ସାମ୍ନାକୁ ଆସିଲା ଭାଇରାଲ୍ ଭିଡିଓର ସତ: ଛୁଟିରେ ନାହାଁନ୍ତି ଚର୍ଚ୍ଚିତ ଆଇଆଇସି

8,522

କନକ ବ୍ୟୁରୋ: ପୂର୍ବ ସରକାରରେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ମୋହନ ମାଝିଙ୍କୁ ଦୁର୍ବ୍ୟବହାର ଦେଖାଇଥିଲେ ଆଇଆଇସି । ହେଲେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଆଇଆଇସି ଛୁଟିରେ ଚାଲିଥିବା ଚର୍ଚ୍ଚା ହେଉଥିଲା । ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଛୁଟିରେ ନୁହେଁ ଡ୍ୟୁଟିରେ ଥିବା କହିଛନ୍ତି ଆଇଆଇସି । ଆଉ ସେଦିନ କଣ ଘଟିଥିଲା, ସେନେଇ ସିଧା ସଳଖ କିଛି କହିନଥିଲେ ବି ଦୁଇ ଜଣଙ୍କର କଥାବାର୍ତା ବଢିଯିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କହିଛନ୍ତି ।

ମୋହନ ଚରଣ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପୂର୍ବର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ତା ଭିତରୁ ଏହି ଭିଡିଓ ବେଶ ଚର୍ଚ୍ଚାରେ ରହିଛି । ଥାନା ଭିତରେ ତକ୍ରାଳୀନ ବିଧାୟକଙ୍କୁ ଆଇଆଇସିଙ୍କ ଏଭଳି ବ୍ୟବହାରର ଭିଡିଓ ନିଆଁ ଭଳି ଭାଇରଲ ହେଉଛି । ଆଉ ଚର୍ଚ୍ଚା ହେଉଛି ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ, କୁଆଡେ ଏହି ଥାନା ଅଧିକାରୀ ନିଜ ଆଡୁ ଛୁଟିରେ ରହିଯାଇଛନ୍ତି । ହେଲେ ପ୍ରକୃତ ସତ କ’ଣ ତାହାର ସତ ଜାଣିବାକୁ ଚାହିଁଥିଲା କନକ ନ୍ୟୁଜ୍ । ତ୍ରିନାଥ କୌଣସି ଛୁଟିରେ ଯାଇ ନାହାଁନ୍ତି ବରଂ ଡ୍ୟୁଟିରେ ଅଛନ୍ତି । ତେବେ ସେହି ମୁହୁର୍ତରେ କ’ଣ ଘଟିଥିଲା ସେନେଇ ସିଧାସଳଖ ଭାବେ ସ୍ପଷ୍ଟ କରି ନଥିଲେ ବି, ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତା ବଢିଯିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କହିଛନ୍ତି ।

ଥାନା କିମ୍ବା ଫାଣ୍ଡିରେ ଲୋକଙ୍କୁ ଉତ୍ତମ ବ୍ୟବହାର ଦେଖାଇବାକୁ ଗତକାଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନିଜେ ଅଙ୍ଗେ ନିଭାଇଥିବା ଘଟଣାରେ କିଭଳି ସୁଧାର ଆସିବ ଏବଂ ବ୍ୟବହାରରେ ସଂସ୍କାର ଆସିପାରିବ, ସେନେଇ ଡିଜିପିଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଅନ୍ୟପଟେ ଦେଖିବାକୁ ମିଳିଛି ନୂଆ ସରକାର ଆସିବା ପରେ, ଏକାଧିକ ପୁଲିସ ଅଧିକାରୀ ଛୁଟିରେ ପଳାଉଛନ୍ତି । ଏଭଳି ଛୁଟିରେ ନଯାଇ ପରିସ୍ଥିତିକୁ ସାମ୍ନା କରିବା ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ପୁଲିସ ଅଧିକାରୀ । ସେହିପରି ଜଣେ ଆଇଆଇସି ହୋଇ ଥାନା ଭିତରେ ଆରଚଣ ଠିକ୍ ରଖିବା ଜରୁରୀ ବୋଲି କହିଛନ୍ତି ।

ବିଭିନ୍ନ ସମୟରେ ପୁଲିସ କର୍ମଚାରୀ, ଲୋକଙ୍କୁ ଖରାପ ବ୍ୟବହାର କରୁଥିବା ସାମ୍ନାକୁ ଆସିଛି । ମୋହନ ସରକାର ଆସିବା ପରେ, ପୁଲିସର ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତର୍ନ ଆସିବ ବୋଲି ଆଶା କରାଯାଉଛି ।