ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ବଡ ବୟାନ ଦେଲେ ପଞ୍ଜାବ ମନ୍ତ୍ରୀ । କହିଲେ, ଫ୍ଲପ୍ ସଭା ଜାଣିବା ପରେ ପ୍ରଧାନମନ୍ତ୍ରୀ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ ।

337

କନକ ବ୍ୟୁରୋ : ପଞ୍ଜାବରେ ଫ୍ଲାଏଓଭର ଉପରେ ମୋଦୀଙ୍କ କାରକେଡ ୧୫ରୁ ୨୦ ମିନିଟ୍ ରହିବା ପରେ ଗୃହ ମନ୍ତ୍ରାଳୟ ଏହାକୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ବୋଲି କହିଛି । ଏପରିକି ଏନେଇ ପଞ୍ଜାବ ସରକାରଙ୍କୁ ରିପୋର୍ଟ ମଗାଯାଇଛି ।   ଅନ୍ୟପଟେ ମୋଦୀ ବିମାନବନ୍ଦରରେ ପହଞ୍ଚିବା ପରେ କହିଛନ୍ତି ଯେ, ମୁଁ ବିମାନବନ୍ଦର ପର୍ଯ୍ୟନ୍ତ ଜୀବନ୍ତ ଫେରିଛି, ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ । କିଛି ଏଭଳି କହି ପରୋକ୍ଷରେ ପଞ୍ଜାବ ସରକାରର ସୁରକ୍ଷା ବ୍ୟବସ୍ଥା ଉପରେ ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି ମୋଦୀ ।

ତେବେ ଏସବୁ ଭିତରେ ଚନ୍ନି ସରକାରର ସୁରକ୍ଷାକବଚ ସାଜି ଛିଡା ହୋଇଛନ୍ତି କଂଗ୍ରେସ ନେତା ।  ପଞ୍ଜାବର ମନ୍ତ୍ରୀ ରାଜକୁମାର ଭର୍କା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ନଥିଲା । ଯେଉଁ ଅଭିଯୋଗ ଆସୁଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । କିନ୍ତୁ ସତ ହେଉଛି, ବିଜେପିର ସଭା ଫ୍ଲପ୍ ହୋଇଥିଲା । ଆଉ ପ୍ରଧାନମନ୍ତ୍ରୀ ଯେତେବେଳେ ଏହା ବାବଦରେ ଜାଣିଲେ ସେତେବେଳେ ସେ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ । କିଛି ଏଭଳି କହି ଚନ୍ନି ସରକାର ଉପରେ ଆସୁଥିବା ଅଭିଯୋଗର ଜବାବ ରଖିଛନ୍ତି ପଞ୍ଜାବ ମନ୍ତ୍ରୀ ।

ସେହିଭଳି କଂଗ୍ରେସ ମହାସଚିବ ରଣଦୀପ ସୂର୍ଯ୍ୟେବାଲା କହିଛନ୍ତି, ରାଲି ରଦ୍ଦ ହେବାର ମୁଖ୍ୟ କାରଣ ହେଉଛି ଖାଲି ପଡିଥିବା ଚୌକି । ଏହାର ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି ରଣଦୀପ । ବିତଣ୍ଡା ବୟାନ ଛାଡି ଆତ୍ମମନ୍ଥନ କରିବା ଉଚିତ୍ । ପଞ୍ଜାବ ଲୋକ ରାଲିକୁ ନଯାଇ ଅହଙ୍କାରୀ କ୍ଷମତାକେନ୍ଦ୍ରକୁ ଆଇନା ଦେଖାଇଛନ୍ତି ।

ଅନ୍ୟପଟେ ଏହି ଘଟଣା ପରେ ଟ୍ୱିଟ୍ କରି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ନଡ୍ଡା କହିଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ ଫ୍ଲାଏଓଭରରେ ଫଶି ରହିଥିଲା ସେତେବେଳେ ଚରଣଜିତ୍ ସିଂ ଚନ୍ନି ଏପ୍ରସଙ୍ଗରେ ଫୋନରେ କଥା ହେବାକୁ ମନା କରିଥିଲେ । ତେବେ ଏସଭୁ ଅଭିଯୋଗ ଭିତରେ ମୁହଁ ଖୋଲିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ।

ସ୍ଥାନୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଚନ୍ନି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ନଥିଲା । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲି । ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ସଭାସ୍ଥଳକୁ ଆସିବାର ଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ରୁଟ୍ ପ୍ଲାନ ବଦଳିଥିଲା ଏବଂ ସେ ସଡକପଥରେ ଆସିଥିଲେ ।  ରାଜନୈତିକ ଆକ୍ରୋଶ ରଖି ବିଜେପି ପଞ୍ଜାବ ସରକାରଙ୍କ ଉପରେ ଅଭିଯୋଗ ଆଣୁଛି । ପ୍ରଧାନମନ୍ତ୍ରୀଙ୍କ ରାଲିରେ ୭୦ ହଜାର ଚୌକି ପଡିଥିଲା କିନ୍ତୁ ସଭାସ୍ଥଳକୁ ମାତ୍ର ୭୦୦ ଲୋକ ଆସିଥିଲେ ।

କଣ ଥିଲା ପୂରା ଘଟଣା?

