ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ୫ଟି ସଚିବଙ୍କ ଫଟୋ ଭାଇରାଲ ପ୍ରସଙ୍ଗ । ସ୍ପଷ୍ଟୀକରଣ ରଖିଲେ ହାଇକୋର୍ଟ ରେଜିଷ୍ଟାର ।

317

କନକ ବ୍ୟୁରୋ: ହାଇକୋର୍ଟ ମୁଖ୍ୟ ବିଚାରପତି ସହ ୫-ଟି ସଚିବ ଫଟୋ ଓ ଖବର ଭାଇରାଲ ପ୍ରସଙ୍ଗ । ପ୍ରେସ ରିଲିଜ ଜାରି କରି ସ୍ପଷ୍ଟୀକରଣ ରଖିଛନ୍ତି ହାଇକୋର୍ଟ ରେଜିଷ୍ଟାର । ଦୁଇ ଦିନ ତଳେ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସାକ୍ଷାତ ସମୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନେଇ ଫେକ ନ୍ୟୁଜ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିବା ହାଇକୋର୍ଟ ରେଜିଷ୍ଟାର ପ୍ରେସ ରିଲିଜରେ ଉଲ୍ଲେଖ କରିଛନ୍ତି ।

ସେ କହିଛନ୍ତି, ପ୍ରକୃତ ସତ୍ୟାସତ୍ୟ ଯାଞ୍ଚ ନକରି ମିଥ୍ୟା ଖବର ପରିବେଷଣ କରାଯାଇଛି । ଏହା ହେଉଛି ଗତ ମାର୍ଚ୍ଚ ୧୨ ତାରିଖରେ ସତ୍ୟ ସାଇ ହସ୍ପିଟାଲ ପକ୍ଷରୁ ଆୟୋଜିତ ତିନି ଦିନିଆ ଫ୍ରି ମେଗା ହାର୍ଟ କ୍ୟାମ୍ପ ଉଦଘାଟନୀ ସମୟର ଫଟୋଚିତ୍ର । ମୁଖ୍ୟ ବିଚାରପତି ଜଷ୍ଟିସ ଏମଆର ଶାହା ଓ ୫-ଟି ସଚିବ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରରେ ସତ୍ୟସାଇ ହାର୍ଟ ହସ୍ପିଟାଲର ୨ ଜଣ ଡାକ୍ତର ଓ ୫ଟି ସଚିବଙ୍କ ସହ ଏକାଠି ବସି କଥାବାର୍ତ୍ତା କରିଥିଲେ । ସେହି ସମୟରେ ଫଟୋ ଉଠାଇଥିଲେ ଫଟୋ ଗ୍ରାଫର । କେବଳ ୫-ଟି ସଚିବଙ୍କ ସହ ମୁଖ୍ୟ ବିଚାରପତିଙ୍କ ଫଟୋକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରାଯାଇଛି ।

ପ୍ରକୃତରେ ୫-ଟି ସଚିବଙ୍କ ସହ ମୁଖ୍ୟ ବିଚାରପତି କୌଣସି ରୁଦ୍ଧଦ୍ୱାର ବୈଠକ କରିନାହାନ୍ତି । କିନ୍ତୁ ୫-ଟି ସଚିବ ଓ ମୁଖ୍ୟ ବିଚାରପତିଙ୍କ ଏକତ୍ର ଉପସ୍ଥିତକୁ ନେଇ ଫେକ ନ୍ୟୁଜ ପ୍ରସାରିତ କରାଯାଇଛି । ଯାହା ଯୋଗୁଁ ମୁଖ୍ୟ ବିଚାରପତିଙ୍କୁ ନେଇ ବିଭ୍ରାନ୍ତିକର ଖବର ସହ ନ୍ୟାୟିକ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଲାଗିଛି । ଏହାଛଡା କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଖବର ସତ୍ୟାସତ୍ୟ ଯାଞ୍ଚ ନ କରି ନକରାତ୍ମକ ଟିପ୍ପଣୀ ଦେବା ଦୁର୍ଭାଗ୍ୟ ଜନକ ବୋଲି ପ୍ରେସ ରିଲିଜରେ ଲେଖିଛନ୍ତି ରେଜିଷ୍ଟାର ।