କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲି ପଡିଛି ଶିକ୍ଷକ ପଦବୀ । ନୂଆ ନିଯୁକ୍ତି ନାହିଁ, ପାଠ ପଢ଼ାଉଛନ୍ତି ଠିକା ଶିକ୍ଷକ

773

କନକ ବ୍ୟୁରୋ: ରାଜ୍ୟର ବଢ଼ିଚାଲିଛି କେନ୍ଦ୍ରୀୟ ବିଦ୍ୟାଳୟ ସଂଖ୍ୟା । ରାଜ୍ୟରେ ୬୭ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି । ଏହି ସ୍କୁଲରେ ୭୨ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ହେଲେ, ସାମନାକୁ ଆସିଛି ଭିତିଭୂମିର ବିକଳ ଚିତ୍ର । ଏକ ତଥ୍ୟ ଅନୁସାରେ ପ୍ରାୟ ୩୯ଟି ସ୍କୁଲରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି ।ଭାରପ୍ରାପ୍ତ ପ୍ରଧାନ ଶିକ୍ଷକରେ ଚାଲିଛି ସ୍କୁଲ । ସେହିପରି ନୂତନ ଶିକ୍ଷକ ନିଯୁକ୍ତି ଦିଆଯାଉନଥିବାରୁ ଅଧିକାଂଶ ବିଦ୍ୟାଳୟରେ ୬୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଛି । ସ୍ଥାୟୀ ନିଯୁକ୍ତିି ବଦଳରେ ଚୁକ୍ତି ଭିତିକ ଭାବେ ଶିକ୍ଷକ ନିଯୁକ୍ତି ଦିଆଯାଉଛି । ଗେଷ୍ଟ ଟିଚର ଆସି ପାଠ ପଢ଼ାଉଛନ୍ତିି । ଯାହାଫଳରେ ପାଠପଢ଼ା ଠିକ୍ ଭାବରେ ହୋଇପାରୁନି । ଆଉ ରେଜଲ୍ଟ ତୁଳନାତ୍ମକ ଭାବେ ଭଲ ହେଉନଥିବା କୁହାଯାଉଛି ।

ସରକାରୀ ଓ ଇଂରାଜୀ ମାଧ୍ୟମ ସ୍କୁଲ ହୋଇଥିବାରୁ ଅଭିଭାବକମାନେ ପିଲାମାନଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ାଉଛନ୍ତି । ହେଲେ, ଶିକ୍ଷକ ଅଭାବ ଓ ଭିତିଭୂମିର ଅଭାବ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚିନ୍ତାରେ ପକାଉଛି । ପିଲାମାନଙ୍କ ପାଠପଢ଼ା ପ୍ରଭାବିତ ହେବାର ଆଶଙ୍କା କରୁଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସ୍କୁଲର ଏଭଳି ଅବସ୍ଥାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶିକ୍ଷାବିତ ଓ ଅଭିଭାବକ ମହାସଂଘ । ତେବେ କେନ୍ଦ୍ରୀୟ ବିଦ୍ୟାଳୟରେ ଏଭଳି ହେବା କଥା ନୁହେଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।

କେବଳ ଶିକ୍ଷକ ପଦବୀ ନୁହେଁ ବହୁ ଅଣଶିକ୍ଷକ ପଦବୀ ଖାଲି ପଡିଥିବା କୁହାଯାଉଛି । ତେବେ ଏସବୁ ପଦବୀ ପୂରଣ ନହେଲେ ଆଗାମି ଦିନରେ କେନ୍ଦ୍ରୀୟ ବିଦ୍ୟାଳୟ ତାର ମାନ ହରାଇବାର ଯଥେଷ୍ଟ ସମ୍ଭାବନା ରହିଛି ।