ପଞ୍ଜାବରେ ମଝି ରାସ୍ତାରେ ଅଟକିଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ । ଫ୍ଲାଏଓଭର ଉପରେ ପ୍ରାୟ ୧୫ରୁ ୨୦ ମିନିଟ୍ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫଶି ରହିଥିଲା । ଆଉ ଏହିଠାରୁ ସଭାସ୍ଥଳକୁ ଯିବା ପରିବର୍ତ୍ତେ ପୁଣିଥରେ ବିମାନବନ୍ଦର ଅଭିମୁଖେ ବାହାରିଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ । ଆଉ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ସଭା । ପ୍ରଥମେ ବର୍ଷା କାରଣରୁ ମୋଦୀଙ୍କ ସଭା ବାତିଲ ହୋଇଥିବା କୁହାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁରକ୍ଷା ସମ୍ବନ୍ଧୀୟ କାରଣରୁ ସଭା ବାତିଲ ହୋଇଥିବା କୁହାଯାଉଛି । ଏପରିକି ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ଜବାବ ମଗାଯାଇଛି ।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଆଜି ସକାଳୁ ପ୍ରଧାନମନ୍ତ୍ରୀ ମୋଦୀ ବଠିଣ୍ଡାରେ ପହଞ୍ଚିଥିଲେ । ମେଘୁଆ ପାଗ ଯୋଗୁ ପ୍ରାୟ ୨୦ ମିନିଟ୍ ଅଟକିବା ପରେ ସଡକପଥରେ ରାଷ୍ଟ୍ରୀୟ ସହିଦ ସ୍ମାରକ ଯାଇଥାନ୍ତେ । ଯେଉଁଥିରେ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ସଙ୍ଗେ ସଙ୍ଗେ ପଞ୍ଜାବ ପୋଲିସ ଡିଜିଙ୍କୁ ଜଣାଇବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଥିଲା ।

ତେବେ ରାଷ୍ଟ୍ରୀୟ ସହିଦ ସ୍ମାରକୀ ଠାରୁ ୩୦ କିଲୋମିଟର ଦୂରରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଥିବା ବେଳେ ଏକ ଫ୍ଲାଏଓଭରରେ ଅଟକିବାକୁ ପଡିଲା । କାରଣ ଆଗକୁ ପ୍ରତିବାଦ କରୁଥିଲେ ପ୍ରଦର୍ଶନକାରୀ । ଆଉ ଉକ୍ତ ଫ୍ଲାଏଓଭର ଉପରେ ୧୫ରୁ ୨୦ ମିନିଟ୍ ଫଶି ରହିବା ପରେ ବିମାନବନ୍ଦର ଅଭିମୁଖେ ମୋଦୀଙ୍କ କାରକେଡ ବାହାରିଥିଲା । ଆଉ ଏହାକୁ ଗୃହ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ବୋଲି ଦର୍ଶାଇଛି । କାରଣ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ପୂର୍ବରୁ ପଞ୍ଜାବ ସରକାରଙ୍କୁ କୁହାଯାଇଥିଲା । ଯାହାକୁ ଧ୍ୟାନରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି, ବ୍ୟବସ୍ଥା କରିବା କଥା । ଏପରିକି ଜରୁରୀକାଳୀନ ସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତି ରହିବାର ଆବଶ୍ୟକ ଥିଲା । ଯେହେତୁ ପ୍ରଧାନମନ୍ତ୍ରୀ ସଡକ ମାର୍ଗରେ ଯାଉଥିଲେ ତେଣୁ ଅତିରିକ୍ତ ପୋଲିସ ନିୟୋଜିତ କରିବା କଥା । ଯାହା କରାଯାଇନଥିଲା । ଯେଉଁଥିପାଇଁ ପଞ୍ଜାବ ସରକାରଙ୍କୁ ଏ ସମ୍ବନ୍ଧରେ ବିସ୍ତୃତ ରିପୋର୍ଟ ଦେବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।