ମୁଖ୍ୟମନ୍ତ୍ରୀଙ୍କୁ ହଜାରେ ଚିଠି ଲେଖି ଦୁଃଖ ଜଣାଇଲେ ବନ୍ୟା କ୍ଷତିଗ୍ରସ୍ତ: ଧନୁଆ ନଦୀରେ ବନ୍ୟା ଆସିଲେ ଜଳମଗ୍ନ ହୁଏ ଶତାଧିକ ଗାଁ

60

କନକ ବ୍ୟୁରୋ: ଧନୁଆ ବନ୍ୟାଂଚଳରୁ ନବୀନ ନିବାସକୁ ୧ହଜାର ଚିଠି । ପୁରୀ ଜିଲ୍ଲାର ୪ଟି ବ୍ଲକର ହଜାର ହଜାର ଲୋକ ଧନୁଆ ନଦୀରେ ବନ୍ୟା ଯୋଗୁଁ ଧନ ଜୀବନ ହରାଇଥାଆନ୍ତି । ଏପରିକି ବନ୍ୟା ଯୋଗୁଁ ଚାଷୀ ମାନଙ୍କର ଚାଷ ଉଜୁଡ଼ିଯାଇଥାଏ । ଏହାର ସ୍ଥାୟୀ ସମାଧାନ ପାଇଁ ଅଂଚଳବାସୀ ବାରମ୍ବାର ଦାବି କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସ୍ଥାନୀୟ ବାସିନ୍ଦା । ବାରମ୍ବାର ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ଗୋପରେ ଥିବା ଡାକ ଘରକୁ ଆସି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇଛନ୍ତି । ପ୍ରତିବର୍ଷ ବନ୍ୟା ପାଣି ଆସିବା ଯୋଗୁଁ ସର୍ବସ୍ୱ ହରାଉଛନ୍ତି ଅଂଚଳବାସୀ ।

ତେଣୁ ଧନୁଆ ନଦୀର ବିଭିଷିକା ଓ ସେମାନଙ୍କ ସମସ୍ୟାର କିପରି ସମାଧାନ ହେବ ସେନେଇ ଚିଠି ଲେଖିଛନ୍ତି ସ୍ଥାନୀୟ ଲୋକ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଅଭିଯୋଗକୁ ନିଶ୍ଚିତ ଧ୍ୟାନ ଦେବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ପ୍ରତିବର୍ଷ ଧନୁଆ ନଦୀର ବନ୍ୟା ଆସିବା ଦ୍ୱାରା ଗୋପ, ନିମାପଡ଼ା, ବାଲିପାଟଣା, ବାଲିଅନ୍ତା ବ୍ଲକର ୪୨ଟି ପଂଚାୟତର ଶହ ଶହ ଗାଁ ଜଳମଗ୍ନ ହୋଇଥାଏ । ଭୋକ ଉପାସରେ ଜୀବନ ବିତାଇଥାଆନ୍ତି ବିପନ୍ନ ପରିବାର । ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ପଶିବା ଫଳରେ ଚାଷୀ ମାନେ ଚାଷ ହରାଇଥାଆନ୍ତି । ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି ହୋଇଛି ।