ବଦଳିଲା ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ପ୍ରକ୍ରିୟା: ତିନି ଜଣିଆ କମିଟି ଚୟନ କରିବେ ନାଁ

254

କନକ ବ୍ୟୁରୋ: ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । କଲେଜିୟମ ବ୍ୟବସ୍ଥାରେ ନିଯୁକ୍ତି କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି, ୫ଜଣିଆ ଖଣ୍ଡପୀଠ କହିଛନ୍ତି, ଏଥିପାଇଁ ଏକ କମିଟି ଗଠନ ହେବ । କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତି ରହିବେ । ଏହି କମିଟି ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତିକୁ ନେଇ ନାଁ ସୁପାରିସ କରିବେ । ସେହି ସୁପାରିସକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ଏବଂ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିବା ପରେ ନିର୍ବାଚନ ଆୟୁକ୍ତ ନିଯୁକ୍ତ ହେବେ । ଅର୍ଥାତ ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ଯେଉଁ ପ୍ରକ୍ରିୟାରେ ହେଉଛି, ସେହି ପ୍ରକ୍ରିୟାରେ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ହେବ ।

ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ସୁପାରୀଶ ଆଧାରରେ ନିର୍ବାଚନ ଆୟୁକ୍ତଙ୍କୁ ନିଯୁକ୍ତି ଦେଉଛନ୍ତି ରାଷ୍ଟ୍ରପତି । କିନ୍ତୁ କେନ୍ଦ୍ରରେ ଶାସନରେ ଥିବା ରାଜନୈତିକ ଦଳ, ତାକୁ ସୁହାଇଲା ଭଳି ବ୍ୟକ୍ତିଙ୍କୁ ଏହି ପଦବିରେ ବସାଉଥିବା ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ ।

ଆବେଦନର ଶୁଣାଣି କରିଥିଲେ ଜଷ୍ଟିସ କେଏମ ଜୋସେଫ, ଜଷ୍ଟିସ୍ ଅଜୟ ରସ୍ତୋଗୀ, ଜଷ୍ଟିସ ଅନିରୁଦ୍ଧ ବୋଷ୍, ଜଷ୍ଟିସ୍ ହୃଷିକେଶ ରାୟ ଓ ଜଷ୍ଟିିସ ସିଟି ରବିକୁମାରଙ୍କ ନେଇ ଗଠିତ ପାଂଚ ଜଣିଆ ଖଣ୍ଡପୀଠ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ କହିଥିଲେ, ନିର୍ବାଚନ କମିସନ ଅବାଧ ଓ ଆଇନସମ୍ମତ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ । କମିସନ ସମ୍ବିଧାନର ନିୟମ ଓ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ଦାୟିତ୍ୱ ସମ୍ପାଦନ କରିବା ଆବଶ୍ୟକ । ତେବେ ପାର୍ଲାମେଂଟ ଏ ବ୍ୟାପାରରେ କୌଣସି ଆଇନ ପ୍ରଣୟନ ନକରିବା ପର୍ଯ୍ୟନ୍ତ ପ୍ରଚଳିତ ବ୍ୟବସ୍ଥା ଜାରି ରହିବ ।

୨୦୨୧ରେ ରାଷ୍ଟ୍ରପତିଙ୍କୁ ଏକ ପତ୍ର ଲେଖିଥିଲେ ଅବସରପ୍ରାପ୍ତ ବ୍ୟୁରୋକ୍ରାଟ୍ ଓ ଜଷ୍ଟିସ୍ । କେମିତି ନିର୍ବାଚନ ଆୟୁକ୍ତର ବିଶ୍ୱସନୀୟତା ସଂକଟରେ ପଡିଛି ସେହି ପତ୍ରରେ ସେମାନେ ଉଲେଖ କରିଥିଲେ । ନିଯୁକ୍ତ ହୋଇଥିବା ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟ ଓ ନିଯୁୂକ୍ତି ପ୍ରକ୍ରିୟାକୁ ନେଇ କେମିତି ସନ୍ଦେହ ରହିଛି ତାହା ଦର୍ଶାଇଥିଲେ । ଏହି ବିବାଦ ପରେ ସୁପ୍ରିମକୋର୍ଟରେ ପହଁଚିଥିଲା । ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ଭଳି କଲେଜିୟମ ବ୍ୟବସ୍ଥାରେ ନିର୍ବାଚନ କମିଶନଙ୍କ ନିଯୁକ୍ତି ପାଇଁ ଦାବି କରି ଜନସ୍ୱାର୍ଥ ମାମଲା ହୋଇଥିଲା । ଯାହାର ଶୁଣାଣି କରିବା ସମୟରେ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି ରହିଥିବା ଅନୁଭବ କରିଥିଲେ ଖଣ୍ଡପୀଠ ।