ପୁଣି ଗଣତି ହେବ ଝାରସୁଗୁଡ଼ାର ୧୩ଟି ବୁଥର ଇଭିଏମ୍: ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ନିର୍ବାଚନ କମିଶନ

1,739

କନକ ବ୍ୟୁରୋ: ଝାରୁସୁଗୁଡାରେ ପୁଣି ଯାଂଚ ହେବ ଇଭିଏମ୍ । ଏଠାରେ ପୋଖତ ରାଜନେତା ସ୍ୱର୍ଗତ ନବ ଦାସଙ୍କ ଝିଅ ତଥା ବିଜେଡି ପ୍ରାର୍ଥୀ ଦୀପାଳୀ ଦାସ ଅଳ୍ପ ଭୋଟରେ ନିର୍ବାଚନ ହାରିଛନ୍ତି । ମାତ୍ର ୧ ହଜାର ୩୩୩ ଭୋଟରେ ଜିତିଛନ୍ତି ବିଜେପିର ଟଙ୍କଧର ତ୍ରିପାଠୀ । ଭୋଟ୍ ଗଣତି ବା ଇଭିଏମ୍ ତ୍ରୁଟି ରହିଥିବା ଆଶଙ୍କା କରି ଦୀପାଳି ଦାସ, ଇଭିଏମର ପୁନଃ ଯାଂଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଆଉ ଏହାକୁ ଗ୍ରହଣ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ।

ଝାରସୁଗୁଡ଼ାର ଦୁଇ ପ୍ରତିଦ୍ୱନ୍ଦୀ । ଦୁଇ ଜଣ ଯାକ ପୋଖତ୍ ରାଜନେତା । ଜଣେ ପୂର୍ବତନ ମନ୍ତ୍ରୀଙ୍କ ଝିଅ, ଆଉ ଜଣେ ବିଜେପିର ଲଢ଼ୁଆ ନେତା । ଯଦିଓ ନିର୍ବାଚନରେ ବିଜେପି ନେତା ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଛନ୍ତି, ତଥାପି ବ୍ୟବଧାନ କିନ୍ତୁ ବେଶୀ ନୁହେଁ । ମାତ୍ର ୧ ହଜାର ୩୩୩ । ମାନେ ପୁରା କଡ଼ା ଟକ୍କର । ଠିକ୍ ଏମିତି ବେଳେ ନିର୍ବାଚନ କମିଶନ୍ ଦୀପାଳି ଦାସଙ୍କ ସେଇ ଆବଦେନକୁ ଗ୍ରହଣ କରିଛନ୍ତି, ଯେଉଁ ଆବେଦନ ଇଭିଏମ୍ ଯାଂଚ୍ ପାଇଁ ନିର୍ବାଚନ କମିଶନଙ୍କ ପାଖରେ କରିଥିଲେ ବିଜେଡି ପ୍ରାର୍ଥୀ ।

ଭୋଟ୍ ଗଣତି ବା ଇଭିଏମ୍ ତ୍ରୁଟି ରହିଥିବା ଆଶଙ୍କା କରି ଦୀପାଳି ଦାସ, ଇଭିଏମର ପୁନଃ ଯାଂଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଚଳିତ ନିର୍ବାଚନର ଭୋଟ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ ୫ ପ୍ରତିଶତ ଇଭିଏମ୍ର ପୁନଃ ଯାଂଚ କରିବା ପାଇଁ ଆବେଦନ କରିପାରିବେ ବୋଲି ନିର୍ବାଚନ କମିଶନ୍ଙ୍କ ନିର୍ଦ୍ଦେଶ ରହିଥିଲା । ଏହି ନିୟମ ଆଧାରାରରେ ଦୀପାଳି ୫ ପ୍ରତିଶତ ସେଟ୍ ବା ୧୩ଟି ଇଭିଏମ୍ ଓ ଭିଭିପାଟ୍ ଯାଂଚ ପାଇଁ ଆବେଦନ କରିଥିଲେ ।

୧୩ଟି ବୁଥରେ, ୧୩ ସେଟ୍ ଇଭିଏମ୍ ଓ ଭିଭିପାଟ୍ ଯାଂଚ୍ ହେବ । ଆଉ ଏହି ଯାଂଚର ଫଳାଫଳ କ’ଣ ହେବ ଏବଂ ତାହା ପ୍ରକାଶିତ ଫଳ ଉପରେ କ’ଣ ପ୍ରଭାବ ପକାଇବ ତାହା ଉପରେ ନଜର ।