ସଂସଦରେ ରଦ୍ଦ ହେଲା ଧାରଣା, ବିକ୍ଷୋଭ। ପାଳନ ହୋଇପାରିବନି ଧାର୍ମିକ ଉତ୍ସବ

130

କନକ ବ୍ୟୁରୋ : ସଂସଦରେ ଅସାମ୍ବିଧାନିକ ଶବ୍ଦ ଉପରେ କଟକଣା ଲଗାଇବାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଶୁକ୍ରବାର ସଂସଦ ଭବନ ପରିସରରେ ଧାରଣା, ବିକ୍ଷୋଭ ଉପରେ ମଧ୍ୟ କଟକଣା ଲଗାଯାଇଛି । ସଂସଦ ଭବନ ପରିସରରେ ପୂର୍ବ ଭଳି ଆଉ ଧାରଣା, ବିକ୍ଷୋଭ, ଉପବାସ ତଥା ଧାର୍ମିକ ଉତ୍ସବ କରାଯାଇପାରିବ ନାହିଁଁ । ଏସବୁ ରଦ୍ଦ ନେଇ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟସଭା ସଚିବ । ଜୁଲାଇ ୧୮ ତାରିଖରେ ସଂସଦର ମୌସୁମୀ ଅଧିବେସନ ଆରମ୍ଭ ହେଉଥିବା ବେଳେ ଏଭଳି ନୂଆ ନିୟମ ଲାଗୁ ହୋଇଛି । ଯାହାକୁ ବିରୋଧ କରିଛି କଂଗ୍ରେସ । କଂଗେସର ସାଧାରଣ ସମ୍ପାଦକ ତଥା ରାଜ୍ୟସଭାର ମୁଖ୍ୟ ସଚେତକ ଜୟରାମ ରମେଶ କହିଛନ୍ତି ଧାରଣା ମନା ନୁହେଁ ଡରିବା ମନା । ସେହିପରି ଟିଏମସି ସାଂସଦ ଡେରେକ୍ ଓବ୍ରେନ୍ କହିଛନ୍ତି ବିଜେପି ସରକାର ବିରୋଧୀଙ୍କ କଥା ଶୁଣିବାକୁ ରାଜି ନାହାଁନ୍ତି । ବିଜେପି ସଂସଦ ଭବନକୁ ଏକ ରବର ଷ୍ଟାମ୍ପ କରିଦେବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି ।

ସଂସଦରୁ ଅସମ୍ବିଧାନକ ଶବ୍ଦଗୁଡିକୁ ରଦ୍ଦ କରିବାକୁ ରାଜନୀତି ଜୋର ଧରିଥିବା ବେଳେ ସ୍ପଷ୍ଟିକରଣ ରଖିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ସଂସଦରେ ଏହି ଶବ୍ଦଗୁଡିକୁ ରଦ୍ଦ କରାଯାଇନାହିଁ ବରଂ ପ୍ରାସଙ୍ଗିକତାକୁ ଦୃଷ୍ଟିରେ ରଖି ଏସବୁ ଶବ୍ଦକୁ ବାଦ୍ ଦିଆଯାଇଛି ବୋଲି ସେ କହିଛନ୍ତି । ବିଜେପି କହିଛି ବିରୋଧୀ ବିଶେଷକରି କଂଗ୍ରେସ ଅନାବଶ୍ୟକ ଭାବେ ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ସରକାର ଯାହା ବି କାମ କଲେ କଂଗ୍ରେସ ଦୋଷ ବାହାର କରିବାକୁ ଚେଷ୍ଟା କରୁଛି । କଂଗ୍ରେସ ଲୋକମାନଙ୍କ ମଧ୍ୟରେ ଭ୍ରମ ସଷ୍ଟି କରି ଅରାଜକତା ବଢାଇବାକୁ ଚେଷ୍ଟା କରୁଥିବା କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।

ବୁଧବାର ଲୋକସଭା ସଚିବ ନୂଆ ବୁଲଲେଟ୍ ଜାରି କରିବା ସହ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ‘ଜୁମଲାଜୀବୀ, ବାଲବୁଦ୍ଧି. କୋଭିଡ ସ୍ପ୍ରେଡର, କରପ୍ଟ, ଡ୍ରାମା ଭଳି କିଛି ଶବ୍ଦକୁ ଅସମ୍ବିଧାନ ଶବ୍ଦ ଘୋଷଣା କରିଥିଲେ ।