର ମାଛ, ଚିକେନ, ମଟନ, ଚିଙ୍ଗୁଡ଼ି ଓ କଙ୍କଡା ମଧ୍ୟ ଅଣାଯାଇଛି । ତିନି ଦିନ ଧରି ପାଳନ ହେଉଥିବା ଏହି ଗଣପର୍ବର ଆଜି ଅନ୍ତିମ ଦିନ ହୋଇଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । କୁଆଁରୀ ଝିଅଠାରୁ ଆରମ୍ଭ କରି ବିବାହିତା ନାରୀ ଏବଂ ପିଲାଠୁ ବୁଢା ସମସ୍ତେ ରଜପର୍ବରେ ନିଜକୁ ସାମିଲ କରି ଦୋଳି ଖେଳିବା ସହ ସୁସ୍ୱାଦୁ ପିଠା ପଣାର ମଜା ଉଠାଉଛନ୍ତି ।

ବିଦେଶରେ ରହି ବି ଓଡ଼ିଆ ଭୁଲି ନାହାଁନ୍ତି ନିଜ ସଂସ୍କୃତି ଓ ପରମ୍ପରାକୁ । ସୁଦୂର ବାହାରିନ ଓ ଅଷ୍ଟ୍ରେଲିଆରେ ପ୍ରବାସୀ ଓଡ଼ିଆ ମାନେ ମଧ୍ୟ ଓଡ଼ିଶାର ଗଣପର୍ବ ରଜକୁ ବେଶ ଆଡ଼ମ୍ବରର ସହ ପାଳନ କରୁଥିବା ଦେଖିବାକୁ ମିଳିଛି । ବାହାରିନ ରାଜଧାନୀ ମାନାମା ଠାରେ ଓଡ଼ିଆ ସମାଜ ପକ୍ଷରୁ ରଜ ମହୋତ୍ସବ ପାଳନ କରାଯାଇଛି । ବହୁ ସଂଖ୍ୟାରେ କୁଆଁରୀ ଝିଅ ଓ ମହିଳା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେବା ସହ ରଜ ପର୍ବକୁ ମନଭରି ଉପଭୋଗ କରିଛନ୍ତି । ସେପେଟେ ଅଷ୍ଟ୍ରେଲିଆର ସିଡ଼ନରେ ମଧ୍ୟ ପ୍ରବାସୀ ଓଡ଼ିଆ ମାନେ ରଜ ଉତ୍ସବ ପାଳନ କରିଛନ୍ତି ।

ସେହିପରି ସାଉଦିଆରବରେ ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରବାସୀ ଓଡ଼ିଆ ସଂଗଠନ ଉକ୍ରଳିକା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉଦ୍ଧ୍ୱର୍ ପ୍ରବାସୀ ଓଡ଼ିଆ ସଦସ୍ୟ ଯୋଗଦେଇଥିଲେ । କୁନି କୁନି ପିଲାଙ୍କୁ ନେଇ ରଜ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ମହିଳା ଓ କୁଆଁରୀ ଝିଅ ମାନେ ପାଦରେ ଅଳତା, ହାତରେ ମେହେନ୍ଦି, ମଥାରେ କୁଙ୍କୁମ ଲଗାଇ ସଜ ହେବା ସହିତ ଦୋଳି ଖେଳି ରଜର ମଜା ନେଇଥିଲେ । ଦୁବାଇରେ ମଧ୍ୟ ରଜ ମହୋତ୍ସବ ବେଶ ଧୁମଧାମରେ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ ।