୭ ବର୍ଷ ଲଗାତାର ଫେଲ୍ ତଥାପି ହାରିଲେନି, ଶେଷ ପ୍ରୟାସରେ ସଫଳ ହେଲେ; ବନିଗଲେ ଆଇଏଫଏସ୍

394

କନକ ବ୍ୟୁରୋ: ‘ଉଠ , ଜାଗ୍ରତ ହୁଅ, ନିଜ ଲକ୍ଷ୍ୟସ୍ଥଳରେ ନପହଞ୍ଚିବା ପର୍ଯ୍ୟନ୍ତ ରୁହନାହିଁ’  ସ୍ୱାମୀ ବିବେକାନନ୍ଦଙ୍କ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ସାକାର କରିଛନ୍ତି ଆଇଏଫଏସ୍ ଅଫିସର ପୱନ ଗୁପ୍ତା । ୭ ବର୍ଷ ଧରି କ୍ରମାଗତ ବିଫଳତାକୁ ସାମ୍ନା କରି ବି ହାର ମାନିନଥିଲେ । କଠିନ ପରିଶ୍ରମ ଜାରି ରଖିଲେ । ଶେଷରେ ତାଙ୍କର ଏହି ଦୃଢତା ଆଗରେ ହାର ମାନିଲା ଭାଗ୍ୟ । ଆଉ ୟୁପିଏସସିର ଶେଷ ପ୍ରୟାସରେ ୯୦ ତମ ସ୍ଥାନ ପାଇ ନିଜ ସ୍ୱପ୍ନକୁ ସାକାର କଲେ । ହେଲେ ଆଇଏଫଏସ୍ ଅଫିସର ।

ପୱନ ଗୁପ୍ତା ଆଗ୍ରାର ଏକ ସାଧାରଣ ବ୍ୟବସୟୀ ପରିବାରର ପୁଅ । ବାପାଙ୍କ ଛୋଟକାଟିିଆ ବ୍ୟବସାୟରେ ପୁରା ପରିବାର ଚଳେ । ହେଲେ ପିଲାବେଳୁ ପୱନ ଥିଲେ ମେଧାବୀ । ପାଠପଢାରେ ତାଙ୍କର ଆଗ୍ରହକୁ ଦେଖି ଅନେକ କଷ୍ଟ କରି ପୁଅକୁ ପଢିବାକୁ ସହଯୋଗ କରିଥିଲେ ବାପା । ଦ୍ୱାଦଶ ପରେ ତାଙ୍କୁ ଦୁର୍ଗାପୁର ଏନଆଇଟିରେ ମେକାନିକାଲ ଇଞ୍ଜିନିଅରିଙ୍ଗରେ ଆଡମିଶନ ମିଳିଗଲା । ସେଠାରୁ ସେ ଡିଗ୍ରୀ ହାସଲ କଲେ । ଏବଂ ଏହିଠାରୁ ହିଁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ପାଇଁ ତାଙ୍କ ମନରେ ଇଚ୍ଛା ଉଙ୍କିମାରିଥିଲା । ଯାହା ସମୟ କ୍ରମେ ଦୃଢ ଇଚ୍ଛାରେ ପରିଣତ ହୋଇଥିଲା । ମେକାନିକାଲ ଇଞ୍ଜିନିଅରିଙ୍ଗରେ ତାଙ୍କର ଭଲ ଗ୍ରେଡ ଥିବାରୁ  ପରେ ପରେ ତାଙ୍କୁ ଭଲ ଚାକିରିଟେ ମଧ୍ୟ ମିଳିଗଲା । ହେଲେ ନିଜ ସ୍ୱପ୍ନ ଆଗରେ ଏହି ଚାକିରି ତାଙ୍କୁ ଫିକା ଲାଗୁଥିଲା । କିନ୍ତୁ ଘରର ପରିସ୍ଥିତି ଯୋଗୁଁ ଚାକିରି ସହ ୟୁପିଏସସି ପାଇଁ ପ୍ରସ୍ତୁତି ଏକାସାଙ୍ଗରେ କଲେ ପୱନ ।

୨୦୧୫ରେ ଚାକିରି ସହ ୟୁପିଏସସି ପରୀକ୍ଷାରେ ପ୍ରଥମ ଥର ପାଇଁ ବସିଲେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏତେ ମେଧାବୀ ଛାତ୍ର ଲଗାତାର ୩ ବର୍ଷ ଶୋଚନୀୟ ବିଫଳତାକୁ ସାମ୍ନା କଲେ । ଏପରିକି ୟୁପିଏସସିରେ ପ୍ରିଲିମ ମଧ୍ୟ କ୍ଲିଅର କରିପାରିଲେ ନାହିଁ ପୱନ । ୨୦୧୮ରେ ପ୍ରିଲିମ କ୍ୱାଲିଫାଏ କଲେ କିନ୍ତୁ ମେନରେ ହାରିଗଲେ । ତେଣୁ ପରୀକ୍ଷାରେ ଫୋକସ୍ କରିବାକୁ ବର୍ଷକ ପାଇଁ ଚାକିରି ଛାଡିଦେଲେ । କିନ୍ତୁ ପ୍ରସ୍ତୁତି ପାଇଁ ଅର୍ଥ ଆବଶ୍ୟ ଥିବାରୁ ପୁଣିଥରେ ୨୦୧୯ରେ ଉଭୟ ୟୁପିଲସସି ଓ ଆଇଇଏସ୍ ପରୀକ୍ଷା ଦେଲେ । ଏବଂ ଇଣ୍ଡିଆନ୍ ଇଞ୍ଜିନିୟରିଙ୍ଗ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୧୭ ତମ ସ୍ଥାନ ପାଇ ଭାରତୀୟ ରେଲୱେରେ ଚାକିରି ପାଇଲେ ।

 କାର୍ଯ୍ୟ କ୍ଷେତ୍ରରେ ଚାପ ଥାଇ ବି ପଢା କିନ୍ତୁ ଛାଡନଥାନ୍ତି ପୱନ । ୨୦୨୦ରେ ୟୁପିଏଏସର ମେନ୍ କ୍ୱାଲିଫାଏ କରିଥିଲେ ବି ଅଳ୍ପକେ ଇଣ୍ଟରଭ୍ୟୁରେ ଫେଲ ହୋଇଗଲେ । ଏହି ସମୟରେ ମାନସିକ ଅବସାଦର ଶିକାର ହାଇଥିଲେ  ବି ନିଜେ ନିଜକୁ ଏଥିରୁ ଉଭାରୀ ପାରିଥିଲେ । ସ୍ୱାମୀ ବିବେକାନନ୍ଦଙ୍କୁ କେଇପଦ କଥା ତାଙ୍କ ଜୀବନରେ ପୁଣି ଆଶା ଭରିଦେଇଥିଲା । ଶେଷରେ ୨୦୨୨ରେ ୟୁପିଏଏସିରେ ୯୦ ତମ ସ୍ଥାନ ପାଇଁ ନିଜ  ଇଚ୍ଛିତ ଆଇଏଫଏସ୍ ଅଫିସର ବନିଲେ ପୱନ ଗୁପ୍ତା ।

 ତେବେ ସଫଳତା ପାଇଁ କୌଣସି ସଟକଟ୍ ବାଟ ନାହିଁ ଏଥିପାଇଁ ଲୋଡା କଠିନ ପରିଶ୍ରମ ସାଙ୍ଗକୁ ଅସୀମ ଧୈର୍ଯ୍ୟ । ପରିଶେଷରେ ସଫଳତା ମିଳିବ ହିଁ ମିଳିବ ଯୁବ ସମାଜକୁ ଏହି ବାର୍ତ୍ତ ଦେଇଛନ୍ତି ଆଇଏଫଏସ୍ ପୱନ ଗୁପ୍ତା ।