ଗ୍ୟାଙ୍ଗଷ୍ଟାର ଟିଟୋର ଏକ ସୈାଖିନ ଗାଡିକୁ ପାଣିକୋଇଲିରୁ ଜବତ କଲା ସ୍ପେଶାଲ ତଦନ୍ତକାରୀ ସଂସ୍ଥା ଏସଟିଏଫ : ଏବେ ବି ଅନେକ ସ୍ଥାନରେ ଚଢଉ ଜାରି
କନକ ବ୍ୟୁରୋ : ଓଡିଶାରେ ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିବା ଗ୍ୟାଙ୍ଗଷ୍ଟାର ଟିଟୋର ଗୋଟିଏ ପରେ ଗୋଟିଏ କଳାକାରନାମା ଖୋଜି ବାହାର କରୁଛି ଏସଟିଏଫ । ତେବେ ମିଳିଥିବା ସୂଚନା ଅନୁସାରେ ଯାଜପୁରର ପାଣିକୋଇଲି ପେଟ୍ରୋଲ ପମ୍ପ ନିକଟରୁ ଗ୍ୟାଙ୍ଗଷ୍ଟର ଟିଟୋର ସମ୍ପର୍କୀୟଙ୍କ ଏକ ସୈାଖିନ ଗାଡ଼ିକୁ ପାଣିକୋଇଲି ପୋଲିସ ଜବତ କରିଛି। ଜବତ ଗାଡ଼ିଟି ସଏଦ୍ ସଦାମ ଅଲ୍ଲି ନାମରେ ପଞ୍ଜୀକୃତ ହୋଇଥିବା ବେଳେ ୨୦୧୭ ମସିହାର ମଡେଲ୍ ବୋଲି ଜଣାପଡ଼ିଛି। ଗ୍ୟାଙ୍ଗଷ୍ଟର୍ ଟିଟୋର ସାମ୍ରାଜ୍ୟ ଉପରେ ଏସଟିଏଫ ଚଢଉ ଜାରି ରଖିଥିବା ବେଳେ ଠୁଳ କରିଥିବା କୋଟି କୋଟି ଟଙ୍କାର ସଂପତ୍ତିକୁ ଲୁଚାଇବା ପାଇଁ ତାର ସଂପର୍କୀୟ ଓ ସହଯୋଗୀମାନେ ଲାଗିପଡ଼ିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
୧୬ ନମ୍ବର ଜାତୀୟ ରାଜପଥ (କଟକ-ବାଲେଶ୍ୱର) ପାର୍ଶ୍ୱ ପାଣିକୋଇଲିସ୍ଥିତ ଶର୍ମା ପେଟ୍ରୋଲ ପମ୍ପ ନିକଟରୁ ପୁଲିସ ଟୋୟୋଟା ଫର୍ଚୁନର୍ କାର (ଓଡି-୦୨ଏକେ୪୧୭୯)କୁ ଆଜି ରାତିରେ ଜବତ କରିଛି। ଏହି ଗାଡ଼ିକୁ ପାଲ ଘୋଡ଼ା ଯାଇ ରଖାଯାଇଥିଲା। କାର୍ଟିକୁ ଏଠାରେ ଦୁଇ ତିନି ଦିନ ପୂର୍ବରୁ ପାଲ ଢାଙ୍କି ଲୁଚାଇ ରଖାଯାଇଥିବା ଖବର ଏସଟିଏଫ୍ ଜାଣିବା ପରେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପାଣିକୋଇଲି ଥାନା ପୁଲିସ ଗତକାଲି ରାତିରେ ଚଢଉ କରି ଗାଡ଼ି ଜବତ କରିଛନ୍ତି।ତେବେ ଟିଟୋ ମାମଲାରେ ଅନେକ ସରକାରୀ ବାବୁମାନେ ଥିବା ନେଇ ଏସଟିଏଫ ସନ୍ଦେହ କରୁଛି । ତେଣୁ ସମସ୍ତ ଦଗକୁ ଦୃଷ୍ଟିରେ ରଖି ତଦନ୍ତ ପ୍ରକ୍ରିୟାକୁ ତ୍ୱରିତ କରିଛି ପୋଲିସ । ସାରା ଓଡିଶାରେ ଟିଟୋର ଯେଉଁ ସବୁ ଅଞ୍ଚଳରେ କଳା ବ୍ୟବସାୟ ଓ ଗାଡିମଟର ରହିଛି ତାହାର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତଦନ୍ତ କରୁଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।