ବିଧାୟକଙ୍କ କ୍ୱାର୍ଟର ପାଇଁ ଚାଲିଛି ଆଖିବୁଜା ଗଛକଟା । ରାଜଧାନୀରେ ତାତି ବଢ଼ୁଥିବା ବେଳେ ପରିବେଶ ପାଇଁ ପରୱା ନାହିଁ ।

130

କନକ ବ୍ୟୁରୋ: ଖବର ବାଜୁଛି, ଆଉ ବେଧଡକ ରାଜଧାନୀ ଛାତିରେ ଚାଲିଛି ଗଛକଟା । ଆଜି ବି ଭୁବନେଶ୍ୱରର ୟୁନିଟ-୮ରେ ଗଛ କାଟିଛନ୍ତି ବନ କର୍ମଚାରୀ । ପ୍ରାୟ ୮ ଶହରୁ ଅଧିକ ଗଛ କଟାଯିବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୩ ଶହରୁ ଅଧିକ ଗଛ କଟାଗଲାଣି । ତେବେ ରାଜଧାନୀରେ ତାତି ବଢୁଥିବାବେଳେ ଏଭଳି ଗଛକଟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ । ଗଛକାଟିବା ପୂର୍ବରୁ ବିକଳ୍ପ ବ୍ୟବସ୍ଥା କଥା କାହିଁକି ଚିନ୍ତା କରାଗଲାନି ବୋଲି ସେମାନେ କହିଛନ୍ତି ।

ଖବର ବାଜୁଛି . ଗଛକଟା ବି ଚାଲିଛି । ବିକାଶ ନାଁରେ ବର୍ଷ ବର୍ଷର ପୁରୁଣା ଗଛକୁ କାଟି ଦିଆଯାଉଛି । ବନବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ କୁରାଢ଼ି ଓ କଟର ମେସିନରେ ଗଛ କଟାଯାଉଛି । ୮ ଶହ ଗଛ କଟା ହେବାର ଅଛି ଆଉ ଏବେ ୩ଶହରୁ ଅଧିକ ଗଛ କଟା ସରିଲାଣି । ଯେଉଁ ଗଛ ବଢିବାକୁ ୫୦-୬୦ ବର୍ଷ ଲାଗିଥିଲା , ସେହି ଗଛଗୁଡିକୁ ମାତ୍ର ୫ ମିନିଟରେ ମାଟିରେ ମିଶାଇଦିଆଯାଇଛି ।

  • ନିହାତି ଆବଶ୍ୟକ ଥିଲା ବି ଗଛକାଟିବା?
  • ସୁରକ୍ଷିତ ରଖିବାକୁ ଅନ୍ୟ ବାଟ ନାହିଁ କି?

ବର୍ଷ ବର୍ଷ ଧରି ବଢିବାକୁ ଏହି ଗଛକୁ ସୁରକ୍ଷିତ ଭାବେ ଅନ୍ୟସ୍ଥାନକୁ ନେବା ପାଇଁ ଅନେକ ବିକଳ୍ପ ରହିଛି । ବୈଜ୍ଞାନିକ ଉପାୟରେ ଗଛଗୁଡିକୁ ଉଠାଯାଇ ଅନ୍ୟ ସ୍ଥାନକୁ ବି ନିଆଯାଇପାରେ
ଗଛକୁ ସୁରକ୍ଷିତ ଭାବେ ଏବେ ଅନ୍ୟ ସ୍ଥାନକୁ ନିଆଯିବା ଯନ୍ତ୍ରପାତି ବି ଆସିଲାଣି । ଗଛକୁ ନକାଟି କୋଠା ନିର୍ମାଣ ପାଇଁ ବିକଳ୍ପ ସ୍ଥାନକୁ ବି ନିଆଯାଇପାରେ । ଏଭଳି ସ୍ଥଳେ ବିକଳ୍ପ ବ୍ୟବସ୍ଥାକୁ ବିଚାର କରାନଯାଇ ବେଧଡକ ଭାବେ ଗଛ କଟାଯାଉଥିବାରୁ ପରିବେଶବିତ୍ ଏହାକୁ ନାପସନ୍ଦ କରିଛନ୍ତି । ରାଜଧାନୀରେ ତାତି ବଢିଛି । ଏଥିପାଇଁ ଗଛର ଆବଶ୍ୟକତା ରହିଛି । ଏଭଳି ସମୟରେ ବିକାଶ ନାଁରେ ଗଛକଟାକୁ ବିରୋଧ କରାଯାଇଛି ।

ଦିଲ୍ଲୀରେ ଗତ ବର୍ଷ କେଜ୍ରିୱାଲ ସରକାର ରାଜଧାନୀ ଦିଲ୍ଲୀରେ ଗଛ ନକାଟିବା ପାଇଁ ନିଷ୍ପତି ନେଇଥିଲେ । ଗଛଗୁଡିକୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ଉଠାଇ ନେଇଥିଲେ । ଏବେ ରାଜଧାନୀରେ ଛାତିରେ ଏଭଳି ଗଛକଟା ସମସ୍ତଙ୍କ ଚିନ୍ତା ବଢାଇଦେଇଛି ।