କନକ ବ୍ୟୁରୋ : ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ମାଡ ତତ୍ତ୍ୱକୁ ନେଇ ଚର୍ଚ୍ଚା । ଲାଂଚ ମାଗୁଥିବା ଅଧିକାରୀ ଓ ପଂଚାୟତ ପ୍ରତିନିଧିଙ୍କୁ ଚପଲରେ ପିଟିବାକୁ କହିଲେ ମନ୍ତ୍ରୀ । ଦିଗପହଣ୍ଡିରେ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ଏଭଳି ଆହ୍ୱାନ କରିଛନ୍ତି ମନ୍ତ୍ରୀ । ଆଉ ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଏଇଥି ପାଇଁ ଯେ, ଦିନେ ବିଜୁ ବାବୁ ମଧ୍ୟ ଏଭଳି ଆହ୍ୱାନ କରିଥିଲେ । ଦୁର୍ନୀତିଗ୍ରସ୍ତ ବାବୁ ମାନଙ୍କୁ ମାଡ ମାରିବାକୁ କହିଥିଲେ । ପ୍ରଶ୍ନ ଉଠୁଛି, କଣ ବିଜୁ ବାବୁଙ୍କ ନାଁରେ ଗଠିତ ଦଳ ତାଙ୍କ ମାଡ ତତ୍ତ୍ୱକୁ ଆପଣେଇ ନେଇଛି । ତେବେ ସଭା ମଂଚରୁ ମନ୍ତ୍ରୀଙ୍କ ଏଭଳି ଆହ୍ୱାନକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଚର୍ଚ୍ଚା ହେଉଛି ବିଜୁ ପଟ୍ଟନାୟକଙ୍କ ନାଁରେ ଗଠିତ ବିଜେଡି, ବିଜୁ ବାବୁଙ୍କ ମାଡ ତତ୍ୱକୁ ଆପଣେଇ ନେଇଛି କି ? କାରଣ ୧୯୯୩ ମସିହାରେ ଦୁର୍ନୀତିଗ୍ରସ୍ତ ସରକାରୀ ବୁବୁମାନଙ୍କୁ ମାଡ ମାରିବାକୁ ଆହ୍ୱାନ କରିଥିଲେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଅଭିଯୋଗ ଅନୁସାରେ ଦୁର୍ନୀତିର ଗନ୍ତାଘର ପାଲଟିଥିଲା ରାଜ୍ୟ ସଚିବାଳୟ । ଲାଂଚ ନଦେଲେ ହେଉନଥଲା ଫାଇଲ କାମ । ଆଉ ବିଜୁ ବାବୁଙ୍କ ପାଖରେ ଏହି ଅଭିଯୋଗ ପହିଂଚିବା ପରେ ସେ ଲାଂଚ ମାଗୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ମାଡ ମାରିବାକୁ ଆହ୍ୱାନ ଦେଇଥିଲେ । ଆଉ ଏବେ ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ଜଣେ ଦାୟିତ୍ୱବାନ ମନ୍ତ୍ରୀ ଦୋହରାଇଛନ୍ତି ସେହି ମାଡ ତତ୍ୱ ।
କୁହାଯାଉଛି ଜିଲ୍ଲାପାଳଙ୍କ ସମ୍ମିଳନୀରେ ପିସି କାରବାର ସଂପୂର୍ଣ୍ଣ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପଂଚାୟତ ସ୍ତରରେ ଲାଂଚ କାରବାର ବିରୋଧରେ କଡା ଆଭିମୁଖ୍ୟ ଆପଣେଇଛି ଶାସକ ଦଳ । ହେଲେ ମନ୍ତ୍ରୀଙ୍କ ଏଭଳି ଖୋଲାଖୋଲି ମାଡ ଆହ୍ୱାନକୁ ବିରୋଧ କରାଯାଇଛି ।
ପିସି ବିରୋଧରେ ସରକାରଙ୍କ କଡା ଆଭିମୁଖ୍ୟ ସ୍ୱାଗତଯୋଗ୍ୟ । ହେଲେ କଥା ଅଟକିଛି ମନ୍ତ୍ରୀଙ୍କ ମାଡ ତତ୍ୱ ଉପରେ ।
୧- ଯଦି ମନ୍ତ୍ରୀଙ୍କ କଥାରେ ଲୋକେ ମାଡ ମାରନ୍ତି ସେଥିପାଇଁ କିଏ ଦାୟୀ ରହିବ?
୨- ମାଡ ମାରିଥିବା ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବେ ନା ନାହିଁ?
୩- ଆଇନ ଅନୁଯାୟୀ କୌଣିସି କାର୍ଯ୍ୟାନୁଷ୍ଠାନ ହେବ ନେହିଁ ବୋଲି ସରକାର ନିଶ୍ଚିତ କରିବେ କି?
୪- ଲାଂଚୁଆଙ୍କୁ ମାଡ ନେଇ ସରକାର କ’ଣ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିପାରିବେ?