ମହିଳା ଚଲାଉଛନ୍ତି ମିଶନ ଶକ୍ତି ଅଟୋ । ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଂଚାଇ ଯୋଗାଉଛନ୍ତି ସେବା । 

109

କନକ ବ୍ୟୁରୋ: ମିଶନ୍ ଶକ୍ତି ଅଟୋ ଚଲାଇ ପରିବାର ପ୍ରତିପୋଷଣ କରିବା ସହିତ ଆତ୍ମନିର୍ଭରଶୀଳ ହେଉଛନ୍ତି ମହିଳା । ଘରକାମ ସାରି କିଛି ରୋଜଗାର କରବା ଆଶା ମହିଳା ମାନେ ବିଭିନ୍ନ ପ୍ରକାର କାର୍ଯ୍ୟ ଆପଣାଉଛନ୍ତି । ଲୋକଙ୍କ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଂଚାଇ ସେବା ଯୋଗାଉଛନ୍ତି । କିଛି କରିବା ଏବଂ ଆଗକୁ ବଢିବାର ଇଛା ତାଙ୍କୁ ଦେଇଛି ସଫଳତା ।

ମିଶନ ଶକ୍ତି ଅଟୋ ଚଳାଉଛନ୍ତି କେନ୍ଦ୍ରାପଡ଼ା ବଛରେଇ ଗାଁର ଦମୟନ୍ତି । ଦମୟନ୍ତି ଜଣେ ଗୃହିଣୀ । ଘରର ଦୈନ୍ୟନ୍ଦିନ କାମ ସାରି ସେ ଏହି କାମ କରୁଛନ୍ତି । ସ୍ଥାନୀୟ ଅଂଚଳର ଲୋକଙ୍କୁ ମେଡ଼ିକାଲ ନେବା, ଏସଏଚଜି ମହିଳାଙ୍କୁ ବ୍ଲକ କାର୍ଯ୍ୟାଳୟରେ ପହଂଚାଇବା ଭଳି କାମ କରି ସ୍ଥାନୀୟ ଅଂଚଳରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

ମିଶନଶକ୍ତି ବିଭାଗ ପକ୍ଷରୁ ଦମୟନ୍ତିଙ୍କୁ ଇଲେକ୍ଟ୍ରିକ୍ ଅଟୋ ଯୋଗାଇଦିଆଯାଇଛି । ଗ୍ରାମୀଣ ପରିବହନ ସେବା ଯୋଜନାରେ ଅଟୋ ଚଳାଉଛନ୍ତି ମହିଳା । ଏହି ଅଟୋ ଥରେ ଚାର୍ଜ ହେଲେ ୧୦୦ କିଲୋମିଟର ଚାଲିଥାଏ । ଦମୟନ୍ତିଙ୍କ ସଫଳତା ଏବଂ ଆତ୍ମନିର୍ଭରଶିଳ ହେବାର କାହାଣୀ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।